ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ଦଳବେଡା କନ୍ୟାଶ୍ରମରେ ବିସ୍କୁଟ ଖାଇ ୩୦ରୁ ଉର୍ଦ୍ଧ ଛାତ୍ରୀ ଅସୁସ୍ଥ ହୋଇଥିବା ଜଣାପଡିଛି। ସଂଧ୍ୟା ବେଳେ ସବୁ ଦିନ ଭଳି ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ବିସ୍କୁଟ ଦିଆଯାଇଥିଲା। ବିସ୍କୁଟ ଖାଇବା ପରେ ଛାତ୍ରୀ ମାନଙ୍କର ବାନ୍ତି ହେବା ସହ ମୁହଁ ବୁଲା ହୋଇଥିଲା। ଦଳବେଡା ସ୍କୁଲ ଚନ୍ଦାହାଣ୍ଡି ଠାରୁ ୨୫ କିମି ଦୂରରେ ଥିବାରୁ ସ୍କୁଲ ପକ୍ଷରୁ ୨ଟି ବଲେରୋ, ଗୋଟିଏ ଅଟୋ ଓ ୧୦୮ ଆମ୍ବୁଲାନସ ଯୋଗେ ଅସୁସ୍ଥ ଛାତ୍ରୀ ମାନଙ୍କୁ ଚନ୍ଦାହାଣ୍ଡି ମେଡିକାଲରେ ଆଣି ଭର୍ତ୍ତି କରିଥିଲେ। ତେବେ ମେଡିକାଲରେ ଏତେ ସଂଖ୍ୟକ ଛାତ୍ରୀ ମାନେ ଚିକିତ୍ସା ହେବା ପାଇଁ ବେଡ୍ ବ୍ୟବସ୍ଥା ନଥିବାରୁ ଗୋଟିଏ ଗୋଟିଏ ବେଡରେ ୨ ଜଣ ଲେଖାଏଁ ଛାତ୍ରୀ ଚିକିତ୍ସା କରାଯାଇଥିବା ଜଣାପଡିଛି। ମେଡିକାଲରେ ଡା.ବିଜୟ ଲକ୍ଷ୍ମୀ ପ୍ରଧାନ ଜଣେ ମାତ୍ର ସମସ୍ତ ଛାତ୍ରୀଙ୍କୁ ଚିକିତ୍ସା କରିଥିଲେ। ଖବର ପାଇ ଚନ୍ଦାହାଣ୍ଡି ବିଡିଓ ଦେବେନ୍ଦ୍ର କୁମାର ବଳ, ଥାନା ଅଧିକାରୀ ଅଭୟ କୁମାର ବେହେରା ପ୍ରମୁଖ ମେଡିକାଲରେ ପହଞ୍ଚି ଛାତ୍ରୀ ମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି। ସ୍କୁଲର ପ୍ରଧାନ ଶିକ୍ଷକ ଏ ସଂକ୍ରାନ୍ତରେ ଜିଲ୍ଲା ମଙ୍ଗଳ ଅଧିକାରୀ ପବିତ୍ର ମୋହନ ପ୍ରଧାନଙ୍କୁ ଜଣାଇଥିଲେ। ଜିଲ୍ଲା ମଙ୍ଗଳ ଅଧିକାରୀ ଚନ୍ଦାହାଣ୍ଡି ମେଡିକାଲ ଅଧିକାରୀଙ୍କୁ ଛାତ୍ରୀ ମାନଙ୍କୁ ଚିକିତ୍ସା ନେଇ ଫୋନ ଯୋଗେ ପଚାରି ବୁଝିଛନ୍ତି। ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ମଧ୍ୟ ଛାତ୍ରୀମାନଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଡାକ୍ତରଙ୍କୁ ଫୋନ କରି ବୁଝିଥିବା ଜଣାପଡିଛି।
Advertisment

Sambad is now on WhatsApp
Join and get latest news updates delivered to you via WhatsApp