ତେନ୍ତୁଳିଖୁଣ୍ଟି: ରାଜ୍ୟ ସରକାର ଶିକ୍ଷାର ବିକାଶ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଛାତ୍ରଛାତ୍ରୀ ଶିକ୍ଷାଭିମୁଖୀ କରିବା ପାଇଁ ମଧ୍ୟାହ୍ନ ଭୋଜନ, ପୋଷାକ ପ୍ରଦାନ ସହ ରହିବା ପାଇଁ ହଷ୍ଟେଲ ଭଳି ବ୍ୟବସ୍ଥା କରିଛନ୍ତି। ଏଥି ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ବର୍ତମାନ ବି କିଛି ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବରୁ ଛାତ୍ରଛାତ୍ରୀଙ୍କୁ ଗୋଟିଏ କୋଠରିରେ ବସାଇ ପଢ଼ାଯାଉଛି। ଏଭଳି କିଛି ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଂଗ୍ରା ପଞ୍ଚାୟତ ଅନ୍ତର୍ଗତ ଦୁଃଖୁଗୁଡା ପ୍ରାଥମିକ ବିଦ୍ୟାଳୟରେ।
ସୂଚନା ଅନୁଯାୟୀ, ଦୁଃଖୁଗୁଡ଼ା ଗ୍ରାମରେ ୧୯୫୩ ମସିହାରେ ଏକ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଛି। ଚଳିତ ବର୍ଷ ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୮୬ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଶିକ୍ଷାଦାନ ପାଇଁ ୩ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। କିନ୍ତୁ ଶ୍ରେଣୀ ଗୃହ ଅଭାବରୁ ପିଲାଙ୍କୁ ପାଠ ପଢ଼ାଇବାରେ ସମସ୍ୟା ଉପୁଜୁଥିବା ପ୍ରଧାନ ଶିକ୍ଷକ ଦୟାନିଧି ବିଷୋୟୀ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଏଠାରେ ବହୁ ବର୍ଷ ତଳେ ନିର୍ମାଣ ହୋଇଥିବା ବିଦ୍ୟାଳୟ କୋଠା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବରୁ ଏହାର ବ୍ୟବହାର ହେଉନାହିଁ। ଏଥିଯୋଗୁଁ ବିଦ୍ୟାଳୟ ପରିସରରେ ଥିବା ଅନ୍ୟ ଏକ ଶ୍ରେଣୀ ଗୃହରେ ୫ଟି ଶ୍ରେଣୀର ପିଲାଙ୍କୁ ବସାଇ ପାଠ ପଢ଼ାଯାଉଛି। ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନଥିବାରୁ ବାଧ୍ୟ ହୋଇ ଛାତ୍ରଛାତ୍ରୀ ଗୋଟିଏ କୋଠରିରେ ଖୁନ୍ଦାଖୁନ୍ଦି ହୋଇ ବସି ପାଢ଼ୁଛନ୍ତି। ସ୍କୁଲରେ ଆବଶ୍ୟକୀୟ ଶ୍ରେଣୀ ଗୃହ ନିର୍ମାଣକରିବାକୁ ବହୁବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନି। ଅନ୍ୟପଟେ ବିଦ୍ୟାଳୟ ଚାରିପାଖ ପାଚେରୀ ନିର୍ମାଣ ହୋଇନଥିବାରୁ ଗାଈଗୋରୁ, କୁକୁର ବିଦ୍ୟାଳୟ ମଧ୍ୟକୁ ଅବାଧରେ ପ୍ରବେଶ କରୁଛନ୍ତି। ଦୀର୍ଘ ବର୍ଷ ଧରି ବିଦ୍ୟାଳୟରେ ଅନେକ ସମସ୍ୟା ଲାଗି ରହିଥିଲେ ହେଁ ଏଥିପ୍ରତି ପ୍ରଶାସନର ଦୃଷ୍ଟି ନପଡ଼ିବା ପରିତାପର ବିଷୟ ହୋଇଛି। ବର୍ତମାନ ସମୟରେ ଛାତ୍ରଛାତ୍ରୀ ହଇରାଣ ହେବେ। ସେହିପରି ବିଦ୍ୟାଳୟକୁ ଯାତାୟାତ କରିବା ରାସ୍ତା ଶୋଚନୀୟ ଅବସ୍ଥାରେ ଥିବାରୁ ସମସ୍ୟା ଦେଖାଦେଉଛି। ଆବଶ୍ୟକୀୟ ଶ୍ରେଣୀ ଗୃହ ନିର୍ମାଣ, ରାସ୍ତା ମରାମତି ଭଳି ଅନ୍ୟ ସମସ୍ୟା ପ୍ରତି ଶୀଘ୍ର ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଗୋଟିଏ କୋଠରୀରେ ୫ଟି ଶ୍ରେଣୀର ପିଲା
ଦୁଃଖୁଗୁଡା ପ୍ରାଥମିକ ବିଦ୍ୟାଳୟ
/sambad/media/post_attachments/wp-content/uploads/2019/07/nabarang.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)