ଗତ ବନ୍ୟାରେ ଦବିଗଲା କଲଭର୍ଟ, ଅଞ୍ଚଳବାସୀ ହଇରାଣ

ତେନ୍ତୁଳିଖୁଣ୍ଟି: ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳଗୁମ୍ମା-ହିର୍ଲିମୁଣ୍ଡା ରାସ୍ତାରେ ଥିବା ଏକ କଲଭର୍ଟଟି ଗତବର୍ଷ ବନ୍ୟା ସମୟରେ ଦବି ଯାଇଥିଲା। ତେବେ ଏହି କଲଭର୍ଟକୁ ମରାମତି କରିବା କିମ୍ବା ନୂତନ କଲଭର୍ଟ ନିର୍ମାଣ ନିମନ୍ତେ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯାଉନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କଲଭର୍ଟଟି ଦବି ଯିବା ଯୋଗୁଁ ଏହି ରାସ୍ତା ଦେଇ ଚାରି କିମ୍ବା ତିନି ଚକିଆ ଯାନବାହନ ଯାତାୟତ କରିପାରୁନି। ଫଳରେ ଅଞ୍ଚଳବାସୀ ଜରୁରିକାଳୀନ ସମୟରେ ବହୁ ହଇରାଣ ହେଉଛନ୍ତି।
ଅଞ୍ଚଳଗୁମ୍ମା ମୁଖ୍ୟ ଛକ ତଥା ବିଦ୍ୟାଳୟ ନିକଟସ୍ଥ ରାସ୍ତା ଦେଇ ହିର୍ମିମୁଣ୍ଡା ଗାଁକୁ ଏକ ରାସ୍ତା ନିର୍ମାଣ ହୋଇଛି। ଏହି ରାସ୍ତାର ଦୂରତା ପ୍ରାୟ ୩କିଲୋମିଟର ହେବ। ଏହି ରାସ୍ତାର ମଝିରେ ଜଳ ନିଷ୍କାସନ ପାଇଁ ଏକ କଲଭର୍ଟ ନିର୍ମାଣ ହୋଇଛି। ଏହି ରାସ୍ତା ଦେଇ ପ୍ରତିଦିନ ଶତାଧିକ ଲୋକ ଯାତାୟତ କରନ୍ତି। ତେବେ ଗତବର୍ଷ ବନ୍ୟା ଯୋଗୁଁ ଏହି କଲଭର୍ଟର ଉଭୟ ପାର୍ଶ୍ୱର ଗାର୍ଡଓ୍ଵାଲ ଭାଙ୍ଗିଯିବା ସହ କଲଭର୍ଟ ଦବି ଯାଇଥିଲା। ସେହିପରି ଏହି ସ୍ଥାନରେ ଏକ ବିରାଟ ଖାଲ ମଧ୍ୟ ସୃଷ୍ଟି ହୋଇଛି। ଏହାପର ଠାରୁ ଏହି ରାସ୍ତା ଦେଇ ଚାରି ଓ ତିନି ଚକିଆ ଯାନବାହନ ଯାତାୟତ କରୁନଥିବାରୁ ଲୋକେ ଦୁଇ ଚକିଆ ଯାନ ଦ୍ୱାରା ଯାତାୟତ କରୁଛନ୍ତି। ଅଞ୍ଚଳବାସୀ ମୁଖ୍ୟତଃ ଚାଷ ଉପରେ ନିର୍ଭର କରି ଚଳୁଥିବା ବେଳେ ଏହି ରାସ୍ତା ଦେଇ ଟ୍ରାକ୍ଟର ଯାତାୟତ କରୁନଥିବାରୁ ବିିଭିନ୍ନ ସମସ୍ୟା ଦେଖାଦେଉଥିବା ଅଭିଯୋଗ ହୋଇଛି। ତେଣୁ ତୁରନ୍ତ ଏକ କଲଭର୍ଟ ନିର୍ମାଣ ସହ ଏହି ରାସ୍ତାକୁ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ସାମିଲ କରିବାକୁ ଅଞ୍ଚଳର ଶରତ ମିଶ୍ର, ବିକାଶ ଚୌଧୁରୀ, ଅବନି ମିଶ୍ର, ଅମୂଲ୍ୟ ମିଶ୍ର, ବୀରୁ ଚୌଧୁରୀ, ବାବୁଲା ସାବତ ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର