ଅଷ୍ଟମ ଶ୍ରେଣୀ ଛାତ୍ର ନିଖୋଜ, ଚିନ୍ତାରେ ପରିବାର ଲୋକ

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ପାରୁଆ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ହଷ୍ଟେଲରେ ରହୁଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ନିଖୋଜ ଥିବା ଜଣାପଡିଛି। ହଷ୍ଟେଲ ପରିଚାଳନା ଦାୟିତ୍ୱରେ ଥିବା ଶିକ୍ଷକଙ୍କ ଅବହେଳା ଯୋଗୁଁ ଛାତ୍ର ଜଣକ ନିଖୋଜ ହୋଇଥିବା ସାଧାରଣରେ ଆଲୋଚନା ହେଉଛି। ଅନ୍ୟପଟେ ପୁଅ ନିଖୋଜ ହେବା ଜାଣିବା ପରେ ପରିବାର ଲୋକ ଚିନ୍ତାରେ ପଡିଛନ୍ତି।
ସୂଚନା ଅନୁଯାୟୀ, ରାଇଘର ବ୍ଲକ ଅନ୍ତର୍ଗତ ଯୋଡିଙ୍ଗା ଗ୍ରାମର ସାଲିକ୍‌ ହରିଜନଙ୍କ ପୁଅ ପିଣ୍ଟୁ ପାରୁଆ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ହଷ୍ଟେଲରେ ରହି ଅଷ୍ଟମ ଶ୍ରେଣୀ ପଢୁଛି। ତେବେ ଗତକାଲି ସକାଳ ପ୍ରାୟ ୯ଟାରେ ପିଣ୍ଟୁ ହଷ୍ଟେଲରୁ ବାହାରି କେଉଁଆଡେ ଚାଲି ଯାଇଥିଲା। ଏନେଇ ଜାଣିବା ପରେ ଗତକାଲି ଅପରାହ୍ନରେ ସ୍କୁଲ କର୍ତୃପକ୍ଷ ପିଣ୍ଟୁଙ୍କୁ ପରିବାରକୁ ଫୋନ କରି ପିଣ୍ଟୁ ଘରେ ଅଛିକି ବୋଲି କହିଥିଲେ। ତେବେ ପିଣ୍ଟୁ ଘରେ ନଥିବା ନେଇ ତାଙ୍କ ବାପା ସାଲିକ୍‌ କହିଥିଲେ। ଏହା ଜାଣିବା ପରେ ସ୍କୁଲ ପ୍ରଧାନ ଶିକ୍ଷକ ସଞ୍ଜିତ ସରକାର ଗତକାଲି ଠାରୁ ବିଭିନ୍ନ ସ୍ଥାନରେ ପିଣ୍ଟୁକୁ ଖୋଜାଖୋଜି କରୁଥିବା ବେଳେ ପୁଅ ନିଖୋଜ ଥିବା ଜାଣିବା ପରେ ବାପା ସାଲିକ୍‌ ହରିଜନ ଗୁଣିଆର ଶରଣ ପଶିଥିବା ଜଣାପଡିଛି।

ଏନେଇ ସ୍ଥାନୀୟ ସିଆରସିସି ପ୍ରମୋଦ କୁମାର ମଲ୍ଲିକଙ୍କୁ ପଚାରିବାରୁ ଛାତ୍ର ନିଖୋଜ ନେଇ ତାଙ୍କ ନିକଟରେ ଖବର ନଥିବା କହିଥିଲେ। ପ୍ରକାଶ ଥାଉକି, ପାରୁଆ ଉଚ୍ଚ ବିଦ୍ୟାଳୟର ହଷ୍ଟେଲ ବିଦ୍ୟାଳୟ ଠାରୁ ୫ଶହ ମିଟର ଦୂରରେ ରହିଛି। ହଷ୍ଟେଲ ଚାରିପଟେ ପାଚେରୀ ନଥିବାରୁ ପିଲା ଅୁସରକ୍ଷିତ ଭାବେ ହଷ୍ଟେଲରେ ରହୁଛନ୍ତି। ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷକଙ୍କ ଅବହେଳା ଯୋଗୁଁ ଏଭଳି ପରିସ୍ଥିତି ଦେଖାଦେଇଥିବା ସାଧାରଣରେ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର