ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଞ୍ଚାୟତ ଅନ୍ତର୍ଗତ ପ୍ରଧାନୀଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ପୁଉଁଥିବା ବେଳେ ନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିବାରୁ ମହିଳାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ, ପ୍ରଧାନୀଗୁଡା ଗ୍ରାମର ମନୋଜ ବିଷୋୟୀଙ୍କ ପତ୍ନୀ ମମତା ବିଷୋୟୀ(୨୧) ୬ ମାସର ଗର୍ବବତୀ ଅଛନ୍ତି। ବର୍ତ୍ତମାନ ଅସହ୍ୟ ଶୀତ ଅନୁଭୂତ ହେଉଥିବାରୁ ଆଜି ସକାଳେ ନିଜ ଘର ବାରଣ୍ଡାରେ ନିଆଁ ଲଗାଇ ବସିଥିଲେ। କିନ୍ତୁ ଅସାବଧାନତା ଯୋଗୁଁ ତାଙ୍କ ଶାଢିରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗି ମମତାଙ୍କ ଗୋଡ଼ ପୋଡ଼ିଯିବାରୁ ନିକଟରେ ଥିବା ଗଣେଶ ବିଷୋୟୀ ଓ ଲବ ବିଷୋୟୀ ତାଙ୍କୁ ଉଦ୍ଧାର କରିଥିଲେ। ପରେ ମମତାଙ୍କୁ ଗୁରୁତର ଅବସ୍ଥାରେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ମମତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିବାରୁ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।