ଚନ୍ଦାହାଣ୍ଡି: ଚନ୍ଦାହାଣ୍ଡି ବା ପାନାବେଡା ଅଂଚଳରେ ଯେଉଁ ପ୍ରମୂଖ ଦେବାଦେବୀ ଆଦିମ କାଳରୁ ପୂଜା ପାଇ ଆସୁଛନ୍ତି ସେମାନଙ୍କ ପୂଜା ବିଧି, ଅବସ୍ଥିତି କିମ୍ବା କିମ୍ବଦନ୍ତୀ ସଂପର୍କରେ ଶୁଣିଲେ ଅତୀବ ବୈଚିତ୍ରତା ବହନ କରେ । ପ୍ରମୂଖ ଦେବାଦେବୀଙ୍କ ମଧ୍ୟରେ ମୋତି ଗାଁର ଖମ୍ବେଶ୍ୱରୀ, ପାଟଖଲିଆର ପାଟରାଣୀ, ଅନକାବେଡାର ମା ପେଣ୍ଢ୍ରାଣୀ, ଚନ୍ଦାହାଣ୍ଡିର ମଣ୍ଡଳଭୀମା ଏବଂ ତେନ୍ତୁଳିପଡାର ଖଲିଗଢେନ ଅନ୍ୟତମ ।
ଏ ସମସ୍ତ ଦେବାଦେବୀଙ୍କ ମଧ୍ୟରୁ ତେନ୍ତୁଳିପଡା ସ୍ଥିତ ମା ଖଲିଗଡେନଙ୍କ କିମ୍ବଦନ୍ତୀ, ପୂଜାବିଧି ଓ ପରମ୍ପରାକୁ ଆଲୋଚନା କଲେ ଏହାର ମାହାତ୍ମ୍ୟ ଓ ଅବସ୍ଥିତି ଅତ୍ୟନ୍ତ ନିଆରା ଭଳି ମନେହୁଏ । ଜମାଦାରପଡା ଗ୍ରାମ ପଂଚାୟତର ତେନ୍ତୁଳିପଡା ଗ୍ରାମର ଅନତିଦୂରେ ମା ଖଲିଗଡେନଙ୍କ ପୀଠ ଅବସ୍ଥିତ । ପ୍ରାୟ ୧୦ ଏକର ଓସାର ଓ ୨୦୦ ମିଟର ଉଚ୍ଚ ବିଶିଷ୍ଟ ଏକ ବିରାଟ ପଥର ଚଟାଣ ମଧ୍ୟରେ ଖଲିଗଡେନଙ୍କ ଉତ୍ପତି ସ୍ଥଳି ରହିଛି । ଏହି ପ୍ରଶସ୍ଥ ପଥର ଚଟାଣ ଉପରେ ଏକ ଶୈବ ଲିଙ୍ଗ ଥିବା କୁହାଯାଏ , ଯାହା ଅତି ପ୍ରାଚୀନ ହୋଇଥିବାରୁ କାଳକ୍ରମେ ଦୃଶ୍ୟମାନ ହୁଏ ନାହିଁ । ସେହିଭଳି ଚଟାଣ ଉପରେ ଏକ ପୁଷ୍କରିଣୀ ସଦୃଶ୍ୟ ଏକ ବିରାଟ ଗର୍ତ ରହିଛି ଏଥିରେ ଥିବା ପାଣି କେବେ ମଧ୍ୟ ଶୁଖେନାହିଁ । ଏହି ଚଟାଣ ଖଲି ଆକାର ଧାରଣ କରି ଏକ ଗଡ ଭଳି ରହିଥିବାରୁ ମା ଙ୍କ ନାମ ଖଲିଗଡେନ ହୋଇଥିବା ଲୋକ କଥା ରହିଛି ।
ଏହି ଅଂଚଳର ସମସ୍ତ ଦେବା ଦେବୀଙ୍କ ମଧ୍ୟରୁ ପ୍ରଥମେ ମାଁ ଖଲିଗଡେନ ଙ୍କ ଦଶହରା ପୂଜା ପାଳିତ ହୋଇଥାଏ । ଆଶ୍ୱିନ ମାସର ପ୍ରଥମ ସୋମବାର ଦିନ ଏହି ପୂଜା ଅନୁଷ୍ଠିତ ହୋଇଥାଏ । ଏହି ପୂଜାକୁ ଆସିବାକୁ ଅଂଚଳର ସମସ୍ତ ଦେବା ଦେବୀଙ୍କୁ ଫୁଲ ଡବଲା ମାଧ୍ୟମରେ ନିମନ୍ତ୍ରଣ କରାଯାଏ । ଫୁଲ ଡବଲା ପାଇବା ପରେ ଦେବା ଦେବୀ ପ୍ରତିକ ଭାବେ ବିଭିନ୍ନ ଗ୍ରାମର ଲାଠି,ବିମାନ ସବୁ ଅଣାଯାଇଥାଏ । ଏହା ପରେ ଏହାର ପାଦ ଦେଶରେ ଥିବା ଏକ ବିରାଟ ବୃକ୍ଷ ନିକଟରେ ଛାଗ, କୁକୁଡା, ପାରା ଆଦି ମନଷ୍କାମନା ଧାରୀଙ୍କ ବଳି ଦିଆଯାଇ ପ୍ରକୃତିର ଉପାସନା କରାଯାଇଥାଏ ।
ଚଳିତ ବର୍ଷ ଖଲିଗଡେନଙ୍କ ଦଶହରାରେ ଯୋଗ ଦେବା ନିମନ୍ତେ ବହୁ ଶ୍ରଦ୍ଧାଳୁ ଭକ୍ତ ଗାଁ ମୁଖିଆ ,ଆଖ ପାଖ ଗ୍ରାମର ଗଣ୍ଡା, ଦିଶାରୀ, ଶିରା, ପୂଜାରୀ, ନରିଆ ଙ୍କ ସମାଗମ ହୋଇଥିଲା । ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ମା ଙ୍କ ପୂଜା ଅର୍ଚ୍ଚନା ହୋଇଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଯାତ୍ରା ରେ ବହୁ ନେତୃ ସ୍ଥାନୀୟ ବ୍ୟକ୍ତି ଯୋଗ ଦେଇ ଆଶିର୍ବାଦ ଲାଭ କରିଥିବା ବେଳେ ପୂଜକ ସମ୍ପଦ ପୂଜାରୀ,ଅକାଳୁ ଚରଣ ଜାଲି, ବାସୁଦେବ ସୁନା,ଧୀରେନ୍ଦ୍ର ଜଗତ,ଥବିର ଜାଲ,ଶ୍ୟାମଘନ ବେମାଲ,ଟିକରାମ ସୁନା,ତ୍ରିଲୋଚନ ବାଘ,ଭୁବନ ସୁନା,ଯଦୁ ଝରିଆ,ଚକ୍ର ପୁଜାରୀ, ଯୋଗେନ୍ଦ୍ର ଝରିଆ,ଗଗନେଶ୍ବର ନିୟାଲ, ଗିରିଧାରୀ ତେଜିଙ୍କ ସମେତ ବୋରିଗୁଡା, ତେନ୍ତୁଳିପଡା ଏବଂ ବଡମୁଣ୍ଡା ଗ୍ରାମବାସୀ ପୂଜା କାର୍ଯ୍ୟରେ ସହ ଯୋଗ କରିଥିଲେ ।