ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ

ନବରଙ୍ଗପୁର,: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଣେ ପ୍ରାକ୍ତନ ଶିକ୍ଷକ ସୁବ୍ରତ ଚୌଧୁରୀଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରାଯାଇଥିବା ବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ସଂପତ୍ତିର ଯାଞ୍ଚ ଚାଲିଥିଲା। କେତେ କ’ଣ ସଂପତ୍ତି ଆକଳନ କରାଯାଇଛି ଏବଂ ଆୟର ସ୍ରୋତ ନେଇ ଭିଜିଲାନ୍ସ ପକ୍ଷରୁ ଖୋଳତାଡ଼ ଜାରି ରହିଛି।
ସୂଚନାଯୋଗ୍ୟ, ସୁବ୍ରତ ଚୌଧୁରୀ ଜିଲ୍ଲା ପରିଷଦ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। କିଛି ମାସ ତଳେ ହିଁ ସେ ଇସ୍ତଫା ଦେଇଥିବା ବେଳେ ଗତମାସ ଶିକ୍ଷା ବିଭାଗ ପକ୍ଷରୁ ଏହାକୁ ଗ୍ରହଣ କରାଯାଇଥିଲା। ଏହାପରେ ଆଜି କୋରାପୁଟ ସ୍ବତନ୍ତ୍ର ଭିଜିଲାନ୍ସ କାର୍ଯ୍ୟାଳୟର ନିର୍ଦେଶକ୍ରମେ ନବରଙ୍ଗପୁର, ଜୟପୁର, ରାୟଗଡା, ମାଲକାନାଗିରି ଓ ଭବାନୀପାଟନା ଭିଜିଲାନ୍ସର ୬ଟି ଟିମ୍ ଏକକାଳୀନ ଶ୍ରୀ ଚୌଧୁରୀଙ୍କ ପୈତୃକ ଘର ଏବଂ ତାଙ୍କ ପତ୍ନୀଙ୍କ ନାଁରେ ରହିଥିବା ଘର ଏବଂ ଅନ୍ୟ କେତେକ ସ୍ଥାନରେ ଚଢ଼ାଉ କରିଥିଲେ। ପରିବାର ସହ ଶ୍ରୀ ଚୌଧୁରୀ ରହୁଥିବା ନବରଙ୍ଗପୁର ଆର.କେ.କଲୋନି ସ୍ଥିତ ୨ମହଲା ବିଶିଷ୍ଟ କୋଠା, ପତ୍ନୀଙ୍କ ନାମରେ ରଙ୍ଗମାଟିଗୁଡା ସ୍ଥିତ ୨ମହଲା ବିଶିଷ୍ଟ ୨ଟି କୋଠା, ଚର୍ଚ୍ଚ ସମ୍ମୁଖରେ ଥିବା ୨ମହଲା ବିଶିଷ୍ଟ କୋଠା, ନୂଆବନ୍ଧ ସାହି ସ୍ଥିତ ନିର୍ମାଣାଧୀନ ୨ମହଲା କୋଠା, ଏଚଡିଏଫସି ବ୍ୟାଙ୍କ ନିକଟସ୍ଥ ୩ ମହଲା କୋଠା, ନବରଙ୍ଗପୁର ସହର ମୁଖ୍ୟ ରାସ୍ତାରେ ଥିବା ସନ୍ତୋଷୀ ଇନଫୋଟେକ କମ୍ପ୍ୟୁଟେର କେନ୍ଦ୍ରରେ ଚଢ଼ାଉ କରି ଯାଞ୍ଚ କରାଯାଉଛି। ସକାଳ ୭ ଟାରୁ ଆରମ୍ଭ ହୋଇଥିବା ପ୍ରକ୍ରିୟା ସଂଧ୍ୟା ପର୍ଯ୍ୟନ୍ତ ଚାଲିଥିଲା। ଶେଷ ଖବର ସୁଦ୍ଧା ଯାଞ୍ଚ ଚାଲିଥିବାରୁ ସମ୍ପତ୍ତିର ଆକଳନ ପରେ ହିଁ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ଆକଳନ ହେବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ବହୁ ଜମି କାଗଜ ପତ୍ର, ସନ୍ତୋଷୀ ଇନଫୋଟେକ୍ କଂପ୍ୟୁଟର ସେଣ୍ଟରର ବହୁ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ରକୁ ଅଧିକାରୀମାନେ ଭଲ ରୂପେ ଅନୁଧ୍ୟାନ କରୁଥିବା ଜଣାପଡ଼ିଛି। ଚଢ଼ାଉରେ ଜୟପୁର ଭିଜିଲାନ୍ସ ଡିଏସପି ହେନରୀ କୁଲୁ, ଭବାନୀପାଟଣା ଡିଏସପି ଏସ.ବି.ମହାନନ୍ଦ, ରାୟଗଡା ଡିଏସପି ସୁଶାନ୍ତ କୁମାର ବିଶ୍ବାଳ, ମାଲକାନାଗିରି ଏସଆଇ ସରୋଜ ସାହୁ, ନବରଙ୍ଗପୁର ଏସଆଇ ଦିନବନ୍ଧୁ ବେହେରା, ଜୟପୁର ଏସଆଇ ଶିବରାମ ସାହୁ, ସୂର୍ଯ୍ୟକାନ୍ତ ଟାକ୍ରୀ, ଭାବାନିପଟଣା ଏସଆଇ କଳାବତି ବାଗ ପ୍ରମୁଖ ନେତୃତ୍ବ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୀତାକାନ୍ତ ଖମାରି, ବିଶ୍ବଜିତ ପଣ୍ଡା, ସନ୍ତୋଷ ପାଣିଗ୍ରାହୀ, ନୀଳାଞ୍ଚଳ ଗୌଡ, ସନ୍ତୋଷ ବେହେରା, କେଶବ ଗରଲୁ, ସୁଶାନ୍ତ ପାଟଯୋଶୀ ପ୍ରମୁଖ ଭାଗ ନେଇଛନ୍ତି।
ଏନେଇ ସୁବ୍ରତ ଚୌଧୁରୀଙ୍କ ପ୍ରତିକ୍ରିୟା ନେବାରୁ କହିଛନ୍ତି ଯେ, ପୂର୍ବରୁ ପୈତୃକ ସଂପତ୍ତି ରହିଥିବା ବେଳେ ପତ୍ନୀଙ୍କ ନାଁରେ ‌ଫାର୍ମ ରହିଛି। ଚାକିରିରୁ ଇସ୍ତଫା ଦେବାପରେ ପତ୍ନୀଙ୍କ ଫାର୍ମରେ ସହଯୋଗ କରୁଛନ୍ତି। ସେହିପରି ତଦନ୍ତ କରୁଥିବା ଜଣେ ଅଧିକାରୀ କହିଛନ୍ତି ଯେ ଶ୍ରୀ ଚୌଧୁରୀ ପୂର୍ବରୁ ଶିକ୍ଷକତା କରୁଥିଲେ। ତାଙ୍କର ବିଭିନ୍ନ ସ୍ଥାନରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ରହିଥିବା ଅଭିଯୋଗ ହୋଇଥିଲା। ତେଣୁ ନିର୍ଦେଶ ମିଳିବାରୁ ଚଢ଼ାଉ କରି ସଂପତ୍ତିର ଯାଞ୍ଚ ରହିଛି। ଏକାଧିକ କୋଠା, ପ୍ଲଟ ଏବଂ ବ୍ୟାଙ୍କରେ ବି ଟଙ୍କା ଜମା ରହିଛି। ଏଚଡିଏଫସି ବ୍ୟାଙ୍କ ନିକଟସ୍ଥ ଆପାର୍ଟମେଣ୍ଟର ମୂଲ୍ୟ ପ୍ରାୟ ୨ କୋଟି ୨୧ ଲକ୍ଷ, ୨ଟି ୨ ମହଲା କୋଠାର ମୂଲ୍ୟ ପ୍ରାୟ ୨୨ ଲକ୍ଷ, ବର୍ତମାନ ରହୁଥିବା ୨ ମହଲା ବିଶିଷ୍ଟ ବାସଗୃହ, ସୁନା ଅଳଙ୍କାର ୭୨୮ ଗ୍ରାମ, ନଗଦ ୯୫ ହଜାର ଟଙ୍କା, ଗୋଟିଏ ମାରୁତି ୮୦୦ କାର, ଗୋଟିଏ ରିଟଜ୍ କାର ଇତ୍ୟାଦି ଠାବ କରାଯାଇଛି। ଯାହାର ମୂଲ୍ୟ ପ୍ରାୟ ୫କୋଟି ୫୮ଲକ୍ଷ ୨୮ହଜାର ଟଙ୍କା ଆକଳନ କରାଯାଇଛି।

ସମ୍ବନ୍ଧିତ ଖବର