ବିଜେଡିର ଅଭିଯୋଗକୁ ପର୍ଶୁରାମଙ୍କ ଖଣ୍ଡନ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ଥାନା ସମ୍ମୁଖରେ ଗତ ୧୨ ତାରିଖ ଦିନ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସେଠାରେ କୁହାଯାଇଥିଲେ ଯେ ଏଠାକାର ଚାଷୀ ମକା ବିକ୍ରି କରିଥିଲେ ମଧ୍ୟ ଟଙ୍କା ମିଳିନାହିଁ। ଏଥିପାଇଁ ବିଜେଡି ପକ୍ଷରୁ ପୂର୍ବତନ ସାଂସଦ ପର୍ଶୁରାମ ମାଝୀଙ୍କୁ ଦାୟୀ କରାଯାଇଥିଲା। ଅପରପକ୍ଷରେ ଏହାକୁ ନେଇ ଶ୍ରୀ ମାଝୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବିଜେଡି ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରିବା ପାଇଁ ଅପପ୍ରଚାର କରୁଛି। ଗତ ଦିନରେ ରାଇଘର ଠାରେ ଚାଷୀଙ୍କ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିବାଦରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ଚାଷୀ ସ୍ୱତଃ ପ୍ରବୃତ ଭାବେ ନିଜ ସମସ୍ୟାର ସମାଧାନ ପାଇଁ ସାମିଲ ହୋଇଥିଲେ।

ତେଣୁ ବିଜେଡି ନିଜ ଅପାରଗତାକୁ ଲୁଚାଇବାକୁ ଚେଷ୍ଟା କରି ଏଭଳି କୁଚକ୍ରାନ୍ତ ଚଳାଇଛି ବୋଲି ଅଭିଯୋଗ କରାଯାଇଛି। ଅପର ପକ୍ଷରେ ଚାଷୀଙ୍କ ଜିନିଷ ନେଇ କିଏ ଟଙ୍କା ଦେଇନାହିଁ, ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ଏହାବ୍ୟତୀତ ଗତ ୨୦୧୪ ମସିହାର ଘଟଣାକୁ ନେଇ ବିଜେଡି ନିଦରୁ ଉଠିଛି କି ବୋଲି ପ୍ରଶ୍ନ କରିଛନ୍ତି? ପୁଣି ସେ କହିଛନ୍ତି ଯେ, କୌଣସି ବ୍ୟକ୍ତିର ମାନହାନୀ ହେବା ଭଳି ମନ୍ତବ୍ୟ ଦେବା ଉଚିତ୍‌ ନୁହେଁ। ତେଣୁ ଆଗାମୀ ଦିନରେ ତାଙ୍କ ନାମରେ ମିଥ୍ୟା ଆରୋପ ଲଗାଇଥିବା ବ୍ୟକ୍ତିଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାୟର କରିବେ ବୋଲି ଚେତାବନୀ ଦେଇଛନ୍ତି। ସୂଚନାଥାଉକି, ନବରଙ୍ଗପୁର ଜିଲ୍ଲାରେ ରାଜନୈତିକ ହଟଚମଟ ଶିଖରରେ ପହଞ୍ଚିବାରେ ଲାଗିଛି। ଗୋଟିଏ ପାର୍ଶ୍ୱରେ ବିଜେପି କେନ୍ଦ୍ର ସରକାରଙ୍କ ସଫଳତାକୁ ଆୟୁଧ କରି ତୃଣମୂଳସ୍ତରରେ ନିଜ ପତିଆରା ବୃଦ୍ଧି କରୁଥିବା ବେଳେ ବିଜେଡି ମଧ୍ୟ ନିଜ ପତିଆରାକୁ ବଜାୟ ରଖିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିବାରେ ଲାଗିଛି।

ସମ୍ବନ୍ଧିତ ଖବର