ଯୁବକଙ୍କୁ ହତ୍ୟା ଅଭିଯୋଗ, ୨ଅଟକ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଟି. କାମତା ଗ୍ରାମର ଜଣେ ଯୁବକଙ୍କୁ ତାଙ୍କ ଶଶୁର ଘର ଲୋକେ ହତ୍ୟା କରିଥିବା ନେଇ ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୁଲିସ ଶବ ଜବତ କରିବା ସହ ଏହି ଘଟଣାରେ ସନ୍ଦେହରେ ୨ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି।
ସୂଚନା ଅନୁଯାୟୀ, ଟି. କାମତା ଗ୍ରାମର ଗୋବିନ୍ଦ ଗୌଡ(୨୫) ଚାରଗାଁ ଗ୍ରାମର ଟଙ୍କଧର ମାଝୀଙ୍କ ଝିଅ ଜସୁଧାଙ୍କୁ ବିବାହ କରିଥିଲେ। ତେବେ ଗତ ୧୯ତାରିଖରୁ ଗୋବିନ୍ଦ କେଉଁଆଡେ ଚାଲି ଯାଇଥିବା ବେଳେ ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ହେଁ ତାଙ୍କୁ ପାଇନଥିଲେ। ତେବେ ଗତକାଲି ଅପରାହ୍ନରେ ଗୋବିନ୍ଦଙ୍କୁ ଚାରଗାଁର ୨ଜଣ ବ୍ୟକ୍ତି ଏକ ବାଇକ୍‌ରେ ବସାଇ ତାଙ୍କ ଘର ଭିତରେ ଛାଡି ଦେଇ ଚାଲି ଯାଇଥିଲେ। ଗତକାଲି ଦିନସାରା ଗୋବିନ୍ଦ ନିଜ ଘରୁ ବାହାରିନଥିବା ବେଳେ ଆଜି ସକାଳେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଏନେଇ ଗୋବିନ୍ଦଙ୍କ ପତ୍ନୀ ଜସୁଧା ସମସ୍ତଙ୍କୁ ଜଣାଇଥିଲେ। ଗୋବିନ୍ଦଙ୍କୁ ତାଙ୍କ ଶଶୁର ଘର ଲୋକ ଚାରଗାଁରେ ମାଡ ମାରି ଟି. କାମତା ଗ୍ରାମକୁ ଆଣି ନିଜ ଘରେ ଶୁଆଇ ଦେଇ ଚାଲିଯାଇଥିବା ଗୋବିନ୍ଦଙ୍କ ବଡଭାଇ ଖଗପତି ଗୌଡ ଥାନାରେ ଏତଲା ଦେଇଥିଲେ।

ଗୋବିନ୍ଦଙ୍କ ମୁହଁ ଫୁଲିବା ସହ ହାତ ଓ ଆଖିରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଏତଲାରେ ଦର୍ଶାଯାଇଛି। ଅଭିଯୋଗ ପାଇବା ପରେ ପୁଲିସ ଚାରଗାଁରୁ ଜଣେ ଯୁବକଙ୍କୁ ଉଠାଇ ଆଣି ଥାନାରେ ପଚରାଉଚୁରା କରିଥିଲା। ମଦ ଛଡାଇବା ପାଇଁ ମଇଦଲପୁର ଫାଣ୍ଡି କୁଚା ଗ୍ରାମର ଜଣେ ବୈଦ୍ୟଙ୍କୁ ନିକଟକକୁ ନେଇ ଗତକାଲି ଗୋବିନ୍ଦଙ୍କୁ ଦେଶୀ ଔଷଧ ଦିଆଯାଇଥିବା ଅଟକ ଥିବା ଯୁବକ ଜଣକ କହିଥିଲା। ଏହା ଜାଣିବା ପରେ ପୁଲିସ କୁଚା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣି ପଚରାଉଚୁରା କରୁଛିି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୁଲିସ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଅନ୍ୟପଟେ ଗୋବିନ୍ଦଙ୍କ ମୃତ୍ୟୁ ପରେ ପରିବାର ଲୋକ ତାଙ୍କ ପତ୍ନୀ ଜସୁଧାଙ୍କୁ ବାଡେଇବାରୁ ସେ ଗୁରୁତର ଅବସ୍ଥାରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିିତ୍ସିତ ହେଉଛନ୍ତି। ଏନେଇ ଥାନାରେ କେଶ୍‌ ନଂ-୧୪/୧୮ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିବା ବେଳେ ଏଏସ୍‌ଆଇ ସଲମନ ଭୂୟାଁ, ଏସ୍‌ଆଇ ପ୍ରମୋଦ କୁମାର ଖଣ୍ଡୁଆଳ ଓ ଠଣ ପ୍ରଧାନ ପ୍ରମୁଖ ଏହି ଘଟଣା ଉପରେ ନଜର ରଖିଛନ୍ତି।

ସମ୍ବନ୍ଧିତ ଖବର