ନବରଙ୍ଗପୁର ମେଡିକାଲରେ ରଶ୍ମି:ଚିନ୍ତା ବଢ଼ାଇଲା ଆଧାରକାର୍ଡ ତ୍ରୁଟି

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରୀଗୁଡା ଅନ୍ତର୍ଗତ ମୋତିଗାଁରେ ଅର୍ଥ ଅଭାବରୁ ଚିକିତ୍ସା ହୋଇ ନପାରି ଘରେ ପଡି ରହିଥିବା ଯୁବତୀ ରଶ୍ମି ଜଗତଙ୍କୁ ଗତକାଲି ପ୍ରଶାସନ ଉଦ୍ଧାର କରି ନବରଙ୍ଗପୁର ଜିଲ୍ଲା ମେଡିକାଲରେ ଭର୍ତି କରାଇଥିଲା। ସେ ବର୍ତ୍ତମାନ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଆଧାରକାର୍ଡରେ ନାମ ଭୁଲ ଥିବାରୁ ଉଚ୍ଚ ଚିକିତ୍ସା ପାଇବାରେ ସମସ୍ୟା ହେବା ନେଇ ପରିବାର ଲୋକ ଆଶଙ୍କା କରିଛନ୍ତି। ଆଜି ସକାଳୁ ରଶ୍ମିଙ୍କ ରକ୍ତ ଓ ପରିଶ୍ରା ପରୀକ୍ଷା କରାଯାଇଥିବା ବେଳେ ରିପୋର୍ଟ ଆସିବା ପରେ ତାଙ୍କୁ ନବରଙ୍ଗପୁର ମେଡିକାଲରେ ଚିକିତ୍ସା କରାଯିବ ନା କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯିବ ତାହା ନିଷ୍ପତିର ନିଆଯିବ। ଅପର ପକ୍ଷରେ ରଶ୍ମିଙ୍କ ବାପା ପିତାମ୍ବର କହିଛନ୍ତି ଯେ ଡାକ୍ତର ସକାଳେ ଆସି ସ୍ବାସ୍ଥ୍ୟ ପରୀକ୍ଷା କରିବା ବେଳେ କୋରାପୁଟ ପଠାଯିବ ବୋଲି କହିଥିଲେ। ପରେ ଏଡିଏମ୍ଓ ଆସି ଏଠାରେ କିଛି ଦିନ ରଖି ରଶ୍ମିଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ବୋଲି କହିଥିଲେ। ତେବେ ତାଙ୍କର ସ୍ବାସ୍ଥ୍ୟ ବୀମା କାର୍ଡ ଥିଲେ ମଧ୍ୟ ରଶ୍ମିଙ୍କ ଆଧାରକାର୍ଡରେ ଭୁଲ ନାମ ରହିଯାଇଥିବାରୁ ଏହି ସ୍ବାସ୍ଥ୍ୟ ବୀମା କାର୍ଡ କାମ କରିବ କି ନାହିଁ ବୋଲି ସନ୍ଦେହ କରିଛନ୍ତି। ପିତାମ୍ବର ମିସ୍ତ୍ରୀ ଭାବେ କାମ କରି ପରିବାର ଚଳାଉଛନ୍ତି। ତାଙ୍କର ୪ଟି କନ୍ୟା ସନ୍ତାନ ରହିଥିବା ବେଳ ରଶ୍ମି ତୃତୀୟ କନ୍ୟା ଅଟନ୍ତି। ତେବେ ପରିବାର ଆର୍ଥିକ ବୋଝ ଯୋଗୁଁ ରଶ୍ମିଙ୍କୁ ଅଧିକ ଚିକିତ୍ସା ପାଇଁ ବାହାରକୁ ନେଇ ନପାରି ପ୍ରଥମେ ଚନ୍ଦାହାଣ୍ଡି ପରେ ଧର୍ମଗଡ ନେଇ ଚିକିତ୍ସା କରାଇଥିଲେ। ଏହା ପରେ ବି ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନଆସିବାରୁ ବାଧ୍ୟ ହୋଇ ଘରେ ରଖି ଚେରମୁଳି ଓ ହୋମିଓପାଥିକର ଆଶ୍ରୟ ନେଇଥିଲେ। ଏହି ୩ ମାସ ମଧ୍ୟରେ ତାଙ୍କର ଚିକିତ୍ସା ପାଇଁ ପ୍ରାୟ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇ ସାରିଥିଲା। ଶେଷରେ ସେ ନିରାଶ ହୋଇ ଭଗବାନ ଭରଷାରେ ଘରେ ରଖି ଚେରମୁଳି ଚିକିତ୍ସା କରାଇଥିଲେ। ରଶ୍ମି ଚଲାବୁଲା କରିନପାରି ଶଯ୍ୟାରେ ପଡି ଛଟପଟ ହେଉଥିଲେ। ଏବେ ଜିଲ୍ଲା ପ୍ରଶାସନ ରଶ୍ମିଙ୍କ ଚିକିତ୍ସା ସହାୟତା ପାଇଁ ଆଗେଇ ଆସିଥିବାରୁ ପିତାମ୍ବର କୃତଜ୍ଞତା ଜଣାଇଛନ୍ତି। କିନ୍ତୁ ରଶ୍ମି ଭଲ ହେବା ପର୍ଯ୍ୟନ୍ତ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବା ପାଇଁ ପିତାମ୍ବର ଏବଂ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର