ନବରଙ୍ଗପୁର ଜିଲ୍ଲାରେ ସୋମବାର ରାତି ୯ଟାରୁ ଗୁରୁବାର ସକାଳ ୫ଟା ପର୍ଯ୍ୟନ୍ତ ସଟଡାଉନ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ରାତି ୯ଟାରୁ ଗୁରୁବାର ସକାଳ ୫ଟା ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି ।

ଏହି ସଟଡାଉନ ସମୟରେ ଲୋକମାନଙ୍କ ଚଳାଚଳ ଉପରେ ସଂପୂର୍ଣ୍ଣ କଟକଣା ଲଗାଯାଇଛି । ଏହା ସହିତ ଲୋକମାନେ ଏକାଠି ହେବାକୁ ବାରଣ କରାଯାଇଛି । ସେହିପରି ବିବାହ ଶୋଭାଯାତ୍ରା, ଭୋଜି, ସାମାଜିକ ଉତ୍ସବ, ରାଜନୈତିକ ଓ ଧାର୍ମିକ ସଭା ଆଦି ଆୟୋଜନ ଉପରେ ସଂପୂର୍ଣ୍ଣ କଟକଣା ରହିଛି । ସବୁ ହୋଟେଲ ଓ ଲଜଗୁଡ଼ିକରେ କୋଭିଡ-୧୯ କଟକଣାକୁ କଡ଼ାକଡ଼ିଭାବେ ପାଳନ କରିବାକୁ କୁହାଯାଇଛି ।
ତେବେ ଏହି ସଟଡାଉନ ସମୟରେ ଜରୁରୀକାଳୀନ ସେବା ଜାରି ରହିବ । ହସପିଟାଲ, କ୍ଲିନିକ, ପରୀକ୍ଷାଗାର, ମ୍ୟୁନିସିପାଲିଟି, ପୋଲିସ, ଦମକଳ ଅପିସ, ଟେଲିକମ ସେବା, ପେଟ୍ରୋଲ ପମ୍ପ, ଗଣମାଧ୍ୟମ ଅଫିସ, ବିଦ୍ୟୁତ ଯୋଗାଣ, ମାଲ ପରିବହନ, ଶିଳ୍ପ ପ୍ରତିଷ୍ଠାନ, ମିଲକବୁଥ, କୃଷିକାର୍ଯ୍ୟ, ଏଟିଏମ, ଜାତୀୟ ରାଜପଥରେ ଥିବା ଢାବା ଆଦିକୁ ଅନୁମତି ଦିଆଯିବ ।

ବିବାହ ଓ ଅନ୍ତେଷ୍ଟିକ୍ରିୟା ଆଦି କାର୍ଯ୍ୟ ପ୍ରଶାସନର ଅନୁମତିରେ କରାଯାଇପାରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି । ସୂଚନାଯୋଗ୍ୟ ଯେ ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ।

ସମ୍ବନ୍ଧିତ ଖବର