ନବରଙ୍ଗପୁର (ସୁରେଶ ନାଇଡୁ): ପ୍ରବଳ ଥଣ୍ଡା ସାଙ୍ଗକୁ ଦିନ ବେଳେ ଖରା ବି ବେଶି ହେଉଛି। ଏହାକୁ ଦେଖି ଚାଷୀମାନେ ଭୟଭୀତ ହୋଇ ଧାନ କାଟିବା ଜୋର କରିଛନ୍ତି। ଏହାରି ମଧ୍ୟରେ ଖରିଫ ଧାନ କଟା ୭୦ପ୍ରତିଶତରୁ ଊର୍ଦ୍ଧ୍ବ ସରିଲାଣି। ପ୍ରତିବର୍ଷ ଏହି ସମୟରେ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ବସିବା ସହ ମଣ୍ଡିର ତାରିଖ ବି ଘୋଷଣା ହେଉଥିଲା। ଏହା ପରେ ଚାଷୀମାନେ ମଣ୍ଡିକୁ ନେଇ ବିକ୍ରି କରିବାକୁ ଯୋଜନା କରୁଥିଲେ। ତେବେ ତାହା ଏଯାଏଁ ହୋଇନି। ଅପରପକ୍ଷରେ ‘ସମ୍ବାଦ’ରେ ଧାନ ବାହାର ରାଜ୍ୟକୁ ଚାଲାଣ ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ଯାଞ୍ଚ ହୋଇଥିଲା। ଏହା ପରେ ଆନ୍ଧ୍ର ଓ ଛତିଶଗଡ଼ର ଧାନ ଦଲାଲ ଓ ବ୍ୟବସାୟୀ ଧାନ ନେବାର ପ୍ରକ୍ରିୟାରେ ପରିବର୍ତ୍ତନ କରିଛନ୍ତି। ମକା ମଂଜି ସହ ଧାନକୁ ନେଉଥିବା ଦେଖିବାକୁ ମିଳିଛି। ଏମାନେ ଆନ୍ଧ୍ରପ୍ରଦେଶ ଓ ପଡୋଶୀ ଛତିଶଗଡ଼କୁ ଚାଲାଣ କରୁଛନ୍ତି।
ଜିଲ୍ଲାରେ ୯୫ହଜାର ହେକ୍ଟର ଜମିରେ ଖରିଫ ଧାନ ଚାଷ କରାଯାଇଛି। ୫୯ଟି ମଣ୍ଡିରେ ଧାନ ବିକ୍ରି କରିବାକୁ ଜିଲ୍ଲାର ୧୩ଟି କ୍ରୟକାରୀ ସଂସ୍ଥା ଲ୍ୟାମ୍ପରେ ୨୨ହଜାର ୨୨୧ଜଣ, ୪୪ଟି ମହିଳା ସ୍ବୟଂ ସହାୟକ ଦଳ ଜରିଆରେ ୨୬ହଜାର ୫୧୫ଜଣ ଓ ୨ଟି ପାଣି ପଂଚାୟତ ଜରିଆରେ ୨,୧୮୨ ଜଣ ଏଭଳି ୫୦ହଜାର ୯୧୮ଜଣ ଚାଷୀ ପଂଜୀକରଣ କରାଇଛନ୍ତି ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ଦେବାଶିଷ ମହାନ୍ତି। ବାତ୍ୟା ‘ମନ୍ଥା’ ଆସିବା ପର ଠାରୁ ଧାନ କଟା ଆରମ୍ଭ ହୋଇଛି।
ଭାଗ ଚାଷୀଙ୍କ ଘରେ ଜାଗା ନାହିଁ
ତେବେ ଏତେ ଦିନ ଧରି ଧାନ ଅମଳ କରି ଘରେ ରଖିବା ପାଇଁ ନାମକୁ ମାତ୍ର ମଧ୍ୟବିତ୍ତ ଓ ଭାଗ ଚାଷୀଙ୍କ ଘରେ ଜାଗା ନାହିଁ। ଧାନ କାଟିବା ପରେ ଅମଳ କରି ନ ରଖିଲେ ଧାନ କୁପାକୁ ଘୋଡ଼ାଇ ରଖିବା ପାଇଁ ପର୍ଯ୍ୟାପ୍ତ ପରିମାଣର ତାରଫୋଲିନ୍ ଚାଷୀଙ୍କ ନିକଟରେ ନାହିଁ। ମଣ୍ଡି ଆରମ୍ଭ ହେଲେ ମଧ୍ୟ ଏଫଏକ୍ୟୁ ମାନ ଓ କଟନିଛଟନି ନାଁରେ ଧାନ କିଣାକୁ ମାସାଧିକ ସମୟ ଲାଗିବ। ତା ବାଦେ ଚାଷୀଙ୍କ ଟୋକନ୍ ମିଳିବା ଏବଂ କ୍ରୟକାରୀ ସଂସ୍ଥା , ମିଲର୍ସଙ୍କ ପାସ୍ ଆଦି ସବୁ ରହିବାକୁ ପଡିବ। ନଚେତ ଗତବର୍ଷ ରାଇଘର ବ୍ଲକର ୩୧୪ଜଣ ଚାଷୀ ଯେଭଳି ଅସୁବିଧାର ସମ୍ମୁଖୀନ ହେଲେ ସେଭଳି ହେବା ସମ୍ଭାବନା ବି ରହିଛି। ଏସବୁ ଭୟରୁ ବହୁ ଚାଷୀ ଘର ବାରଣ୍ଡାକୁ ଆସି ନିଜ ଖର୍ଚ୍ଚରେ ଧାନ ନେବାକୁ ଚାହୁଁଥିବା ଏବଂ ତୁରନ୍ତ ଟଙ୍କା ପୈଠ କରୁଥିବା ଦଲାଲ ତଥା ବ୍ୟବସାୟୀଙ୍କୁ ଧାନ ଦେବାକୁ ଉଚିତ ମଣୁଛନ୍ତି। ସମବାୟ ମନ୍ତ୍ରୀ ଡିସେମ୍ବର ୨୫ରୁ ଧାନ ମଣ୍ଡି ଖୋଲିବ ବୋଲି ଘୋଷଣା କରିଛନ୍ତି। ଆସନ୍ତାକାଲି ଖରିଫ ମଣ୍ଡିରେ ଧାନ କିଣା ପାଇଁ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ ହେବ ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ଦେବାଶିଷ ମହାନ୍ତି। ଏହି ବୈଠକର ନିଷ୍ପତ୍ତି ଅନୁଯାୟୀ ଧାନ କିଣାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/20/dhano-chalan-2025-11-20-22-40-50.jpg)