ଛତିଶଗଡ଼ରେ ଓଡ଼ିଶା ଧାନ ଜବତ

ଚନ୍ଦାହାଣ୍ତି,: ଛତିଶଗଡ଼ ସରକାର ଧାନର ମୂଲ୍ୟ ବୃଦ୍ଧି କରିବା ପରେ ଓଡ଼ିଶା ଚାଷୀ ଛତିଶଗଡ଼ ମୁହଁା ହୋଇଛନ୍ତି। ପ୍ରତିଦିନ ହଜାର ହଜାର କ୍ବିଣ୍ଟାଲ ଧାନ ପଡ଼ୋଶୀ ରାଜ୍ୟକୁ ଚାଲାଣ ହେବାରୁ ଛତିଶଗଡ଼ ରାଜ୍ୟର ସୀମାନ୍ତ ଅଞ୍ଚଳର ମଣ୍ଡି ଗୁଡ଼ିକରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି। ଏପରିକି ସ୍ଥାନୀୟ ଚାଷୀଙ୍କୁ ମଣ୍ଡିରେ ଧାନ ବିକ୍ରି କରିବାକୁ ସୁଯୋଗ ଦିଆଯାଉ ନଥିବା ଅଭିଯୋଗ ହୋଇଥିଲା। ଏହାପରେ ଛତିଶଗଡ଼ ସୀମାନ୍ତ ଜିଲ୍ଲାର ପ୍ରଶାସନ କଡ଼ା ଅଭିମୁଖ୍ୟ ଗ୍ରହଣ କରିଛନ୍ତି। ଛତିଶଗଡ଼ ଯାଉଥିବା ଧାନ ବୋଝେଇ ଗାଡ଼ିକୁ ଧରପଗଡ଼ କରିବା ଆରମ୍ଭ କରିଛନ୍ତି। ଏହିକ୍ରମରେ ଗତକାଲି ଛତିଶଗଡ଼ ସୀମାନ୍ତ ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଚନ୍ଦାହାଣ୍ଡି ବ୍ଲକର ଜଣେ ଚାଷୀଙ୍କ ଶହେ କ୍ବିଣ୍ଟାଲରୁ ଅଧିକ ଧାନକୁ ପଡ଼ୋଶୀ ରାଜ୍ୟର ଜିଲ୍ଲା ପ୍ରଶାସନ ଜବତ କରିଛନ୍ତି। ଚାଷୀ ଜଣକ ମଣ୍ଡିକୁ ଯାଉଥିଲେ ନା’ ବାହାରେ ଅନ୍ୟ କେଉଁଠି ବିକ୍ରି କରିବାକୁ ଧାନ ନେଇ ଯାଉଥିଲେ ସେ ନେଇ ସେଠାକାର ପ୍ରଶାସନ କିଛି ସ୍ପଷ୍ଟ କରୁନାହିଁ। ତେଣୁ ଯଦି ଚାଷୀ ଜଣକ ବାହାରେ କୌଣସି ବ୍ୟବସାୟୀଙ୍କୁ ଧାନ ବିକ୍ରି କରିବାକୁ ଯାଉଥିଲେ ତାହାହେଲେ ଏଭଳି ଧାନ ଜବତ କରିବା ସଂପୂର୍ଣ୍ଣ ବେଆଇନ ବୋଲି କୁହାଯାଉଛି। ସୂଚନା ଅନୁଯାୟୀ, ଛତିଶଗଡ଼ରେ କଂଗ୍ରେସ ସରକାର କରିବା ପରେ ଧାନ ମୂଲ୍ୟକୁ ବୃଦ୍ଧି କରିଥିଲେ। ଓଡ଼ିଶାରେ ଧାନ କ୍ବିଣ୍ଟାଲ ପିଛା ମଣ୍ଡିରେ ୧୭୫୦ଟଙ୍କାରେ ବିକ୍ରି ହେଉଥିବା ବେଳେ ଛତିଶଗଡ଼ ସରକାର କ୍ବିଣ୍ଟାଲ ପିଛା ୭୫୦ ଟଙ୍କା ଅଧିକ ଅର୍ଥାତ ୨୫ଶହ ଟଙ୍କା ଦେଉଛନ୍ତି।

ଯାହାଫଳରେ ଓଡ଼ିଶାର ସୀମାନ୍ତ ଗାଁର ଚାଷୀ ଛତିଶଗଡ଼ରେ ଧାନ ବିକ୍ରି କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ତେଣୁ ଛତିଶଗଡ଼ରେ ରହୁଥିବା ସଂପର୍କୀୟଙ୍କୁ ଯୋଗାଯୋଗ କରି ସେଠାକାର ମଣ୍ଡିରେ ଧାନ ବିକ୍ରି କରିବାକୁ ଏଠାରୁ ଶହ ଶହ କ୍ବିଣ୍ଟାଲ ଧାନ ଚାଲାଣ କରୁଛନ୍ତି। ଯାହାର ପ୍ରଭାବ ଛତିଶଗଡ଼ର ଚାଷୀଙ୍କ ଉପରେ ପଡ଼ିଥିଲା। ଟାର୍ଗେଟ ଅନୁଯାୟୀ ଧାନ କିଣା ଯାଉଥିବାରୁ ସ୍ଥାନୀୟ ଚାଷୀଙ୍କୁ ‌ମଣ୍ଡିରେ ଟୋକେନ ମିଳିବାରେ ସମସ୍ୟା ହୋଇଥିଲା। ଏନେଇ ଗତ କିଛି ଦିନ ହେଲା ନିୟମିତ ଭାବେ ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ଅନ୍ତର୍ଗତ ଦେଓଭୋଗ ବ୍ଲକର ଚାଷୀ ସ୍ଥାନୀୟ ପ୍ରଶାସନର ଏନେଇ ଦୃଷ୍ଟି ଆକର୍ଷଣ କରିଥିଲେ। ଅଭିଯୋଗ ପାଇବା ପରେ ଗରିଆବନ୍ଧ ଜିଲ୍ଲା ପ୍ରଶାସନର ନିର୍ଦେଶକ୍ରମେ ଗୋଟିଏ ଟିମ୍ ସୀମାନ୍ତରେ ଗାଡି ଯାଞ୍ଚ ଆରମ୍ଭ କରିଥିଲେ। ଗତକାଲି ସନ୍ଧ୍ୟାରେ ଗରିଆବନ୍ଧ ଜିଲ୍ଲାପାଳ ଶ୍ୟାମ ଧାବଡେ, ଦେଓଭୋଗ ଏସଡିଏମ ନିର୍ଭୟ ସାହୁ, ଜିଲ୍ଲା ଖାଦ୍ୟ ଅଧିକାରୀ ହଲେସ ଦଣ୍ତସେନା, ସହକାରୀ ତହସିଲଦାର କେ.ଏମ ଦିବାନ, ଧାନ ମଣ୍ତି ଉପନିରୀକ୍ଷକ ରଜନୀ ତିଵାରୀଙ୍କୁ ନେଇ ଗଠିତ ଟିମ୍ ଝାକରପଡା ଧାନ ମଣ୍ଡି ପରିଦର୍ଶନ କରିଥିଲେ। ଏହାପରେ ଚନ୍ଦାହାଣ୍ତି ସୀମାନ୍ତ ବରେହି ଠାରେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଅଞ୍ଚଳର ଏକ ଧାନ ବୋଝେଇ ଟ୍ରାକ୍ଟରକୁ ଅଟକା ଯାଇଥିଲେ। ଟ୍ରାକ୍ଟର ନମ୍ବର (ଓଡି ୨୪ବି ୬୩୨୨) ଧାନ ବିକ୍ରି ପାଇଁ ଛତିଶଗଡ଼ ଯାଉଥିବା ଜଣାପଡ଼ିବାରୁ ଧାନ ଜବତ କରାଯାଇଥିଲା। ଟ୍ରାକ୍ଟରଟିରେ ୧୦୮ ବସ୍ତା ଧାନ ରହିଥିବା ବେଳେ ଆଜି ସଂଧ୍ୟା ସୁଦ୍ଧା ଦେଓଭୋଗ ଥାନାରେ ଅଟକ ରଖାଯାଇଥିବା ସୂଚନା ମିଳିଛି। ଏନେଇ ମୋହରା ଗାଁର ସଂପୃକ୍ତ ତୁଳା ମାଝୀଙ୍କ କହିବା ହେଲା ଜଣେ ସଂପର୍କୀୟଙ୍କ ଠାରୁ ସେ ଚାଷ ପାଇଁ ଋଣ ନେଇଥିଲେ। ବର୍ତମାନ ଧାନ ଅମଳ କରିବା ପରେ ଋଣ ବାବଦରେ ନେଇଥିବା ଟଙ୍କା ବଦଳରେ ଧାନ ନେଇ ସଂପୃକ୍ତ ସଂପର୍କୀୟଙ୍କୁ ଦେବାକୁ ଯାଉଥିଲେ।

ସମ୍ବନ୍ଧିତ ଖବର