ପୋଖରୀରେ ବୁଡି ବୃଦ୍ଧ ନିଖୋଜ!

ମଇଦଲପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ପଞ୍ଚାୟତ ଅନ୍ତର୍ଗତ ବରିପଦର ଗ୍ରାମର ଜଣେ ବୃଦ୍ଧ ପୋଖରୀରେ ବୁଡି ନିଖୋଜ ରହିଛନ୍ତି। ଗ୍ରାମବାସୀ ଓ ଦମକଳ ବାହିନୀ ଦୀର୍ଘ ସମୟ ଧରି ଖୋଜିବା ପରେ ମଧ୍ୟ ବୃଦ୍ଧଙ୍କ ସନ୍ଧାନ ମିଳିପାରିନି।
ସୂଚନା ଅନୁଯାୟୀ, ବରିପଦର ଗ୍ରାମର ସୁଜାକୁ ସାନ୍ତା(୬୦) ଆଜି ସକାଳ ପ୍ରାୟ ସାଢେ ୧୦ଟାରେ ନିକଟସ୍ଥ ଡଙ୍ଗରୀଗୁଡା ଗ୍ରାମରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ ଦୀର୍ଘ ସମୟ ପରେ ମଧ୍ୟ ସୁଜାକୁ ଘରକୁ ଫେରିନଥିଲେ। ପରେ ପୁଅ ଶ୍ରୀୟା ସାନ୍ତା ନିକଟସ୍ଥ କିଛି ନାଳ ଓ ପୋଖରୀରେ ଖୋଜାଖୋଜି କରିଥିଲେ। ଡଙ୍ଗରୀଗୁଡା ପୋଖରୀ ହୁଡାରେ ବାପାଙ୍କ ଲୁଙ୍ଗି ଓ ଗାମୁଛା ଥିବା ଦେଖି ପୋଖରୀରେ ବୁଡି ଯାଇଥିବା ନେଇ ସନ୍ଦେହ କରି ଗାଁର କିଛି ଯୁବକଙ୍କୁ ଡାକି ନେଇ ଖୋଜାଖୋଜି କରିଥିଲେ। ଦୀର୍ଘ ସମୟ ଧରି ଖୋଜିବା ପରେ ମଧ୍ୟ ସୁଜାକୁଙ୍କ ସନ୍ଧାନ ନମିିଳିବାରୁ ଗ୍ରାମବାସୀ ପାପଡାହାଣ୍ଡି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ୩ଘଣ୍ଟା ଧରି ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଅନ୍ଧାର ହୋଇଯିବାରୁ ଆସନ୍ତାକାଲି ପୁଣି ଥରେ ଉଦ୍ଧାର କାର୍ଯ୍ୟ କରାଯିବ କହି ଅଗ୍ନିଶମ କର୍ମଚାରୀ ଫେରି ଯାଇଥିଲେ। ଅନ୍ୟପଟେ ସୁଜାକୁଙ୍କ ସନ୍ଧାନ ମିଳିନଥିବାରୁ ପରିବାର ଲୋକ ଚିନ୍ତାରେ ପଡିଛନ୍ତି।

ସମ୍ବନ୍ଧିତ ଖବର