ନବରଙ୍ଗପୁର/ରାଇଘର:  ଏକତରଫା ପ୍ରେମ ଏଵେ ଜଣେ ନିରୀହ ଛାତ୍ରୀର ଜୀବନ ନେବାକୁ ବସିଛି l ଏକତରଫା ଭାବେ ପ୍ରେମରେ ପଡ଼ିଥିବା ଯୁବକର ଅମାନୁଷିକ କାର୍ଯ୍ୟକୁ ସହି ନପାରି ବିଏସସି ନର୍ସିଂ ଛାତ୍ରୀ ଜଣକ ବିଷ ପିଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଘଟଣା ଏଵେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l ଉକ୍ତ ଯୁବକଙ୍କ ଦ୍ୱାରା ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ମାନସିକ ନିର୍ଯ୍ୟାତନା ସହି ନପାରି ଶେଷରେ ଛାତ୍ରୀ (ପୀଡ଼ିତା) ଜଣକ ଏଭଳି ଚରମ ପଦକ୍ଷେପ ଗ୍ରହଣ କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି l

Advertisment

ଅନ୍ୟପଟେ ପରିବାର ଲୋକ ନିଜ ଝିଅକୁ ବଞ୍ଚାଇବାକୁ ଚେଷ୍ଟା କରି ବିଭିନ୍ନ ମେଡିକାଲକୁ ନେଇ ନିରାଶ ହୋଇ ଘରକୁ ଫେରାଇ ଆଣିଥିଲେ l ଏଵେ ସେ ଏମ୍ସରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ପୁଲିସ ପକ୍ଷରୁ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିବା ଜଣାପଡ଼ିଛି l

ଏଭଳି ଏକ ଦୟନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଞ୍ଚଳରେ l ଅଭିଯୁକ୍ତ ଯୁବକ ଜଣକ ସ୍ଥାନୀୟ ବ୍ଲକର ଗୁରୁସିଂଘା ଗ୍ରାମର ସତ୍ୟଜିତ ସରକାର ଏବଂ ସେ କୃଷି ବିଜ୍ଞାନ ଛାତ୍ର ଭାବେ ଭୁବନେଶ୍ୱରରେ ରହି ପାଠ ପଢ଼ୁଥିବା ଜଣାପଡ଼ିଛି l ସତ୍ୟଜିତ ପୀଡ଼ିତାଙ୍କୁ ଏକତରଫା ଭଲପାଇବା ସହିତ ତାଙ୍କୁ ବାରମ୍ବାର ହଇରାଣ କରୁଥିଲେ l ଗତ ୧୩ ତାରିଖ ଦିନ ପୀଡ଼ିତା ଜଣକ ବଜାରକୁ ସଉଦା କିଣିବାକୁ ଯାଇଥିବା ବେଳେ ସତ୍ୟଜିତ ସେଠାରେ ପହଞ୍ଚି ପୀଡ଼ିତାକୁ ବିଚ ବଜାରରେ ମାରପିଟ କରିଥିଲେ l ଏଥିରେ ପୀଡ଼ିତାଙ୍କ ଆଖି ଓ ମୁହଁ ଫୁଲିଯାଇଥିଲା। ସେ ରକ୍ତାକ୍ତ ଅବସ୍ଥାରେ ଜୟପୁର ଟାଉନ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ l

ଅଭିଯୋଗ ପରେ ସେ ପରିବାର ଲୋକଙ୍କ ସହ ଘରକୁ ଚାଲି ଆସିଥିଲେ l ଅପରପକ୍ଷରେ ପୁଲିସ ସତ୍ୟଜିତକୁ ଗିରଫ କରି ସର୍ତ୍ତମୂଳକ ଜାମିନରେ ଛାଡ଼ି ଦେଇଥିଲା l ଜାମିନରେ ଫେରି ସତ୍ୟଜିତ ପ୍ରତିଶୋଧ ପରାୟଣ ହୋଇ ପୀଡିତା ଓ ତାଙ୍କ ପୁରୁଷ ବନ୍ଧୁଙ୍କ କିଛି ଫୋଟ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଥିଲା। ଏଥିରେ ପୀଡିତା ଲୋକାଲଜ୍ଜା ସହି ନପାରି ୧୭ ତାରିଖରେ ଘରେ ଥିବା ଘାସମରା କୀଟ ନାଶକ ଔଷଧ (ବିଷ) ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ l

ଘରଲୋକ ଘାସମରା ବିଷ ଖାଇବା ଜାଣିପାରି ତାଙ୍କୁ ଉମରକୋଟ ମେଡିକାଲକୁ ନେଇ ଯାଇଥଲେ l ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କୋଣ୍ଡାଗାଁ ଓ ପରେ ରାୟପୁରକୁ ନେଇ ଯାଇଥିଲେ l କିନ୍ତୁ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନହେବା ସହ ଡାକ୍ତର ହାତ ଟେକି ଦେଇ ଘରକୁ ନେଇଯିବାକୁ କହିଥିଲେ l ଫଳରେ ଗତ ଜୁଲାଇ ୨୧ରେ ପରିବାର ଲୋକେ ପୀଡିତାଙ୍କୁ ଘରକୁ ନେଇ ଯାଇଥିଲେ l ସେହିଦିନଠାରୁ ପୀଡିତା ଘରେ ଜୀବନ ମରଣ ସହ ସଂଗ୍ରାମ କରି ଆସୁଥିଲେ।

ଗତକାଲି ରାଇଘର ଥାନାରେ ପୀଡିତାଙ୍କ ଦାଦା ଏକ ଲିଖିତ ଅଭିଯୋଗ କରିବା ପରେ ରାଇଘର ପୁଲିସ ପୀଡିତାଙ୍କ ବୟାନ (ଜମାନବନ୍ଦୀ) ନେଇଥିବା ଜଣାପଡିଛି। ଆଜି ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ କରି ପୀଡ଼ିତାଙ୍କୁ ପ୍ରଥମେ ଉମରକୋଟ ଓ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇକି ଯାଇଥିଲେ l ସେଠାରୁ ତାଙ୍କୁ ବର୍ତ୍ତମାନ ଭୁବନେଶ୍ୱରସ୍ଥିତ ଏମ୍ସ ମେଡିକାଲକୁ ସ୍ଥାନନ୍ତର କରାଯାଇଛି l ଅନ୍ୟପଟେ ପୁଲିସର ଏକ ଟିମ ଅଭିଯୁକ୍ତ ସତ୍ୟଜିତକୁ ଉଠେଇ ଆଣିବାକୁ ଯୋଜନା ଚଳାଇଥିବା ସୂଚନା ମିଳିଛି l