ନବରଙ୍ଗପୁର କଲେଜ ଅଧ୍ୟକ୍ଷଙ୍କୁ ଘେରିଲା ବିଜେପି

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ୪୮ ବର୍ଷର ସର୍ବପୁରାତନ ନବରଙ୍ଗପୁର ମହାବିଦ୍ୟାଳୟ ନାନା ସମସ୍ୟା ଦେଇ ଗତି କରୁଛି। ଆଉ ଦୁଇ ବର୍ଷ ପରେ ସ୍ବର୍ଣ୍ଣ ଜୟନ୍ତୀ ପାଳନ କରିବ। କିନ୍ତୁ ଏପଯର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସରକାରୀ ହୋଇପାରି ନାହିଁ। କଲେଜର ଭିତ୍ତିଭୂମି ବି ସୁଦୃଢ଼ ହୋଇପାରୁନାହିଁ। ଗତ ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀ ଏହି ମହାବିଦ୍ୟାଳୟକୁ ସରକାରୀ ଘୋଷଣା କରିବେ ବୋଲି ଆଲୋଚନା ହୋଇଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ଭିତ୍ତିଭୂମି ପାଇଁ ଦେଢ କୋଟି ଟଙ୍କା ଅନୁଦାନ ଘୋଷଣା କରିବା ପରେ ସରକାରୀ ମାନ୍ୟତା ମଉଳି ଯାଇଥିଲା। ସରକାରୀ ଅନୁଦାନ କହିଲେ କିଛି ନାହିଁ। ତେଣୁ ପିଲାଙ୍କ ଡୋନେସନ ଅର୍ଥରେ ଚାଲିଛି ଏହି ମହାବିଦ୍ୟାଳୟ। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ଆଜି କଲେଜର ବିଭିନ୍ନ ସମସ୍ୟାର ସମାଧାନ ନେଇ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କଲେଜ ଅଧ୍ୟକ୍ଷଙ୍କୁ ଘେରାଉ କରିଥିଲେ। ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଦେଢ଼ କୋଟି ଟଙ୍କା ନେଇ ଆଲୋଚନା କରିଥିଲେ। ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁ କହିବା ଅନୁଯାୟୀ ଗତ ଜାନୁଆରିରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନବରଙ୍ଗପୁର ମହାବିଦ୍ୟାଳୟକୁ ଏକ ଚିଠି ଆସିଥିଲା। ଉକ୍ତ ଚିଠିରେ କଲେଜର ଭିତ୍ତିଭୂମି ବିକାଶ ପାଇଁ ଦେଢ଼ କୋଟି ଟଙ୍କା ଦିଆଯାଇଥିବା ଏବଂ ଅନୁରୂପ ଭାବେ କଲେଜକୁ ୩୦ ପ୍ରତିଶତ ଅର୍ଥ ଅର୍ଥାତ ୪୫ ଲକ୍ଷ ଟଙ୍କା ପୈଠ କରିବା ପାଇଁ କୁହାଯାଇଥିଲା। ତେବେ ଏଯାବତ ଅନୁଦାନ ଆସିନାହିଁ। କିନ୍ତୁ ଆସନ୍ତା ମାର୍ଚ୍ଚ ସୁଦ୍ଧା ୟୁସି ଦାଖଲ କରିବା ପାଇଁ ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି।

ଅପର ପକ୍ଷରେ ସରକାରଙ୍କ ୧.୫୦କୋଟି ଟଙ୍କା ଅନୁଦାନ କଲେଜ ଆକାଉଣ୍ଟକୁ ଆସେ, ତେବେ କଲେଜ ପକ୍ଷରୁ ୪୫ଲକ୍ଷ ଟଙ୍କା ଡିପୋଜିଟ କରିବା ପାଇଁ ପ୍ରସ୍ତୁତ ରହିଥିବା ଅଧ୍ୟକ୍ଷ କହିଛନ୍ତି। ଉକ୍ତ ସମସ୍ତ ଅର୍ଥ ପୂର୍ତ୍ତ ବିଭାଗକୁ ଦେବା ପାଇଁ ଉଲ୍ଲେଖ ରହିଛି। ଉକ୍ତ ଅନୁଦାନରେ କଲେଜରେ ଗୋଟିଏ ୨ ମହଲା ବିଶିଷ୍ଟ କୋଠା ହେବ। ସେଥିରେ ତଳେ ପ୍ରଶାସନିକ କକ୍ଷ ଏବଂ ଉପରେ ଅଡିଟୋରିୟମ କରାଯିବ। ଏହାବ୍ୟତୀତ ୪ଟି ଲେବୋରେଟୋରୀ ଏବଂ ୨ଟି ଶ୍ରେଣୀ ଗୃହ ନିର୍ମାଣ କରିବା ପାଇଁ ନିଷ୍ପତି ନିଆଯାଇଛି ବୋଲି ଅଧ୍ୟକ୍ଷ କହିଥିଲେ। ତେବେ ଏହାକୁ ନେଇ ବିଜେପି ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ କରାଯାଇଥିଲା। କଲେଜର ବିଭିନ୍ନ ସମସ୍ୟା ନେଇ ଅଧ୍ୟକ୍ଷଙ୍କୁ ଅବଗତ କରାଯାଇଥିଲା। ଅଧ୍ୟକ୍ଷ କହିଥିଲେ ଯେ ପିଲା ମାନଙ୍କ ଠାରୁ ଆଦାୟ ହେଉଥିବା ଡନେସନରେ ପରିଚାଳନା କମିଟି ପକ୍ଷରୁ ନିୟୋଜିତ ହୋଇଥିବା କର୍ମଚାରୀଙ୍କୁ ଦରମା ବାବଦରେ ବର୍ଷକୁ ପ୍ରାୟ ୪୦ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ବଳକା ଅର୍ଥରେ କିଛି କିଛି ଉନ୍ନୟନ ମୂଳକ କାର୍ଯ୍ୟ କରାଯାଉଛି। ତେବେ ୧୦ ବର୍ଷ ହେଲା ପରିଚାଳନା ବୈଠକ ବସିନାହିଁ। ପରିଚାଳନା କମିଟି ଗଠନ ପାଇଁ କଲେଜର ସଭାପତି ତଥା ବିଧାୟକ ତାଙ୍କର ୪ ଜଣ ମନୋନୀତ ସଭ୍ୟ ଦେଇନଥିବାରୁ ଏହି କମିଟି ଗଠନ ହେବାରେ ବିଳମ୍ବ ହେଉଛି ବୋଲି ଅଧ୍ୟକ୍ଷ ପ୍ରଫୁଲ କୁମାର ସାହୁ କହିଥିଲେ। କଲେଜର କଳା ବର୍ଗର କୋଠା ଅସୁରକ୍ଷିତ ବୋଲି ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ପାଢ଼ୀ ଥିବା ବେଳେ ଘୋଷଣା କରାଯାଇଥିଲା। ତେବେ ଆବଶ୍ୟକ କୋଠା ନଥିବାରୁ ବାଧ୍ୟ ହୋଇ ଛାତ୍ରଛାତ୍ରୀ ବିପଦ ସଙ୍କୁଳ କୋଠାରେ ବସି ପାଠ ପଢ଼ୁଛନ୍ତି। ଗତ ୨ ବର୍ଷ ମଧ୍ୟରେ କଲେଜ ପକ୍ଷରୁ ୩୨ ଲକ୍ଷ ଟଙ୍କା ବ୍ୟୟରେ ୨ଟି ଶ୍ରେଣୀ ଗୃହ ନିର୍ମାଣ ହୋଇଥିବା ବେଳେ ଏବେ ପୁଣି ଆଇଟିଡିଏ ଦ୍ବାରା ୨୯ଲକ୍ଷ ବ୍ୟୟରେ ୨ଟି ଶ୍ରେଣୀ ଗୃହ ନିର୍ମାଣ ଚାଲିଛି। ତେବେ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ପୂର୍ତ୍ତ ବିଭାଗ ରହିଥିଲେ ମଧ୍ୟ କାହା ସ୍ବାର୍ଥରେ ଆଇଟିଡିଏକୁ ଅର୍ଥ ଦିଆଗଲା ବୋଲି କିଛି ନେତା ପ୍ରଶ୍ନ କରିଥିଲେ।
ସୂଚନା ଥାଉକି, ଏହି କଲେଜରେ ଯୁକ୍ତ ୨ ଓ ଯୁକ୍ତ ୩ ବର୍ଗର କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ୩ ହଜାର ୫ଶହ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। କିନ୍ତୁ ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ନାହାନ୍ତି। ଗତ ସେପ୍ଟେମ୍ବରରେ ସରକାରଙ୍କ ପକ୍ଷରୁ ୧୮ ଜଣ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ସେଥି ମଧ୍ୟରୁ ୫ ଜଣ ବଦଳି ହୋଇ ଅନ୍ୟତ୍ର ଚାଲିଗଲେ। ବର୍ତ୍ତମାନ ୫୦ ଜଣ ଅଧ୍ୟାପକ ରହିଥିବା ବେଳେ ୮ଟି ପଦବି ଖାଲି ପଡିଛି। ଚଳିତ ଡିସେମ୍ବର ମାସ ସୁଦ୍ଧା ପ୍ରାୟ ୧୩ ଜଣ ଅଧ୍ୟାପକ ଅବସରଗ୍ରହଣ କରିବେ। ତେବେ ବଳକା ଅଧ୍ୟାପକଙ୍କୁ ନେଇ କିପରି ଶିକ୍ଷାଦାନ ଚାଲିବ ତାହାକୁ ନେଇ ପ୍ରଶ୍ନ କରିଥିଲେ। ଅପର ପକ୍ଷରେ ଏହି କଲେଜକୁ ସରକାରୀ ମାନ୍ୟତା ପାଇଁ ସମସ୍ତ ରାଜନେତା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ନବରଙ୍ଗପୁର କଲେଜକୁ ଗତ ୫ ବର୍ଷ ମଧ୍ୟରେ ବିଧାୟକ କିମ୍ବା ସାଂସଦ ପାଣ୍ଠିରୁ ଟଙ୍କାଟିଏ ବି ଅନୁଦାନ ମିଳିନଥିବା ବେଳେ ଉମରକୋଟ କଲେଜକୁ କିନ୍ତୁ ଉଭୟ ବିଧାୟକ ଓ ସାଂସଦ ପ୍ରାୟ ୭୦ଲକ୍ଷ ଟଙ୍କା ଅନୁଦାନ ଦେଇଥିବା ବିଜେପି ଅଭିଯୋଗ କରିଛି। ତେବେ ଆଗାମୀ ସାଧାରଣ ନିର୍ବାଚନରେ ନବରଙ୍ଗପୁର କଲେଜକୁ ସମ୍ପୂର୍ଣ୍ଣ ସରକାରୀ ଘୋଷଣା ଏକ ମୁଖ୍ୟ ପ୍ରସଙ୍ଗ ରହିବ ଏଥିରେ ସନ୍ଦେହ ନାହିଁ। ବିଜେପିର ଏହି ଘେରାଉରେ ଯୁବ ନେତା ଗୌରୀ ମାଝୀ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି କାହ୍ନୁ ଦାସ, ବୁଲୁ ତ୍ରିପାଠୀ, ମୃତ୍ୟୁଞ୍ଜୟ ଦାସ, ମୃତ୍ୟୁଞ୍ଜୟ ମହାରଣା, ସଂଜୀବ ନନ୍ଦ, ଶ୍ରୀଧର ପାତ୍ର, ଏମ.ପ୍ରଶାନ୍ତ, ସରୋଜ ବେହେରା, ସାନୁ ପାଢ଼ୀ, ଶିଲୁ, ମଧୁ ପ୍ରମୁଖ କଲେଜକୁ ଯାଇ ଅଧ୍ୟକ୍ଷଙ୍କ ସହ କଲେଜର ସମସ୍ୟା ନେଇ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର