୩ ମାସ ଧରି କର୍ଣ୍ଣାଟକରେ ନଜରବନ୍ଦୀ ଥିଲେ ଦାଦନ, ରାଜନେତାଙ୍କ ଉଦ୍ୟମରେ ଉଦ୍ଧାର କଲା ପୁଲିସ

ନବରଙ୍ଗପୁର : ପୁଣି ଏକ ଦାଦନ ଦୁଃଖ ଆସି ପହଞ୍ଚିଛି। ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅଞ୍ଚଳର ୨ ଜଣ ଯୁବକ କର୍ଣ୍ଣାଟକକୁ ଦାଦନ ଖଟିବା ପାଇଁ ଯାଇଥିଲେ। କର୍ଣ୍ଣାଟକର ବେଲାରି ଅଞ୍ଚଳର ଗୋଟିଏ ନଳକୂପ ଖନନ ଗାଡିରେ ଶ୍ରମିକ ଭାବେ କାମ କରିଥିଲେ। ତେବେ ୩ ମାସ ହେବ ଗାଡି ମାଲିକର ନଜରବନ୍ଦୀ ହୋଇ ରହିଥିଲେ ୨ ଦାଦନ। ଶେଷରେ ରାଜନେତାଙ୍କ ଉଦ୍ୟମରେ ଉଦ୍ଧାର କରିଛି କର୍ଣ୍ଣାଟକ ପୁଲିସ। ଉଦ୍ଧାର ହୋଇଥିବା ୨ ଜଣ ଯୁବକ ହେଲେ ନବରଙ୍ଗପୁର ଜିଲ୍ଲା ହଳଦି ପଞ୍ଚାୟତର ଗୁଣ୍ଡିଝରୀ ଗାଁର ସମ୍ବାରୁ ମାଝୀଙ୍କ ପୁଅ ଭଅଁରଲାଲ ମାଝୀ (୧୯) ଓ ଚିଙ୍ଗାଭଟା ଗାଁର ଭଜନଲାଲ ଗଣ୍ଡ(୨୨)। ନଜରବନ୍ଦୀ ହୋଇ ରହିଥିବା ଭଅଁର ଲାଲ ମାଝୀଙ୍କ ବାପା ସମ୍ବାରୁ ମାଝୀ କହିବା ଅନୁଯାୟୀ ଏହି ୨ ଜଣ ଯୁବକ ଘରୁ ଗତ ସେପଟେମ୍ବର ମାସରେ ଲୁଚି ପଳାଇଥିଲେ। ସେମାନେ ଜଣେ ଦଲାଲ ସହାୟତାରେ ଯାଇ କର୍ଣ୍ଣାଟକ ରାଜ୍ୟ ବୋଲେରି ଜିଲ୍ଲା କୁତୁରୁ ଅଞ୍ଚଳର ଏକ ବୋରୱେଲ ଗାଡିର ମାଲିକ ନିକଟରେ କାମ କରିଲେ। ମାଲିକ ମାସିକ ୧୦ ହଜାର ଟଙ୍କା ଦେବା ପାଇଁ କହିଥିଲେ । ତେବେ କାମ କରିବା ପର ଠାରୁ କେବଳ କିଛି ହାତ ଖର୍ଚ୍ଚ ଦେବା ପରେ ପୁରା ଦରମା କେବେ ହେଲେ ଦେଇନାହାନ୍ତି। ମାଲିକ ସେମାନଙ୍କୁ ଖଟାଇ ଚାଲିଥିଲେ । ଏପରି ସୁଖ ଦୁଃଖରେ ବାଧ୍ୟ ବାଧକତାରେ କାମ କରୁଥିବା ବେଳେ ଏବେ ଲକଡାଉନ ସମୟରେ ଗତ ୩ମାସ ହେବ ତାଙ୍କ ସହ ଫୋନ ଯୋଗେ କଥା ହେବା ପାଇଁ ମାଲିକ ବାରଣ କରିଥିଲେ। ପୁଅ ସାଙ୍ଗେ ଯେତେବେଳେ ବି କଥା ହେଲେ ମାଲିକ ଫୋନ୍ ଛଡାଇ ନେଉଥିଲେ। ଏବେ ପ୍ରାୟ ୧ ମାସ ହେବ ଧକ୍କା ମାରିବା ସହ କ୍ରୀତଦାସ ଭଳି ଖଟାଉଥିଲେ। ନଜରବନ୍ଦୀ କରି ନିଜ ପାଖରେ ରଖୁଥିଲେ। ପୁଅଙ୍କୁ ଫେରାଇ ଆଣିବା ପାଇଁ ଏବେ ପଞ୍ଜିକରଣ ବି କରିଥିଲେ। ଏବେ ଗତ କିଛି ଦିନ ପୂର୍ବେ ତାଙ୍କ ପୁଅ ଭଅଁରଲାଲ କୌଣସି ମତେ କାନ୍ଦି କାନ୍ଦି ସେମାନେ କିପରି ମାଲିକର ଅତ୍ୟାଚାର ସହୁଛନ୍ତି ଫୋନ ମାଧ୍ୟମରେ ଦୁଃଖ ଜଣାଇଥିଲେ। ପୁଅର ଦୁଃଖ ସହିନପାରି ସେ ଗତ କାଲି ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ସହ ଯୋଗାଯୋଗ କରି ସମସ୍ତ ଘଟଣା ସଂକ୍ରାନ୍ତରେ ଜଣାଇଥିଲେ।

ପୂର୍ବତନ ସାଂସଦ ପ୍ରଦୀପ ମାଝୀ ବିଳମ୍ବ ନକରି କର୍ଣ୍ଣାଟକର ଜଣେ ସମାଜସେବୀ ଓ ସେଠାକାର ପୁଲିସ ସହ ଯୋଗାଯୋଗ କରିଥିଲେ। ସେଠାକାର ସମାଜସେବୀ ଓ ପୁଲିସ ଉଭୟ ଯୁବକଙ୍କୁ ଠାବ କରିବା ପାଇଁ ସେମାନଙ୍କର ମୋବାଇଲ ନମ୍ବରକୁ ଟ୍ରାକିଂ କରି ସେହି ସ୍ଥାନକୁ ଠାବ କରିଥିଲେ। ଆଜି ସ୍ଥାନୀୟ ପୁଲିସ ଓ ସମାଜସେବୀ ସେହି ସ୍ଥାନରେ ପହଞ୍ଚି ଉଭୟ ଯୁବକଙ୍କୁ ବୋରୱେଲ ଗାଡି ମାଲିକ ଠାରୁ ଉଦ୍ଧାର କରି ଆଣି ବୋଲେରୀରେ ନେଇ ରଖିଛନ୍ତି। ସେମାନଙ୍କୁ ବାଙ୍ଗାଲୁରୁକୁ ଆସନ୍ତାକାଲି ପଠାଇବେ। ସେଠାରୁ ଟ୍ରେନ ଯୋଗେ ନବରଙ୍ଗପୁରକୁ ପଠାଇବେ ବୋଲି ଜଣାପଡିଛି। ଉଭୟ ଯୁବକ ମାଲିକ ଠାରୁ ଉଦ୍ଧାର ହୋଇଥିବା ସେଠାକାର ପୁଲିସ ଜଣାଇବା ପରେ ବାପା ସମ୍ବାରୁ ଆଶ୍ବସ୍ଥି ଳାଭ କରିଛନ୍ତି ବୋଲି କହିଛନ୍ତି । ତାଙ୍କ ପୁଅ ଉଦ୍ଧାର ହୋଇଥିବାରୁ ସେ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଏ ବାବଦରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି କର୍ଣ୍ଣାଟକରେ ଫସିଥିବା ପ୍ରବାସୀ ଓଡିଆଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ସେ ବିଭିନ୍ନ ସମାଜିକ ଗଣମାଧ୍ୟମରେ ଏକ ମୋବାଇଲ ନମ୍ବର ଜାରି କରିଛନ୍ତି। ଯେଉଁ ପ୍ରବାସୀମାନେ ଫେରିବାକୁ ଚାହୁଁଛନ୍ତି ସେମାନେ ଉକ୍ତ ମୋବାଇଲ ନମ୍ବର ସହ ଯୋଗାଯୋଗ କରିଲେ ସେମାନଙ୍କୁ ଫେରାଇ ଆଣିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର