ପାପଡାହାଣ୍ଡି/ମଇଦଲପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କଣ୍ଟାମାଳ ପଞ୍ଚାୟତ ଅନ୍ତର୍ଗତ ରଣ୍ଡାଗୁଡା ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା ଦେଖାଦେଇଛି। ଦୁଇ ଦିନ ହେଲା ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବନ୍ଦ ରହିଥିବା ବେଳେ ଅପରାହ୍ନ ୨ଟାରେ ବିଦ୍ୟାଳୟ ବନ୍ଦ ରହୁଥିବା ଅଭିଯୋଗ ହୋଇଛି। କେଉଁ କାରଣରୁ ପିଲାଙ୍କୁ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ କରାଯାଉଛି ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ମଧ୍ୟାହ୍ନ ଭୋଜନ ଦିଆଯାଉନଥିବାରୁ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯାଉନଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ରଣ୍ଡାଗୁଡା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଶିକ୍ଷାଦାନ ପାଇଁ ପ୍ରଧାନ ଶିକ୍ଷକ ଓ ଜଣେ ସହକାରୀ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ପ୍ରଧାନ ଶିକ୍ଷକ ଗତ କିଛି ଦିନ ହେଲା ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଛୁଟିରେ ରହିଛନ୍ତି। ଅନ୍ୟପଟେ ସହକାରୀ ଶିକ୍ଷକ ଜଣକ ବିଳମ୍ବରେ ଆସିବା ସହ ଦୁଇ ଦିନ ହେଲା ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ନଦେଇ ଅପରାହ୍ନ ୨ଟାରେ ବିଦ୍ୟାଳୟରେ ତାଲା ପକାଇ ନିଜ ଘରକୁ ଚାଲି ଯାଉଛନ୍ତି। ଏନେଇ ସିଆରସିସିଙ୍କ ନିକଟରେ ଅଭିଯୋଗ କରିଥିଲେ ହେଁ କୌଣସି ସୁଫଳ ମିଳୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଛାତ୍ରଛାତ୍ରୀଙ୍କୁ ସଠିକ୍ ଭାବେ ପାଠ ପଢ଼ା ଯାଉନଥିବାରୁ ସେମାନଙ୍କ ଭବିଷ୍ୟତ ଅନ୍ଧାରମୟ ବୋଲି ମଧ୍ୟ ଅଭିଭାବକ ମାନେ କହିଛନ୍ତି। ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ କରାଯିବା ଓ ଅପରାହ୍ନରେ ବିଦ୍ୟାଳୟ ବନ୍ଦ ରହିବା ଘଟଣା ପ୍ରତି ଜିଲ୍ଲା ଶିକ୍ଷା ଅଧିକାରୀ ଗୁରୁତ୍ବ ଦେଇ ଏହାର ତୁରନ୍ତ ତଦନ୍ତ କରିବାକୁ ସ୍ଥାନୀୟ ସରପଞ୍ଚ ଲକିଧର ମାଝୀଙ୍କ ସମେତ ରତ୍ନାକର ଗୌଡ଼, କୁମ ମାଝୀ, କପୁର ମାଝୀ, ଈଶ୍ବର ମଝେୀ, ବୁଦୁ ମାଝୀ, ଲକ୍ଷ୍ମୀନାଥ ମାଝୀ ପ୍ରମୁଖ ଦାବି କରିଛନ୍ତି। ନଚେତ୍ ବିଦ୍ୟାଳୟରେ ତାଲା ଠୁଙ୍କାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏ ସଂପର୍କରେ ଏବିଇଓ ଦଶରଥ ଗଣ୍ଡଙ୍କୁ ପଚାରିବାରୁ ଏହାର ତଦନ୍ତ କରାଯାଇ ଉଚିତ୍ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।
ରଣ୍ଡାଗୁଡା ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା:୨ଦିନ ହେଲା ମଧ୍ୟାହ୍ନ ଭୋଜନ ବନ୍ଦ
/sambad/media/post_attachments/wp-content/uploads/2019/03/nabarang-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)