ଡାବୁଗାଁରେ ଚୋରଙ୍କ ଉତ୍ପାତ : ସପ୍ତାହକ ମଧ୍ୟରେ ୩ଟି ଚୋରି 

ଡାବୁଗାଁ  : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧୀନ ଚଚରାଗୁଡ଼ା ପଞ୍ଚାୟତରେ ଗତ ଏକ ସପ୍ତାହ ହେଲା ଚୋରଙ୍କ ଉତ୍ପାତ ବଢିଚାଲିଛି ।  ଦୁର୍ବୃତ୍ତ ମାନେ ଏହି ସପ୍ତାହ ମଧ୍ୟରେ ଦୁଇଟି ଗାଁ ର ତିନି ଜଣଙ୍କ ପାଖରୁ ଦାମୀ ବାଇକ୍ ଓ ମୋବାଇଲ ଚୋରି ନେଇଥିବା ବେଳେ ଜଣେ ବୁଲା ପରିବା ବେପାରୀ କୁ ଅଟକାଇ ତାର ସବୁତକ ଟଙ୍କା ଲୁଟି ନେଇଛନ୍ତି ।  ଚୋରି ହେବା ପରେ ଡାବୁଗାଁ ଥାନାରେ ତିନୋଟି ଭିନ୍ନ ଭିନ୍ନ ଅଭିଯୋଗ ହୋଇଥିବା ଜଣା ପଡ଼ିଛି । ତେବେ ଦୁର୍ବୃତ୍ତ ମାନଙ୍କ କୌଣସି ସୁରାଗ୍ ମିଳି ପାରି ନାହିଁ ।

ସୂଚନା ଅନୁଯାୟୀ ଗତ ମଙ୍ଗଳବାର ୨୦ ତାରିଖ ଦିନ ଡାବୁଗାଁ ଥାନା ଚଚରାଗୁଡ଼ା ପଞ୍ଚାୟତ ଅଧୀନ ଡଙ୍ଗରିଗୁଡ଼ା ଗ୍ରାମର ଫକୀର ମୋହନ ମାଝୀ ତାଙ୍କ ନୂଆ ହିରୋ ଗ୍ଲେମର ବାଇକ୍  (ଓଡି ୨୪ ସି ୪୦୯୫ ) ଘର ମଧ୍ୟରେ ରଖିଥିଲେ । ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ଆସି ତାଙ୍କ ଘରର ସମ୍ମୁଖ କବାଟ ବନ୍ଦ କରି ବାଇକଟିକୁ ନେଇ ଯାଇଥିଲେ  । ସେହିପରି, ଗତ ୨୫ ତାରିଖ ଶନିବାର ଦିନ ସନ୍ଧ୍ୟା ପ୍ରାୟ ୬ ଘଣ୍ଟା ସମୟରେ କଲାର୍ ଗୁଡ଼ା ଗ୍ରାମର ବରୁଣ କଲାରଙ୍କ ଦୋକାନ ମଧ୍ୟରେ ଥିବା ଏକ ଦାମୀ ମୋବାଇଲକୁ କୌଶଳ କରି ଦୁର୍ବୃତ୍ତ ମାନେ ନେଇ ଚମ୍ପଟ ମାରିଥିଲେ । ଚୋରି ମୋବାଇଲର ଆନୁମାନିକ ମୂଲ୍ୟ ୧୫ ହଜାର ଟଙ୍କା ବୋଲି ଜଣା ପଡିଛି । ସେହି ଶନିବାର ଦିନ ଚଚରାଗୁଡ଼ା ପଞ୍ଚାୟତ ର ବରଗୁଡ଼ା ଗ୍ରାମର ପରିବା ବେପାରୀ ରୁକ୍ ଧର ଭତରା  ବିଭିନ୍ନ ଗ୍ରାମ ବୁଲି ପରିବା ବିକ୍ରି କରି ନିଜ ଗ୍ରାମ କୁ ଫେରୁଥିବା ସମୟରେ ଅପରାହ୍ନ ପ୍ରାୟ ୪ ଟା ବେଳେ କୁସୁମ ବନ୍ଧ ଓ ଜନ୍ଦରିଗୁଡ଼ା ଗ୍ରାମ ମଝିରେ ଥିବା ଏକ ନିଛାଟିଆ ସ୍ଥାନରେ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ୍ ରେ ଆସି ରୁକ୍ ଧର କୁ ଅଟକାଇ ତାକୁ ଛୁରୀ ଦେଖାଇ ଟାଠାରୁ ସବୁତକ ଟଙ୍କା ନେଇ ଯାଇଥିଲେ । ସୋମବାର ୨୬ ତାରିଖ ଦିନ ସକାଳ ପ୍ରାୟ ୮ ଘଣ୍ଟା ସମୟରେ  ଡଙ୍ଗରିଗୁଡ଼ା ଗ୍ରାମର ଶିକ୍ଷକ କର୍ଣ୍ଣ ମାଝୀଙ୍କ ଘର ଭିତରେ ପ୍ରବେଶ କରି ଦୁର୍ବୃତ୍ତ ମାନେ କୌଶଳ କରି ଏକ ଦାମୀ ମୋବାଇଲ ଚୋରି କରି ନେଇଯାଇଥିଲେ  । ଯାହାର ମୂଲ୍ୟ ୨୦ ହଜାର ବୋଲି ଜଣାପଡିଛି । ତେବେ ଗୋଟିଏ ସପ୍ତାହ ମଧ୍ୟରେ ଡାବୁଗାଁ ଥାନା ଚଚରାଗୁଡ଼ା ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ଏପରି ଚୋରି ଓ ଡକାୟତ ହୋଇଥିବାରୁ ଲୋକେ ଆତଙ୍କିତ ହୋଇ ପଡିଛନ୍ତି  । ବାଇକ୍ ଓ ମୋବାଇଲ ଚୋରି ପରେ ସମସ୍ତ ୩ ଜଣ ଡାବୁଗାଁ ଥାନାରେ ଏତଲା ଦେଇଥିବା ବେଳେ ଦୁର୍ବୃତ୍ତ ମାନଙ୍କ କୌଣସି ସୁରାଗ୍ ମିଳିପାରି ନାହିଁ  ।

ସମ୍ବନ୍ଧିତ ଖବର