ଝରିଗାଁ: ନବରଙ୍ଗପୁରଜିଲ୍ଲା ଝରିଗାଁ ବ୍ଲକ ଫୁଫୁଗାଁ ପଞ୍ଚାୟତ ଅନ୍ତର୍ଗତ ଡେଙ୍ଗାଗୁଡ଼ା ଗ୍ରାମର ଜଣେ ଦାଦନ ଶ୍ରମିକ ହାଇଦ୍ରାବାଦ ଠାରେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ଜଣାପଡିଛି।

Advertisment

ସୂଚନା ପ୍ରକାରେ ଡେଙ୍ଗାଗୁଡ଼ା ଗ୍ରାମର ବନସିଂ ଗଣ୍ଡଙ୍କ ପୁଅ ନୀଳ ଗଣ୍ଡ(୨୨) ଗ୍ରାମର କିଛି ଲୋକଙ୍କ ସହ ମିଶି କିଛି ମାସ ତଳେ ଦାଦନ ଖଟିବା ପାଇଁ ହାଇଦ୍ରାବାଦସ୍ଥିତ ଚିଙ୍ଗୁଡ଼ି କମ୍ପାନିକୁ ଯାଇଥିଲେ।

ତେବେ ଗତକାଲି ଦିନ ୧୦ ଘଣ୍ଟା ସମୟରେ ଚିଙ୍ଗୁଡ଼ି ଘେରରେ ଯିବା ଆସିବା ରାସ୍ତା ସଫା କରିବା ପାଇଁ ଘାସ କାଟୁଥିଲେ। ଘାସ କାଟିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇ ଯାଇଥିଲେ। ନିକଟରେ ଥିବା ଅନ୍ୟ ଦାଦନ ଶ୍ରମିକମାନେ ଗୁରୁତର ଅବସ୍ଥାରେ ନୀଳଙ୍କୁ ନିକଟସ୍ଥ ଡାକ୍ତରରଖାନା ନେଇ ଥିଲେ। ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଗତକାଲି ଶବ ବ୍ୟବଚ୍ଛେଦ ପରେ ଆଜି ସକାଳୁ ନିଜ ଗ୍ରାମରେ ମୃତଶରୀର ପହଞ୍ଚିବା ପରେ ଶବ ସତ୍କାର ହୋଇଥିଲା। ଖବର ପ୍ରସାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ନିଖଜ ଯୁବକଙ୍କ ଗଳିତ ଶବ ଉଦ୍ଧାର, ହତ୍ୟା ଅଭିଯୋଗ 
ଝରିଗାଁ ବ୍ଲକ ଚିତାବେଡ଼ା ପଞ୍ଚାୟତ ଅନ୍ତର୍ଗତ ଭେଲୁଆଗୁଡ଼ା ଗ୍ରାମର ଜଣେ ନିଖଜ ଯୁବକଙ୍କ ଗଳିତ ଶବ ଜଙ୍ଗଲରେ ଠାବ ହୋଇଥିବା ବେଳେ ପରିବାର ଲୋକ ହତ୍ୟା ହୋଇଥିବା ନେଇ ଅଭିଯୋଗ କରିଛନ୍ତି। ସନଧର ଗୌଡ଼ଙ୍କ ପୁଅ ପୁଷ୍ପ ଗୌଡ଼ (୨୨) ନିଜ ତଥା ଆଖପାଖ ଗ୍ରାମରେ କୁଳି କରି ପରିବାର ପ୍ରତିପୋଷଣ କରୁଥିଲେ। ଗତ ସେପ୍ଟେମ୍ବର ମାସ ୭ ତାରିଖ ଦିନ ରତାଖଣ୍ଡିଗୁଡ଼ା ପଂଚାୟତ ଅନ୍ତର୍ଗତ ପିପଲଗୁଡ଼ା ଗ୍ରାମର ଶମ୍ଭୁ ସାନ୍ତାର ପୁଅ ବଳରାମ ସାନ୍ତା ବାହାର ରାଜ୍ୟରେ ଦାଦନ ଖଟିବା ପାଇଁ ଯିବା ବୋଲି କହିବା ସହ ମଙ୍ଗଳୁ ସାନ୍ତାର ପୁଅ ସାଇବ ସାନ୍ତା ଯିବା ପାଇଁ କହିଥିବା ନେଇ ପୁଷ୍ପଙ୍କୁ କହିଥିଲା। ଦୁହେଁ ୭ ତାରିଖ ଦିନ ପ୍ରାୟ ୧୨ ଘଣ୍ଟା ସମୟରେ ଏକ ସାଇକଲ ଯୋଗେ ଘରୁ ବାହାରିଥିଲେ।

ତାପର ଦିନ ପୁଷ୍ପର ବାପା ସନଧର ଗୌଡ଼ ପୁଅର ଖବର ଜାଣିବା ପାଇଁ ସାହେବ ସାନ୍ତାଙ୍କ ଘରେ ପହଞ୍ଚି ଥିଲେ। ସାହେବ ସାନ୍ତା ପୁଷ୍ପା ନେଇ ଥିବା ଲୁଗାପଟା ବ୍ୟାଗ ଦେଇ ପୁଷ୍ପା କୁଆଡ଼େ ଗଲା ମୋତେ ଜଣାନାହିଁ ବୋଲି କହିଥିଲା। ସେହି ଦିନ ଠାରୁ ପରିବାର ଲୋକ ପୁଷ୍ପାଙ୍କୁ ଖୋଜିବା ଆରମ୍ଭ କରିଥିଲେ। ପରିବାର ଲୋକ ବହୁ ଖୋଜାଖୋଜି ପରେ ମଧ୍ୟ ପୁଷ୍ପାଙ୍କ ଖୋଜ ଖବର ନପାଇବା ପରେ ସେପ୍ଟେମ୍ବର ମାସ ୧୫ ତାରିଖ ଦିନ ଝରିଗାଁ ଥାନାରେ ପୁଷ୍ପା ନିଖଜ ନେଇ ତାଙ୍କ ବାପା ସନଧର ଲିଖିତ ଅଭିଯୋଗ କରିଥିଲେ।

ଆଜି ଗାଇ ଚରାଳି ମାନେ ଭେଲୁଆଗୁଡ଼ା ଗ୍ରାମ ଠାରୁ ଏକ କିଲୋମିଟର ଦୂରରେ ଥିବା ଶୁଆଡ଼ଙ୍ଗରି ଜଙ୍ଗଲରେ ଏକ ଗଳିତ ଶବ ଦେଖି ଗ୍ରାମବାସୀଙ୍କୁ କହିଥିଲେ।ପରେ ସନଧର ଘଟଣା ସ୍ଥଳରେ ନିଜ ପୁଅର ପୋଷାକ ଓ ମୋବାଇଲ ଫୋନ ଦେଖି ଚିହ୍ନଟ କରିଥିଲେ।ତେବେ ଶରୀରର ପ୍ରତ୍ୟେକ ଅଙ୍ଗର ହାଡ଼ ଅଲଗା ଅଲଗା ହୋଇ ପଡିଥିବା ଦେଖିବାକୁ ମିଳିଛି।ଶେଷରେ ସନଧର ନିଜ ପୁଅକୁ ହତ୍ୟା କରିଥିବା ନେଇ ଝରିଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଝରିଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଜାରି ରଖିଛି। ଆସନ୍ତାକାଲି ସାଇଣ୍ଟିଫିକ ଟିମର ସହାୟତାରେ ଅଧିକ ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି।

Nabarangpur