ତେଜୁଛି ତେଲନଦୀ ଜଳ ବିବାଦ:ବିରଲାଠିରେ ଛତିଶଗଡ଼ ଜଳ ବିଦ୍ୟୁତ ପ୍ରକଳ୍ପ କରିବାର ପ୍ରମାଣ ଦେବ କଂଗ୍ରେସ

ନବରଙ୍ଗପୁର: ତେଲନଦୀକୁ କେନ୍ଦ୍ର କରି ନବରଙ୍ଗପୁର ଜିଲ୍ଲା ରାଜନୀତି ପୁଣି ଉଷ୍ମ ହୋଇଛି। ପ୍ରଥମେ କଂଗ୍ରେସ ବିରାଲାଠି ଠାରେ ଛତିଶଗଡ ଆସି ସର୍ଭେ କରୁଥିବା ଏବଂ ଏହି ପ୍ରକଳ୍ପ ନିର୍ମାଣ ହେଲେ ୪୦ଖଣ୍ଡ ଗାଁର ଚାଷ ଜମି କ୍ଷତିଗ୍ରସ୍ତ ହେବ ବୋଲି ମତ ରଖିଥିଲା। ପରେ ବିଜେଡି ପ୍ରତିକ୍ରିୟା ପ୍ରକାଶ କରି ଓଡ଼ିଶା ପାଇଁ ପ୍ରକଳ୍ପ ନିମନ୍ତେ ସର୍ଭେ ହେଉଥିବା କହିଥିଲା। ଏହାପରେ ବିରାଲାଠି ଜଳ ବିଦ୍ୟୁତ ପ୍ରକଳ୍ପକୁ ନେଇ ଲାଗି ରହିଥିବା ଛକାପଞ୍ଝାରେ ବିରାମ ଲାଗିବ ବୋଲି ଆଶା କରାଯାଉଥିଲା। ହେଲେ କଂଗ୍ରେସ ଏହି ପ୍ରସଙ୍ଗକୁ ନେଇ ପୁଣି ନୂଆ ତଥ୍ୟ ସାମ୍ନାକୁ ଆସିଛି। ନିଜ ପୂର୍ବ ବୟାନରେ ଅଟଳ ରହିବା ସହ ଛତିଶଗଡ ପକ୍ଷରୁ ହିଁ ବିରଲାଠି ଠାରେ ସର୍ଭେ ହୋଇଥିବା ଦୃଢ଼ତାର ସହ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛି। ଖୁବ୍‌ଶୀଘ୍ର କଂଗ୍ରେସ ଏହାର ପ୍ରମାଣ ଦେବ ବୋଲି କହିଛି। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ କହିଥିଲେ ଯେ, ତେଲନଦୀରେ ଛତିଶଗଡ ଗୋଟିଏ ପରେ ଗୋଟିଏ ପ୍ରକଳ୍ପ ନିର୍ମାଣ କରି ଚାଲିଛି। ଏହି ସଂପର୍କରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଆଦୌ ଜାଣିପାରୁ ନାହିଁ।

ଛତିଶଗଡ ଉମାଡ ଠାରେ ନିର୍ମାଣ କରୁଥିବା ଜଳସେଚନ ପ୍ରକଳ୍ପ ତାହାର ଏକ ଉଦାହରଣ। ଏହି ପ୍ରକଳ୍ପ ତେଲ ଓ ବରୀ ନଦୀର ସଂଗମ ସ୍ଥଳ ଠାରୁ ମାତ୍ର ୨୦୦ ମିଟର ଦୂର ତଥା ଓଡିଶା ସୀମାନ୍ତ ଖପରାଡିହ ଠାରୁ ମାତ୍ର ୪୦୦ ମିଟର ଦୂରରେ ରହିଛି। ଏହି ପ୍ରକଳ୍ପ ନିର୍ମାଣ ହେଲେ ଗମ୍ଭାରିଗୁଡା ଓ ମାଲଗାଁ ପଞ୍ଚାୟତର ଖପରାଡିହ, ଖଇରବାଡ, ଭେଣ୍ଡିଆ ଓ ଭୋଜପୁର ଆଦି ୧୪ଖଣ୍ଡ ଗ୍ରାମର ଚାଷ ଜମି ଜଳମଗ୍ନ ହେବ। ଏହି ପ୍ରକଳ୍ପକୁ କଂଗ୍ରେସ ବିରୋଧ କରୁଛି ଏବଂ ଛତିଶଗଡ଼ ସରକାରଙ୍କୁ ଏହା କରାଇ ଦେବୁ ନାହିଁ ବୋଲି ପ୍ରଦୀପ ମାଝୀ କହିଥିଲେ। ପ୍ରଶାସନ ଏହି ନିର୍ମାଣଧୀନ ପ୍ରକଳ୍ପ ସଂପର୍କରେ ନଜାଣିବା ତାଙ୍କୁ ଚକିତ କରିଥିବା ବେଳେ କଂଗ୍ରେସ ପ୍ରତିନିଧି ଦଳ ଏବଂ ଗଣମାଧ୍ୟମ ପହଞ୍ଚିବା ପରେ ହିଁ ଜିଲ୍ଲା ପ୍ରଶାସନ ପ୍ରକଳ୍ପ ସଂପର୍କରେ ଜାଣିବାକୁ ପାଇଥିଲା। ଏହାପରେ ପ୍ରଶାସନର ଏକ ଟିମ୍‌ ଯାଇ ତଦନ୍ତ କରି ଫେରିଛି।
ପୂର୍ବରୁ ଅନୁରୂପ ଭାବେ ବାବୁରିଆ ଠାରେ ଛତିଶଗଡ ସରକାର ତେଲନଦୀରେ ଆଡିବନ୍ଧ ନିର୍ମାଣ କରୁଥିଲେ। ସେହି ସମୟରେ ବି କଂଗ୍ରେସ ପକ୍ଷରୁ ପ୍ରତିବାଦ କରିବା ପରେ କାମ ବନ୍ଦ ହୋଇଥିଲା। ସେହିପରି ମାଲଗାଁ ନିକଟସ୍ଥ ବରେହୀ ନଦୀରେ ଛତିଶଗଡ ସରକାର ମାଲଗାଁର କିଛି ଚାଷୀଙ୍କ ପଟ୍ଟା ଜମିରେ ଡ୍ୟାମ ନିର୍ମାଣ କରିସାରିଛି। ଏହି ୨ପ୍ରକଳ୍ପ ସଂପର୍କରେ ପ୍ରଶାସନ ଜାଣିପାରି ନଥିଲା। ଛତିଶଗଡ ସରକାର ନିଜ ଚାଷୀଙ୍କ ହିତ ପାଇଁ ଗୋଟିଏ ବି ସୁଯୋଗ ହାତଛଡା କରିବା ପାଇଁ ଚାହୁଁ ନଥିବା ବେଳେ ଓଡ଼ିଶା ସରକାର ମରୁଡିଗ୍ରସ୍ତ ଚନ୍ଦାହାଣ୍ଡି ବ୍ଲକର ଚାଷୀଙ୍କ ପାଇଁ କେବଳ କୁମ୍ଭିର କାନ୍ଦଣା କାନ୍ଦୁଛି ବୋଲି ସେ କହିଥିଲେ। ନିର୍ବାଚନ ଆସିଲେ କେବଳ ଭିତ୍ତି ପ୍ରସ୍ଥର ସ୍ଥାପନ କରି ପ୍ରତିଶ୍ରୁତି ଦେଇ ଭୋଟ ହାତେଇବାରେ ଲାଗିଛି। ଛତିଶଗଡ ସରକାର ଯେଉଁଭଳି ଭାବେ ଓଡିଶା ସରକାରଙ୍କ ବିନା ଅନୁମତିରେ ତେଲନଦୀ ଓ ବରୀନଦୀରେ ଡ୍ୟାମ ନିର୍ମାଣ କରୁଛିନ୍ତି ସେହି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ପୂର୍ବତନ ସାଂସଦ ଶ୍ରୀ ମାଝୀ। ତଥାପି ଫଳ ଶୂନ। ଅପରପକ୍ଷେ ଓଡିଶା ସରକାର ଯେଉଁ ୧୭ଟି ଚେକ୍‌ ଡ୍ୟାମ ନିର୍ମାଣ କରିଛନ୍ତି ସେଥିରୁ ପାଣି ରହୁନାହିଁ ବୋଲି କଂଗ୍ରେସ ନେତା କ୍ଷମରାଜ ବାଘ କହିଥିଲେ। ସେହିପରି ଜିଲ୍ଲା ସଭାପତି ମୁନା ତ୍ରିପାଠୀ କହିଛନ୍ତି ଯେ, ବିରାଲାଠି ଠାରେ ପୂର୍ବରୁ କେବେ ହେଲେ ମଧ୍ୟ ଓଡ଼ିଶା ପକ୍ଷରୁ ସର୍ଭେ ହୋଇନଥିଲା। କେବଳ ଫଟକି ଅଞ୍ଚଳରେ ସର୍ଭେ କରି ଯାଇଥିଲେ। ଏବେ ବିରାଲାଠି ଠାରେ ଛତିଶଗଡ ସରକାରଙ୍କ ସର୍ଭେ ସଂକ୍ରାନ୍ତରେ କଂଗ୍ରେସ ଜାଣିବା ପରେ ବାଗଡିଆ ଠାରେ ତେଲନଦୀ କୂଳରେ କଂଗ୍ରେସ ପକ୍ଷରୁ ଏକ ପ୍ରତିବାଦ ସଭା କରାଯାଇଥିଲା। ଡ୍ୟାମ ନିର୍ମାଣ ହେଲେ ଝରିଗାଁ ଓ ଚନ୍ଦାହାଣ୍ଡି ବ୍ଲକର ବହୁ ଗାଁ ଜଳମଗ୍ନ ହେବ ବୋଲି କୁହାଯାଇଥିଲା।
ଲୋକଙ୍କୁ ଭୁଆଁ ଭୁଲାଇବାକୁ ବିଜେଡି କୌଣସି ସୁଯୋଗ ଛାଡୁ ନଥିବା ବେଳେ ଏହି ପ୍ରସଙ୍ଗରେ ସତ୍‌ସାହସ ଥିଲେ ଖୋଲ ମଞ୍ଚରେ ବତର୍କ କରିବାକୁ ଆସନ୍ତୁ। ଲୋକଙ୍କ ପ୍ରଶ୍ନ ଉତ୍ତର ଦିଅନ୍ତୁ ବୋଲି ଆହ୍ଵାନ ଦିଆଯାଇଥିଲା। ଡାବୁଗାଁ ବିଧାୟକ ଭୁଜବଳ ମାଝୀ କହିଥିଲେ ଯେ ଛତିଶଗର ନିର୍ମାଣାଧୀନ ଡ୍ୟାମ ଦ୍ଵାରା ଓଡିଶାର ଚାଷ ଜମି କିମ୍ବା କୌଣସି ଗାଁ କ୍ଷତିଗ୍ରସ୍ତ ହେଲେ ସେଥିପାଇଁ ସେହି ଅଞ୍ଚଳରୁ ପ୍ରତିନିଧିତ୍ୱ କରୁଥିବା ମନ୍ତ୍ରୀ ଓ ସାଂସଦ ଦାୟୀ ରହିବେ ବୋଲି କହିଥିଲେ। ଓଡିଶାର କ୍ଷତି ହେଲେ କଂଗ୍ରେସ ନିଶ୍ଚିତ ଆନ୍ଦୋଳନ କରିବ ବୋଲି କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ସଦନ ନାୟକ, ଉତ୍ତମ ତ୍ରିପାଠୀ, ଦିଲ୍ଲୀପ କୁମାର ବେହେରା, ତାଜ୍‌ ଇମ୍ରାନ ସରିଫ, କୁନା ପାଢ଼ୀ, ପ୍ରଦୀପ ସାହୁ, ବୃନ୍ଦା ତ୍ରିପାଠୀ, ଅବଦୁଲ ଫିରୋଜ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର