ନବରଙ୍ଗପୁର: ଭିନ୍ନକ୍ଷମ ବୃଦ୍ଧା ଅନ୍ତ ଭତ୍ରା। ବୟସ ପ୍ରାୟ ୬୮ ହେବ। ଗତ ୩ବର୍ଷ ପୂର୍ବେ ସ୍ୱାମୀ ମୃତ୍ୟୁବରଣ ପରେ ପକ୍ଷାଘାତରେ ଗୋଟିଏ ଗୋଡ ଓ ଗୋଟିଏ ହାତ କାମ କରୁନି। ଏପଟେ ମାନସିକ ଭିନ୍ନକ୍ଷମ ଯୋଗୁଁ ସ୍ୱାମୀଙ୍କ ନାମ ବି କହିପାରୁନାହାନ୍ତି। କେହି ସନ୍ତାନ ନାହାନ୍ତି। ବୟସର ଅପରାହ୍ନରେ ଶେଷ ସମୟ କଟାଇବା ପାଇଁ ଛତିଶଗଡ ଛାଡି ନବରଙ୍ଗପୁର ବ୍ଲକର ପୂଜାରୀପୁଟ ଗ୍ରାମରେ ରହୁଥିବା ଭାଇଙ୍କ ପାଖରେ ଆଶ୍ରୟ ନେଇଛନ୍ତି। ବହୁ ବର୍ଷ ତଳେ ସେ ଛତିଶଗଡର ବସ୍ତର ନିକଟରେ ବିବାହ କରିଥିଲେ। ସେଠାରେ ଘର ନାହିଁ। ତେଣୁ ବାଧ୍ୟ ହୋଇ ଭାଇଙ୍କ ଉପରେ ବୋଝ ହୋଇଛନ୍ତି। ଭାଇ ଅର୍ଜୁନଙ୍କ ଉପରେ ପରିବାର ବୋଝ ଥିଲେ ମଧ୍ୟ ଭଉଣୀର ଅସହାୟ ଅବସ୍ଥା ଦେଖି ନିଜ ଘରେ ଆଶ୍ରୟ ଦେଇଛନ୍ତି।
ତେବେ ଅନ୍ତି ପୂଜାରୀଗୁଡା ଗ୍ରାମରେ ଗତ ୩ ବର୍ଷରୁ ଊର୍ଧ୍ୱ ସମୟ ଧରି ରହୁଥିଲେ ମଧ୍ୟ ତାଙ୍କୁ ଭିନ୍ନକ୍ଷମ କିମ୍ବା ବାର୍ଦ୍ଧକ୍ୟ ଭତ୍ତା ମିଳିପାରି ନାହିଁ। ଏପରିକି ତାଙ୍କ ନାମରେ ରାସନ କାର୍ଡ ନାହିଁ କି ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହୋଇପାରି ନାହାନ୍ତି। ସ୍ୱାସ୍ଥ୍ୟ ବୀମା କାର୍ଡ ନଥିବାରୁ ମେଡିକାଲରେ ଚିକିତ୍ସା ହୋଇପାରୁ ନାହାନ୍ତି କି ନିରାମୟ ଔଷଧ ମିଳୁନାହିଁ। ଏପରି ଅବସ୍ଥାରେ ଅନ୍ତିଙ୍କୁ କିଛି ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ସେ ପକ୍ଷାଘାତରେ ଆକ୍ରାନ୍ତ ହୋଇଥିବାରୁ ଗୋଟିଏ ଜାଗାରେ ବସି ନରହି ଗୁରୁଣ୍ଡି ଗୁରୁଣ୍ଡି ଖଣ୍ଡିଏ ବାଡି ଧରି ନିକଟସ୍ଥ ଏକ ବୃକ୍ଷ ମୂଳେ ଆଶ୍ରୟ ନେଉଛନ୍ତି। ତେଣୁ ଭିନ୍ନକ୍ଷମ ବିଧବା ବୃଦ୍ଧା ଅନ୍ତି ଭତ୍ରାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ସହ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି।