ଜିଲ୍ଲା ଟାସ୍କଫୋର୍ସ ବୈଠକରେ ନିଷ୍ପତ୍ତି : ନବରଙ୍ଗପୁର ଓ ଉମରକୋଟ ସହର ଲକ୍-ଡାଉନ୍

ନବରଙ୍ଗପୁର: ଆଜି ଜିଲ୍ଲା ଟାସ୍କଫୋର୍ସ ବୈଠକରେ ନବରଙ୍ଗପୁର ଜିଲ୍ଲାର ଦୁଇଟି ସହର ନବରଙ୍ଗପୁର ଓ ଉମରକୋଟକୁ ଲକ୍-ଡାଉନ୍ କରିବାକୁ ନିଷ୍ପତ୍ତି ହୋଇଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ଏହି ବୈଠକରେ ପ୍ରଥମେ ଜିଲ୍ଲାର ଏହି ଦୁଇ ସହରକୁ ଲକ୍-ଡାଉନ୍ କରିବା ନିଷ୍ପତ୍ତି ହୋଇଛି। ଏହି ଦୁଇ ସହରକୁ ବାହାରୁ ଲୋକ ଆସୁଥିବାରୁ ଏବଂ ଏଠାରୁ ବାହାରକୁ ଲୋକ ଯାଉଥିବାରୁ ପ୍ରତିଷେଧମୂଳକ ବ୍ୟବସ୍ଥା ଭାବେ ଏହି ପଦକ୍ଷେପ ନିଆଯାଇଛି। ଆସନ୍ତା ୨୯ ତାରିଖ ରାତି ୯ ଟା ପର୍ଯ୍ୟନ୍ତ ଏହି ଲକ୍-ଡାଉନ୍ ବଳବତ୍ତର ରହିବ।

ଆଜି ସକାଳେ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ସହରକୁ ମଧ୍ୟ ତାଲାବନ୍ଦ ଘୋଷଣା କରାଯାଇଛି। ଏହି ସହରରେ ୨୯ ତାରିଖ ରାତି ୯ ଟା ପର୍ଯ୍ୟନ୍ତ ବନ୍ଦ ରହିବ। ଗତକାଲି ରାଜ୍ୟସରକାର ୫ ଜିଲ୍ଲା ଓ ୮ ସହରକୁ ଲକ୍-ଡାଉନ୍ କରିଥିଲେ।

ଲୋକେ ଏହି ସମୟରେ ଘରେ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଅତ୍ୟନ୍ତ ଜରୁରୀ କାର୍ଯ୍ୟ ନ ହେଲେ ଘରୁ ବାହାରିବାକୁ ବାରଣ କରାଯାଇଛି। ତାଲାବନ୍ଦ ବେଳେ ଆଜି ଔଷଧ, ଅତ୍ୟାବଶ୍ୟକୀୟ ସାମଗ୍ରୀ, ତେଜରାତି ସାମଗ୍ରୀ, ମାଛ, ମାଂସ, ଅଣ୍ଡା, କୁକୁଡ଼ା, ପନିପରିବା, ପେଟ୍ରୋଲ, ଗ୍ୟାସ୍ ପ୍ରଭୃତି ଦୋକାନ ଖୋଲା ରହିଛି। ତେବେ ଅନ୍ୟାନ୍ୟ ଦୋକାନ ବଜାର ବନ୍ଦ ରହିଛି।

ସମ୍ବନ୍ଧିତ ଖବର