ନାବାଳିକା ଦୁଷ୍କର୍ମ ମାମଲାରେ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଜଣେ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ମାନ୍ୟବର କୋର୍ଟ ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଗତ ୨୦୧୪ ମସିହା ଡିସେମ୍ବର ମାସରେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ମାନିଗାଁ ଗ୍ରାମର ଜଣେ ନାବାଳିକା ଗାଁରେ ହେଉଥିବା ନାଚ ଦେଖି ଭୋରୁ ଘରକୁ ଫେରୁଥିବା ବେଳେ ରାସ୍ତାରେ ସେହି ଗ୍ରାମର ସୁରେନ୍ଦ୍ର ଗୌଡ ନାମକ ଜଣେ ଯୁବକ ଟାଣି ନେଇ ନିକଟସ୍ଥ ଏକ ମୋବାଇଲ ଟାୱାର ନିକଟରେ ଦୁଷ୍କର୍ମ କରିଥିଲା। ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।

ଏହି ଘଟଣାକୁ ନେଇ ଗାଁରେ ପଞ୍ଚାୟତ ବସିଥିଲା। ପଞ୍ଚାୟତରେ ସଂପୃକ୍ତ ଯୁବକ ଜଣକ ଦୋଷ ସ୍ୱୀକାର କରିବା ସହ ନାବାଳିକାକୁ ସ୍ତ୍ରୀ ରୂପେ ଗ୍ରହଣ କରି ଘରେ ରଖିଥିଲା। ଇତି ମଧ୍ୟରେ ନାବାଳିକା ଜଣକ ୪ ମାସର ଗର୍ଭବତୀ ହେବା ପରେ ସୁରେନ୍ଦ୍ର ଛାଡି ଦେଇଥିଲା। ଏଥିନେଇ ନାବାଳିକା ଜଣକ ଡାବୁଗାଁ ଥାନାରେ ଏତଲା ଦେଇଥିଲେ। ଡାବୁଗାଁ ଥାନା ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ କରାଯାଇଥିଲା। ଏହି ମାମଲାକୁ ଅତିରିକ୍ତ ଜିଲ୍ଲା ଦୌରାଜଜ ଗୌରୀମାଳା ମହାରଣା ୨୯ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ଜରିମାନା ଅନାଦେୟ ୨ମାସ କାରାଦଣ୍ଡ ଶୁଣାଇଛନ୍ତି। ଏହି ମାମଲାକୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ସଚ୍ଚି ନନ୍ଦନ ସ୍ୱାଇଁ ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର