ନବରଙ୍ଗପୁର (ସୁରେଶ ନାଇଡୁ): ୧୯୩୨ମସିହାରେ ସହର ମଧ୍ୟରେ ବ୍ରିଟିଶ ସରକାର ସ୍ଥାପନ କରିଥିଲେ ଜେଲ୍। ଏହା ଏତେ ବଡ଼ ଥିଲା ଯେ ଦୁଇଟି ପାର୍ଶ୍ବରେ ତତ୍କାଳୀନ ସରକାର ଦୁଇଟି ତହସିଲ ଓ ଜିଲ୍ଲା ଟ୍ରେଜରି ଖୋଲିଥିଲେ। ସମ୍ମୁଖ ଭାଗରେ ୧୯୩୬ମସିହାରେ ଆରମ୍ଭ ହୋଇଥିଲା ତହସିଲ। ଅବିଭକ୍ତ କୋରାପୁଟ ଜିଲ୍ଲାର ପୁରୁଣା ତହସିଲ କାର୍ଯ୍ୟାଳୟ ଏଠାରେ ଚାଳୁଥିଲା। ଏବେ ବି ଏଠାରେ ହିଁ ଚାଳୁଛି। ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ଚାଳିଛି। ନୂଆ ସ୍ଥାନରେ ନୂଆ ତହସିଲପାଇଁ ଜମି ଖୋଜା ଆରମ୍ଭ ହୋଇଛି।

Advertisment

୧୯୩୬ମସିହାରେ ବ୍ରିଟିଶ ଜେଲ୍‌ରେ ତହସିଲ କାର୍ଯ୍ୟକାରୀ ହୋଇଥିଲା। ଜରାଜୀର୍ଣ୍ଣ ଅବସ୍ଥାକୁ ପଳାଇ ଆସିଥିଲା। ୨୦୧୫ମସିହାରେ ଏହାର କିଛି ପୁନଃଉଦ୍ଧାର କରାଯାଇଥିଲା। ଚଟାଣ ଗୁଡିକରେ ପ୍ଲେଟ୍ ପକାଯାଇଥିଲା। ଟିଣ ଉପରେ ଥିବା ଝିଙ୍କର ସବୁ ହଟାଯାଇ ସିମେଣ୍ଟର ବଦୁ ପକାଯାଇଥିଲା। ଅଳ୍ପ କିଛି ରୁମର ପଲସ୍ତର ଛଡାଇ ନୂଆରେ ପଲସ୍ତର କରାଯାଇଥିଲା। ଧୀରେଧୀରେ ଏବେ ତହସିଲ କାର୍ଯ୍ୟାଳୟର ଅବସ୍ଥା ଶୋଚନୀୟ ହେବାରେ ଲାଗିଛି। ବେଶି ବର୍ଷା ହେଲେ ଗଳୁଛି। ପୁରୁଣା ଜେଲ୍‌ର ବଡ ରୁମ ଗୁଡିକରେ କାର୍ଯ୍ୟାଳୟ ଖୋଲାଯାଇଛି। ଛୋଟ ଛୋଟ ଜେଲ ରୁମକୁ ଷ୍ଟୋର ରୁମ କରାଯାଇଛି। କେଉଁଟି ରେକର୍ଡ ତ ଆଉ କେଉଁଟି ଅନ୍ୟ ଆସବାବପତ୍ର ରଖାଯାଇଛି। ଏହାରି ମଧ୍ୟରେ ବହୁ ରୁମର ପଲସ୍ତର ବି ଛାଡିବାରେ ଲାଗିଛି। କିଛି ରୁମର ଚଟାଣର ପ୍ଲେଟ ତିଆରି କରାଯାଇ ନଥିବାରୁ ଚଟାଣରୁ ବି ସବୁ ବାହାରି ଆସିଲାଣି।

ଅତିରିକ୍ତ ତହସିଲଦାରଙ୍କ ରୁମ ପାର୍ଶ୍ବ ରେକର୍ଡ ରୁମର ଅବସ୍ଥା ନ କହିବା ଭଲ। ଏ‌ବେ ଏହି ରୁମ କେତେବେଳେ ବି ପଡ଼ିଯିବାର ସମ୍ଭାବନାକୁ ଏଡାଇ ହେବନି। ତହସିଲର ଟିଣ ଉପରେ ଲତାବୁଧା ଉଠିଲାଣି। ଟିଣ ସବୁ କଳଙ୍କି ଖାଇ ନଷ୍ଟ ହୋଇଥିବାରୁ ସେ ସବୁ ଉପାଡିବାକୁ ଟିଣ ଉପରକୁ ଗଲେ କେତେବେଳେ ଗୁଣ୍ଡ ହେବା ସମ୍ଭାବନାକୁ ଏଡାଇ ହେବନି। ବର୍ଷା ହେଲେ କର୍ମଚାରୀମାନେ ଏହା ମଧ୍ୟରେ ବସି ରହି କାମ କରିବାକୁ ବି ଭୟଭୀତ ରହୁଛନ୍ତି। ଜିଲ୍ଲା ସଦରମହକୁମାରେ ଥିବା ତହସିଲ କାର୍ଯ୍ୟାଳୟର ଅବସ୍ଥା ଯଦି ଏଭଳି ଅନ୍ୟ ପୁରୁଣା ତହସିଲ କୋଠା ଗୁଡିର ଅବସ୍ଥା କିଭଳି ରହିଥିବ ତାହା ସହଜେ ଅନୁମେୟ।

ତହସିଲକୁ ଲାଗି ରହିଥିବା ବ୍ରୀଟିଶ ଅମଳର ଜେଲର କିଛି ଭାଗ ସେଭଳି ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି। ଏହା ପରିସରରେ ବିଭିନ୍ନ ବିଷାକ୍ତ ଜୀବଜନ୍ତୁ ସହ ସାପ ବସା ବାନ୍ଦିଥିବା କହିଛନ୍ତି କର୍ମଚାରୀ। ଜେଲ  ପାଚେରୀ କାନ୍ଥ ସହ ତହସିଲକାର୍ଯ୍ୟାଳୟର କାନ୍ଥ ସଂଲଗ୍ନ ରହିଛି। ପୁରୁଣା ଜେଲ କାନ୍ଥ ଖରା, ଶୀତ ଓ ବର୍ଷାରେ ସେଭଳି ଖୋଲା ମେଳା ରହି ସବୁ ଇଟା ନଷ୍ଟ ହୋଇଗଲାଣି। ଜେଲର କାନ୍ଥ ଯଦି ଥରେ ଭୁଶୁଡ଼ିଗଲେ ତହସିଲର ପଛ ପାଖରେ ଚାଳିଥିବା ବହୁ ବିଭାଗ ସହ ଷ୍ଟୋର ରୁମର କାନ୍ଥ ବି ଭାଙ୍ଗିଯିବ। ଦୁଇ ଦିନ ‌ତଳେ ହୋଇଥିବା ଜିଲ୍ଲାସ୍ତରୀୟ ରାଜସ୍ବ ବୈଠକରେ ପୁଣି ନୂଆ ସ୍ଥାନ ଚୟନ କରି ସେଠାରେ ତହସିଲ କାର୍ଯ୍ୟାଳୟ ଆରମ୍ଭ କରିବାକୁ ଆଲୋଚନା ହୋଇଥିଲା।

ନବରଙ୍ଗପୁର ଆରଆଇ (ରାଜସ୍ବ ନିରୀକ୍ଷକ)ଙ୍କୁ ସହରକୁ ଲାଗି ରହିଥିବା ଭଳି ଏକର ଜମି ଖୋଜି ବାହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ତହସିଲଦାର କୁଶ ଗରଡ଼ା। ଜମି ଚିହ୍ନଟ ପରେ ନୂଆ କୋଠା ପାଇଁ ଡିପିଆର ଓ ଡିଜାଇନ୍ ଆଦି ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ଅନୁମୋଦନ କରି ଅନୁଦାନ ଦେବା ପାଇଁ ଜିଲ୍ଲାପାଳ ଅନୁରୋଧ କରିବେ ବୋଲି କହିଛନ୍ତି ତହସିଲଦାର। 

Nabarangpur