ନବରଙ୍ଗପୁର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କୁ ଝଟ୍‌କା: ଭୋଟର୍‌ ତାଲିକାରେ ନାଁ ନାହିଁ, ପ୍ରାର୍ଥିପତ୍ର ଦାଖଲ କରିପାରିଲେନି

ବିଜେଡି ପ୍ରାର୍ଥୀ ଭାବେ ଜିଲ୍ଲା ପରିଷଦ ଲଢ଼ିଥା’ନ୍ତେ

ନବରଙ୍ଗପୁର : ଭୋଟର ତାଲିକାରେ ନାଁ ନଥିବାରୁ ପ୍ରାର୍ଥିପତ୍ର ଦାଖଲରୁ ବଞ୍ଚି‌ତ ହୋଇଛନ୍ତି ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ମଞ୍ଜୁଳା ମାଝୀ। ନବରଙ୍ଗପୁର ବ୍ଲକ ଜୋନ-୨ର ଜିଲ୍ଲାପରିଷଦ ସଭ୍ୟ ଭାବେ ବିଜେଡି ପକ୍ଷରୁ ମଞ୍ଜୁଳାଙ୍କୁ ଦଳୀୟ ଟିକେଟ ପ୍ରଦାନ କରାଯାଇଥିଲା। ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିବାକୁ ଯାଇଥିବେଳେ ଭୋଟର୍‌ ତାଲିକାରେ ତାଙ୍କର ନାଁ ନଥିବା ଜଣାପଡ଼ିଥିଲା। ଫଳ‌ରେ, ତାଙ୍କୁ ନିରାଶ ହେବାକୁ ପଡ଼ିଛି।

ଗତକାଲି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମଞ୍ଜୁଳା ପ୍ରାର୍ଥିପତ୍ର କିଣିଥିଲେ। ଶୁକ୍ରବାର ଦିନ ନିର୍ଦ୍ଧାରତ ଫର୍ମରେ ଭୋଟ କ୍ରମିକ ନମ୍ବର ପୂରଣ ବେଳେ ଭୋଟର ତାଲିକାରେ ତାଙ୍କ ନାଁ ନଥିବା ଦେଖିବାକୁ ପାଇଥିଲେ। ଏହା ଦେଖି ସେ ଆଶ୍ଚର୍ଯ୍ୟାନ୍ବିତ ହୋଇଯାଇଥିଲେ। ଉମରକୋଟ ବ୍ଲକ ବଡଭରଣ୍ଡି ପଞ୍ଚାୟତର ଭୋଟର ଭାବେ ତାଙ୍କ ନିକଟରେ ଭୋଟର ପରିଚୟପତ୍ର ରହିଛି। କିନ୍ତୁ ତାଙ୍କ ନାମ ଭୋଟର ତାଲିକାରୁ କିଭଳି ବାଦ୍‌ ପଡ଼ିଲା, ତାହା ତାଙ୍କ ଜ୍ଞାତସାର ବାହାରେ ଥିଲା। ତେବେ, ଦଳୀୟ ଟିକେଟ୍‌ ମିଳିବା ସ‌ତ୍ତ୍ବେ ବି ପ୍ରାର୍ଥିପତ୍ର ଦାଖଲ କରିପାରିନଥିଲେ। ଫଳରେ, ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା।

ମଞ୍ଜୁଳା ୨୦୦୨ମସିହାରୁ ରୁ ୨୦୦୭ମସିହା ପର୍ଯ୍ୟନ୍ତ କଂଗ୍ରେସ ପ୍ରାର୍ଥୀ ଭାବେ ନବରଙ୍ଗପୁର ଜିଲ୍ଲାପରିଷଦ ଅଧ୍ୟକ୍ଷା ହୋଇଥିଲେ। ନବରଙ୍ଗପୁର ବ୍ଲକ ଜୋନ-୨ ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବାରୁ ଉକ୍ତ ଜୋନ୍‌ ପାଇଁ ତାଙ୍କୁ ବିଜେଡି ପକ୍ଷରୁ ଟିକେଟ୍ ପ୍ରଦାନ କରାଯାଇଥିଲା। ଆଜି ସେ ପ୍ରାର୍ଥିପତ୍ର ଦାଖଲ କରିଥା’ନ୍ତେ। କିନ୍ତୁ ‌ଭୋଟର ତାଲିକାରେ ମଞ୍ଜୁଳାଙ୍କ ନାଁ ନଥିବାରୁ ଆଜି ବିଜେଡି ପକ୍ଷରୁ ଏହି ଜୋନ୍‌ ପାଇଁ ପରିଜା ଭତରାଙ୍କୁ ଦଳୀୟ ଟିକେଟ ପ୍ରଦାନ କରାଯାଇଥିଲା। ଆଜି ପରିଜା ଭତରା ପ୍ରାର୍ଥିପତ୍ର ଦାଖଲ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର