ଅଜଣା ଗାଡି ଧକ୍କାରେ ୩ ମୃତ 

ପାପଡାହାଣ୍ଡି/ମଇଦଲପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ବାବାଜୀଗୁଡା ଛକ ଓ କଳାହାଣ୍ଡି ସୀମାନ୍ତ ଆମ୍ବପାଣି ଘାଟିରେ ୨ଟି ପୃଥକ ସଡକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତି କରାଯାଇଛି।
ସୂଚନା ଅନୁଯାୟୀ, ପାପଡାହାଣ୍ଡି ବ୍ଲକ ମଇଦଲପୁର ପଞ୍ଚାୟତ ଅନ୍ତର୍ଗତ କାକୁଡିଆମ୍ବ ଗ୍ରାମର ଗୁଣ ଶବର (୨୩) ଓ ଦୁର୍ଜନ ନାୟକ (୨୫) ଆଜି ଭୋର ସମୟରେ ପାପଡାହାଣ୍ଡିରୁ ମଇଦଲପୁର ଅଭିମୁଖେ ଟିଭିଏସ୍‌ ସ୍ପୋର୍ଟସ ବାଇକ (ଓଡି ୨୪ସି ୨୯୭୫)ରେ ବାହାରିଥିଲେ। ବାବାଜିଗୁଡା-ଧନସୁଲି ଜାତୀୟ ରାଜପଥ ନିକଟରେ ଗୋଟିଏ ଅଜଣା ଗାଡ଼ି ବାଇକୁ ଧକ୍କା ଦେଇ ସେଠାରୁ ଚାଲି ଯାଇଥିଲା। ଘଟଣା ସ୍ଥଳରେ ଗୁଣ ଶବରଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଦୁର୍ଜନ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିଲେ। ଖବର ପାଇ ତୁମୁର୍ଲା ଫାଣ୍ଡି ଅଧିକାରୀ ମନବତ ବେଉରୀ ଓ ସ୍ଥାନୀୟବାସୀ ଘଟଣା ସ୍ଥଳରେ ପହଞ୍ଚି ଆହତ ଦୁର୍ଜନଙ୍କୁ ଉଦ୍ଧାର କରି ନବରଙ୍ଗପୁର ମେଡିକାଲକୁ ପଠାଇଥିଲେ।

ପରିବାର ଲୋକେ ଭୋର ୫ଟାରେ ଦୁର୍ଘଟଣା ସଂକ୍ରାନ୍ତରେ ଜାଣି ଘଟଣା ସ୍ଥଳରେ ପହଞ୍ଚିଥିଲେ। ଦୁର୍ଜନଙ୍କ ମୁଣ୍ଡ, ଗୋଡ ଓ ହାତରେ ଗଭୀର ଆଘାତ ଲାଗିଥିବାରୁ ଉନ୍ନତ ଚିକିତ୍ସା ପାଇଁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଗୁଣ ଶବରଙ୍କ ଶବ ବ୍ୟବଚ୍ଛେଦ ପାଇଁ ନବରଙ୍ଗପୁର ମେଡିକାଲକୁ ଅଣାଯାଇଥିଲା। ବ୍ୟବଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଶୋକାକୁଳ ପରିବେଶରେ ଶବ ଦାହ କରାଯାଇଛି। ମୃତକଙ୍କ ଗୋଟିଏ ପୁଅ ଓ ୨ ଝିଅ ରହିଥିବା ଜଣାପଡିଛି। ସେହିପରି ଅନ୍ୟ ଏକ ଦୁର୍ଘଟଣାରେ ନବରଙ୍ଗପୁର-କଳାହାଣ୍ଡି ସୀମାନ୍ତ ଆମ୍ବପାଣି ଘାଟିରେ ୨ଜଣଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ପରିଚୟ ମିଳିପାରି ନାହିଁ। କଳାହାଣ୍ଡି ଯିବା ସମୟରେ ନିୟନ୍ତ୍ରଣ ହରାଇ ଗୋଟିଏ ଗଛରେ ବାଇକ ଧକ୍କା ହୋଇଥିବା କୁହାଯାଉଛି। କିଛି ଲୋକ ରାସ୍ତାରେ ଦୁଇଟି ଶବ ଓ ଗଛରେ ପିଟି ହୋଇଯାଇଥିବା ବାଇକ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଶବ ଉଦ୍ଧାର କରିଥିଲା।

ସମ୍ବନ୍ଧିତ ଖବର