ଚାଳ କୁଡ଼ିଆରେ ରଘୁନାଥଙ୍କ ପରିବାର

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ରୋଜାମାଟୁ ଗ୍ରାମର ରଘୁରାମ ଜାନୀଙ୍କ ପରିବାର ଦୀର୍ଘ ବର୍ଷ ହେଲା ଚାଳ କୁଡିଆରେ ରହି ଆସୁଛନ୍ତି। ପରିଣତ ବୟସରେ ଉପନୀତ ହୋଇଥିଲେ ହେଁ କଳାହାଣ୍ଡି ଜିଲ୍ଲାରେ କୁଲି କରି ରଘୁରାମ ପରିବାର ଚଳାଉଛନ୍ତି। ଏକମାତ୍ର ପୁଅ ମଧ୍ୟ କୁଲି କରି ପରିବାର ଚଳାଇବାରେ ସହଯୋଗ କରୁଛନ୍ତି। ଘର ପାଇଁ ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କଲେ ମଧ୍ୟ ଏଥିପ୍ରତି କେହି ଗୁରୁତ୍ବ ଦେଉନଥିବା ରଘୁରାମ କୋହଭରା କଣ୍ଠରେ କହିଛନ୍ତି।
ଏକମାତ୍ର ପୁଅ କୁବେର ଓ ବୋହୂକୁ ନେଇ ରଘୁରାମ ଜାନୀଙ୍କ ପରିବାର। ବୟସ ୬୫ ଛୁଇଁଥିଲେ ହେଁ ପରିବାର ଚଳାଇବା ପାଇଁ ରଘୁନାଥ କଳାହାଣ୍ଡି ଜିଲ୍ଲାକୁ କୁଲି କାମ କରିବାକୁ ଯାଉଛନ୍ତି। ଏଥିରୁ ଯାହା ରୋଜଗାର ହେଉଛି ସେତିକିରେ ପରିବାର ଚଳୁଛି। ପୁଅ କୁବେର ମଧ୍ୟ କୁଲି କରି ପରିବାର ଚଳାଇବାରେ ବାପାଙ୍କୁ ସହ‌ଯୋଗ କରୁଛି। କିନ୍ତୁ ରଘୁନାଥଙ୍କ ନିଜର ବୋଲି ଘର ଖଣ୍ଡିଏ ନଥିବାରୁ ଏକ ଛୋଟ କୁଡିଆରେ ପୁଅ ଓ ବୋହୂଙ୍କୁ ନେଇ ଦୀର୍ଘ ବର୍ଷ ହେଲା ରହି ଆସୁଛନ୍ତି। ରଘୁନାଥଙ୍କ ପରିବାରକୁ ମାସିକ ମାତ୍ର ୧୫କିଲୋ ଚାଉଳ ମିଳୁଛି। କିନ୍ତୁ ଅଦ୍ୟାବଧି ତାଙ୍କୁ ବାର୍ଧକ୍ୟ ଭତ୍ତା ମିଳିପାରିନି। ପକ୍କାଘର ଓ ଭତ୍ତା ପାଇଁ ବହୁବାର ପ୍ରଶାସନ ଓ ରାଜନେତାଙ୍କ ନିକଟରେ ଗୁହାରି କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନି। ପାଖରେ ଟଙ୍କା ନଥିବାରୁ ରଘୁନାଥ ନିଜ ଘର ମରାମତି କରିପାରୁନାହାନ୍ତି। ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ତଥା ଅସହାୟଙ୍କୁ ପକ୍କା ଘର ଯୋଗାଇ ଦେବାକୁ ଯୋଜନା ପ୍ରଣୟନ କରିଛନ୍ତି। କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁଁ ରଘୁନାଥଙ୍କୁ ପକ୍କାଘର ମିଳିପାରୁନଥିବା ଗ୍ରାମବାସୀ କହିଛନ୍ତି। ଶୀଘ୍ର ଏହି ପରିବାରକୁ ପକ୍କାଘର ପ୍ରଦାନ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର