ଡାବୁଗାଁ:ନବରଙ୍ଗପୁରଜିଲ୍ଲା ଡାବୁଗାଁ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ସ୍ୱଚ୍ଛ ଭାରତ ମିଶନ ତରଫରୁ ନିର୍ମାଣ କରାଯାଇଥିବା ଆବର୍ଜନା କୁଣ୍ଡ କୌଣସି କାମରେ ଲାଗୁନି। ଗ୍ରାମାଞ୍ଚଳରେ ତିଆରି ହୋଇଥିବା ଏହି ଆବର୍ଜନା କୁଣ୍ଡ ଗୁଡ଼ିକ ସଚେତନ ଅଭାବ ଯୋଗୁ ଲୋକେ ବ୍ୟବହାର କରି ନ ଥିବା ବେଳେ ସ୍ୱଚ୍ଛ ଭାରତ ମିଶନ ଫେଲ ମାରିଛି।
ସୂଚନା ଅନୁଯାଇ ଗାଁ ପରିମଳକୁ ସଫା ସୁତୁରା ରଖିବା ପାଇଁ ସରକାର ସ୍ୱଚ୍ଛ ଭାରତ ମିଶନ ତରଫରୁ ଗାଁ ର ବିଭିନ୍ନ ଛକ ,ବଜାର, ଜନ ଗହଳି ସ୍ଥାନ ମାନଙ୍କରେ ୨୫ ହଜାର ଟଙ୍କା ବ୍ୟୟରେ ଗୋଟିଏ ଲେଖାଏ ଆବର୍ଜନା କୁଣ୍ଡ ଗୃହ ନିର୍ମାଣ କରିଛନ୍ତି। ଗାଁ ର ଯାବତୀୟ ଆବର୍ଜନା ଏହି ଆବର୍ଜନା କୁଣ୍ଡ ଗୃହରେ ପକାଇଲେ ଏହାକୁ ପୁନର୍ବାର ସଫେଇ କରାଯାଇ ଗାଁ ପରିମଳ ସୁସ୍ଥ ରଖିବା ସରକାରଙ୍କ ଲକ୍ଷ୍ୟ ରହିଛି। ତେବେ ଗ୍ରାମାଞ୍ଚଳ ରେ ଲୋକେ ଏହି ଆବର୍ଜନା କୁଣ୍ଡର କାର୍ଯ୍ୟ ସମ୍ବନ୍ଧରେ ଅବଗତ ନ ଥିବାରୁ ଅଳିଆ ଆବର୍ଜନା ପୂର୍ବପରି ଗାଁ ର ପ୍ରମୁଖ ଛକ,ବଜାର ଓ ଗହଳି ସ୍ଥାନ ମାନଙ୍କରେ ପକାଉଛନ୍ତି।
ଯାହା ଦ୍ଵାରା ଗାଁ ର ପରିମଳ ବ୍ୟବସ୍ଥା ସୁଧୁରିବା ପରିବର୍ତ୍ତେ ଅଧିକ ଅପରିଷ୍କାର ହେଉଛି। ଜନ ଗହଳି ପୂର୍ଣ୍ଣ ସ୍ଥାନମାନଙ୍କରେ କୁଢ଼ କୁଢ ଆବର୍ଜନା ପଡ଼ି ରହିବାରୁ ପରିବେଶ ପୂତ ଗନ୍ଧମୟ ରହିବା ସହ ମଶା ମାଛିଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଛି। ଏହା ଦ୍ବାରା ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ୨୫ ହଜାର ଟଙ୍କା ବ୍ୟୟରେ ନିର୍ମିତ ଆବର୍ଜନା କୁଣ୍ଡ ଗୃହର ବ୍ୟବହାର ଜାଣି ପାରୁ ନ ଥିବା ବେଳେ ଦୃର୍ବୁତ୍ତ ମାନେ ଏହାର ଆଜବେଷ୍ଟ, ଲୁହା ଆଦି ଚୋରି କରି ନେଉଥିବା ଦେଖିବାକୁ ମିଳିଛି। ଯେଉଁ ଅଳ୍ପ କେତେକ ସ୍ଥାନରେ ଆବର୍ଜନା ଗୁଡ଼ିକ ଆବର୍ଜନା କୁଣ୍ଡ ଗୃହରେ ପକାଯାଉଛି। ତାକୁ ପଞ୍ଚାୟତ ତରଫରୁ ଦୀର୍ଘ ଦିନ ଧରି ସଫେଇ କରାଯାଉ ନାହିଁ। ଏପରି ସ୍ଥଳେ ଡାବୁଗାଁ ବ୍ଲକ ରେ ଆବର୍ଜନା କୁଣ୍ଡ ଗୃହ ନିର୍ମାଣ କରାଯାଇ ସରକାରଙ୍କ ଟଙ୍କା ପାଣି ରେ ପକାଇବା ସହ ସ୍ୱଚ୍ଛ ଭାରତ ମିଶନ ପ୍ରହସନ ପାଲଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/07/31/49e54bbc-fbb0-4de2-9b14-bb719fa0763a-2025-07-31-20-26-51.jpg)