ଶ୍ରମିକଙ୍କୁ ନେଇ ଯାଉଥିବା ପିକ୍ଅପ୍‌ ଭ୍ୟାନ ଓଲଟି ୧୫ ଆହତ ,୫ ଗୁରୁତର

ତେନ୍ତୁଳିଖୁଣ୍ଟି : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି -ଇନ୍ଦ୍ରାବତୀ ରାସ୍ତାର କହ୍ନେଇମୁଣ୍ଡା ନିକଟରେ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ପିକଅପ ଭ୍ୟାନ ଓଲଟି ପଡ଼ି ୧୫ ଜଣ ଶ୍ରମିକ ଆହତ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।  ୫ ଜଣ ଗୁରୁତରଙ୍କ ମଧ୍ୟରୁ ୨ ଜଣଙ୍କୁ କୋରାପୁଟ ଏବଂ ୩ ଜଣଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଆହତ ଶ୍ରମିକଙ୍କ ମଧ୍ୟରେ ଦୁଇଜଣ ନାବାଳକ ଅଛନ୍ତି। ଜଣେ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ବେଳେ ଅନ୍ୟ ଜଣେ ଶ୍ରମିକ ମାଟ୍ରିକ୍‌ ପରୀକ୍ଷା ଦେଇଥିବା ସୂଚନା ରହିଛି।

ସୂଚନା ଅନୁଯାୟୀ, ତେନ୍ତୁଳିଖୁଣ୍ଟି ବ୍ଲକ ଏବଂ ନନ୍ଦାହାଣ୍ଡି ବ୍ଲକ ବାସୀଙ୍କର ପାନୀୟ ଜଳର ସୁବିଧା ନିମନ୍ତେ ମେଗା ଜଳ ଯୋଗାଣ ପ୍ରକଳ୍ପ ଚାଲିଛି। ଇନ୍ଦ୍ରାବତୀ ଡ୍ୟାମ୍‌ ପାଣିକୁ ପାଇପ ଯୋଗେ ଜନସାଧାରଣଙ୍କୁ ଯୋଗେଇବା ପାଇଁ ବ୍ୟବସ୍ଥା ଚାଲିଛି।  ଏହି କାର୍ଯ୍ୟ କରୁଥିବା କମ୍ପାନିର ଏକ ପିକଅପ ଭ୍ୟାନଟି କଳାହାଣ୍ଡି ଜିଲ୍ଲାର ଥୁଆମୁଳା ରାମପୁର ବ୍ଲକ ଅନ୍ତର୍ଗତ ତଳନାଗି ଗ୍ରାମର ୨୭ ଜଣ ଶ୍ରମିଙ୍କୁ ନେଇ ନନ୍ଦାହାଣ୍ଡି ବ୍ଲକରେ କାମ କରିବାକୁ ନେବା ସମୟରେ କହ୍ନେଇମୁଣ୍ଡା ନିକଟରେ ରାସ୍ତା ଉପରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଡ୍ରାଇଭରଙ୍କ ବେପୁରିଆ ଗାଡି ଚାଳନା ଯୋଗୁ ଏହି ଦୁର୍ଘଟଣା ଘଟିଥିବା କିଛି ଲୋକେ ଅଭିଯୋଗ କରିଛନ୍ତି।

ସମସ୍ତ ଆହତଙ୍କୁ ଏକ ଟାଟା ମ୍ୟାଜିକ ଗାଡ଼ି ଯୋଗେ ତେନ୍ତୁଳିଖୁଣ୍ଟି ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ତେବେ ତଳନାଗି ଗ୍ରାମର ଲେଲି ମାଝୀ (୫୦) ଏବଂ ଜୟସିଂ ମାଝୀ (୫୦)ଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ସେହିପରି ଭଗବାନ ମାଝୀ (୧୮), ବାବୁନ ଯାନୀ (୨୫) ଓ ଜିତୁ ମାଝୀ (୨୫)ଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ରହିଛି। ସେହିପରି ତଳନାଗି ଗ୍ରାମର ଅନ୍ୟ ୧୫ ଜଣ ଆହତ ଶ୍ରମିକଙ୍କ ଚିକିତ୍ସା ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରେ ଚାଲିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର