ନବରଙ୍ଗପୁର (ସୁରେଶ ନାଇଡୁ): ଖରିଫ ମଣ୍ଡିରେ ଚାଷୀ ପଞ୍ଜୀକରଣ ଗତବର୍ଷ ଠାରୁ ଚଳିତ ବର୍ଷ ୮ ହଜାର ୧୦୯ଜଣ ବଢ଼ିଛନ୍ତି। ଏଥରକ ରାଜ୍ୟ ସରକାର ଚାଷୀ ପଞ୍ଜୀକରଣ ସରଳୀକରଣ କରିବା ପରେ ବଢ଼ିଛନ୍ତି ବୋଲି ଅଧିକାରୀମାନେ କହୁଛନ୍ତି। ତେବେ ପୂର୍ବ ବର୍ଷ ଗୁଡ଼ିକରେ ଯାଞ୍ଚ କଡ଼ାକଡ଼ି ହେଉଥି‌ଲେ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବାରୁ ଚାଷ ନ କରି ମଧ୍ୟ ଜାଲ୍ ଚାଷୀଙ୍କ ସଂଖ୍ୟା ବଢ଼ିଛି ବୋଲି ମତ ପ୍ରକାଶ ପାଇଛି। ଏସ୍‌ଏଚ୍‌ଜି ଗ୍ରୁପ କରିଥିବା ପଞ୍ଜୀକରଣରେ ଗତବର୍ଷ ତୁଳନାରେ ୮୨୩୪ ଓ ପାଣିପଂଚାୟତରେ ୬୨୬ବଢ଼ିଥିବା ବେଳେ ୭୫୧ଜଣ ଲ୍ୟାମ୍ପସରୁ କମିଛନ୍ତି। 

Advertisment

ଏସ୍‌ଏଚଜି ଗ୍ରୁପ୍‌ ଜରିଆରେ ଚାଷୀ ଓ ଭାଗଚାଷୀ ପଞ୍ଜୀକରଣ ବୃଦ୍ଧିକୁ ନେଇ ସାଂସଦ ଇଂ ବଳଭଦ୍ର ମାଝୀ, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ମନ୍ତ୍ରୀଙ୍କ ପ୍ରତିନିଧି କାହ୍ନୁ ଦାସ ସଂଦେହ ପ୍ରକାଶ କରି ଗତକାଲି ଜିଲ୍ଲାସ୍ତରୀୟ ଧାନକିଣା କମିଟି ବୈଠକକୁ ବୟକଟ୍ କରିଥିଲେ।

ସୂଚନାଯୋଗ୍ୟ, ୨୦୨୪-୨୫ ଖରିଫରେ ନବରଙ୍ଗପୁର ଜିଲ୍ଲାର ୪୨ ହଜାର ୮୧୦ଜଣ ଚାଷୀ ଧାନ ବିକ୍ରି କରିବାକୁ କ୍ରୟକାରୀ ସଂସ୍ଥା ଜରିଆରେ ପଞ୍ଜୀକରଣ କରିଥିଲେ। ୨୦୨୫-୨୬ରେ ଏହି ସଂଖ୍ୟା ୫୦ ହଜାର ୯୧୯ରେ ପହଞ୍ଚିଛି। ବର୍ଷେ ମଧ୍ୟରେ ପଞ୍ଜିକୃତ ଚାଷୀଙ୍କ ସଂଖ୍ୟା ୮୧୦୯ ବଢ଼ିଛି। ଗତବର୍ଷ ୧୩ଟି ଲ୍ୟାମ୍ପସରେ ୨୨ ହଜାର ୯୭୨ଜଣ ପଞ୍ଜୀକରଣ କରିଥିଲେ। ଚଳିତବର୍ଷ ଏହି ସଂଖ୍ୟା ରହିଛି ୨୨ ହଜାର ୨୨୧। ଅର୍ଥାତ୍ ୭୫୧ଚାଷୀ କମିଛନ୍ତି। ଗତବର୍ଷ ୪୪ଟି ଏସଏଚଜିରେ ପଞ୍ଜୀକରଣ କରିଥିଲେ ୧୮ ହଜାର ୨୮୨ଚାଷୀI ଚଳିତ ବର୍ଷ ୨୬ ହଜାର ୫୧୬ ଜଣ ପଞ୍ଜୀକରଣ କରିଛନ୍ତି। ଅର୍ଥାତ୍ ଏସ୍ଏଚଜିରେ ୮୨୩୪ଚାଷୀ ବୃଦ୍ଧି ପାଇଛନ୍ତି । ୨ଟି ପାଣିପଞ୍ଚାୟତରେ ଗତବର୍ଷ ୧ ହଜାର ୫୫୬ଜଣ ପଞ୍ଜୀକରଣ କରିଥିବା ବେଳେ ଚଳିତ ବର୍ଷ୬୨୬ଜଣ ଅଧିକା ୨ହଜାର ୧୮୨ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି।

କୋଷାଗୁମୁଡ଼ାରେ ସର୍ବାଧିକ ଚାଷୀ

ଜିଲ୍ଲାର ଗତବର୍ଷ ତୁଳନାରେ ସର୍ବାଧିକ କୋଷାଗୁମୁଡା ବ୍ଲକରେ ୧୯୭୭ଜଣ ଓ ସର୍ବନିମ୍ନ ନବରଂଙ୍ଗପୁର ପୌରପାଳିକାରେ ୬୭ଜଣ ଚାଷୀ ବୃଦ୍ଧି ପାଇଛନ୍ତି। ଚନ୍ଦାହାଣ୍ଡିରେ ୬୮୩, ଡାବୁଗାଁରେ ୫୨୬, ଝରିଗାଁରେ ୪୩୪, ନବରଙ୍ଗପୁରରେ ୭୧୬, ନନ୍ଦାହାଣ୍ଡିରେ ୪୦୫, ପାପଡାହାଣ୍ଡିରେ ୧୧୧୦,ରାଇଘରରେ ୪୫୪, ତେନ୍ତୁଳିଖୁଣ୍ଟିରେ ୪୪୪, ଉମରକୋଟ ବ୍ଲକରେ ୧୦୪୫,ଓ ଉମରକୋଟ ପୌରପାଳିକାରେ ୨୪୮ ଜଣ ଏଭଳି ୮୧୦୯ଜଣ ଚାଷୀ ବଢ଼ିଛନ୍ତି। ସେହିପରି ଗତ ବର୍ଷ ୩୭୩୬ଜଣ ଭାଗ ଚାଷୀ ରହିଥିବା ବେଳେ ଏବର୍ଷ ୫୨୧୭ଜଣ ରହିଛନ୍ତି। ଭାଗଚାଷୀ ଚଳିତବର୍ଷ ଲ୍ୟାମ୍ପସରେ ୧୨୮୮ଜଣ,ଏସଚଜିରେ ୩୭୧୯ଓ ପାଣି ପଂଚାୟତରେ ୨୧୦ଜଣ ଏଭଳି ସର୍ବମୋଟ ୫୨୧୭ଜଣ ପଞୀକରଣ କରିଛନ୍ତି।

ଆହୁରି ପଢ଼ନ୍ତୁ: Fraud: ପାକ୍ସ ସଂପାଦକ ଗିରଫ, ଗରିବ ଚାଷୀଙ୍କ ଠାରୁ ଆତ୍ମସାତ୍‌ କରିଥିଲେ ଟଙ୍କା

ଭାଗଚାଷୀ ବୃଦ୍ଧି

ଭାଗଚାଷୀ ବି ଚଳିତ ବର୍ଷ ବୃଦ୍ଧି ପାଇଛନ୍ତି। ଏଥିରୁ ମାତ୍ର ୪୬୩ଜଣ ହିଁ  ସେଲ୍ପ ଡିକ୍ଲେରସନ୍ ଫର୍ମ ଦାଖଲ କରିଛନ୍ତି। ଏଥିରୁ ୪୫,୬୮୨ଟି ଯାଂଚ ସମବାୟ ବିଭାଗ କରିସାରିଥିବା ବେଳେ ୫୨୩୭ଟି କରିବାର ବାକି ରହିଛି ବୋଲି  ଜିଲ୍ଲା ଯୋଗାଣ ଅଧିକାରୀ ଦେବାଶିଷ ମହାନ୍ତି ଓ ଡିଆରସିଏସ୍ ସଦାନନ୍ଦ ବେହେରା କହିଛନ୍ତି। ଏସଏଚଜିରେ ଚାଷୀ ପଂଜୀକରଣ ବୃଦ୍ଧି ଓକାର୍ଯ୍ୟକଳାପକୁ ସନ୍ଦେହ କରି ସାଂସଦ ଓଅନ୍ୟ ବିଧାୟକଙ୍କ ଦାବି ମୁତାବକ , ଏସଏଚଜିର ଯାଂଚ ୭ଦିନ ମଧ୍ୟରେ ବିଡିଓ ମାନେ କରିବେ ବୋଲି ଜିଲ୍ଲାପାଳ କହିଥିଲେ। ତେବେ ଚାଷୀ ସଂଖ୍ୟା ଓ ଭାଗ ଚାଷ ବୃଦ୍ଧି କିଭଳି ହୋଇଛି ତାହାର ବି ଯାଂଚ ହେଉ ବୋଲି ମନ୍ତ୍ରୀ ପ୍ରତିନିଧି କାହ୍ନୁ ଦାସ ଦାବି କରିଛନ୍ତି। 

ଆହୁରି ପଢ଼ନ୍ତୁ: River in danger: ବିପଦରେ ନଈ: ମରିମରି ଯାଉଛି ଡେମ୍ପାନାଳ, ବର୍ଷର ୧୦ ମାସ ଶୁଖିଲା, ଚାଷୀ ନିରାଶ