୨ବସ୍ ମୁହାଁମୁହିଁ, ୩ଗୁରୁତର

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଧାମନାଗୁଡା ନିକଟରେ ଦୁଇଟି ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୮ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଉଭୟ ବସ୍‌ର ଡ୍ରାଇଭର ଓ ଜଣେ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଡାବୁଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ବସ୍‌କୁ ଜବତ କରି ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ଉମରକୋଟରୁ ଏକ ସରକାରୀ ବସ୍‌(ଓଡି ୦୭ଡି ୭୭୦୨) ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ତେବେ ଅପରାହ୍ନ ପ୍ରାୟ ୩ଟାରେ ଡାବୁଗାଁ ଥାନା ଅନ୍ତର୍ଗତ ଧାମନାଗୁଡା ନିକଟସ୍ଥ ଏକ ବୁଲାଣି ରାସ୍ତାରେ ଜୟପୁରରୁ ଗୁରୁସିଙ୍ଗା ଅଭିମୁଖେ ଯାଉଥିବା ବିଷୋୟୀ ନାମକ ଏକ ଘରୋଇ ବସ୍‌(ଓଡି ୨୪ବି ୯୫୮୫) ଓ ଏହି ସରକାରୀ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ବିଷୋୟୀ ବସ୍‌ର ଡ୍ରାଇଭର ପ୍ରକାଶ ଚନ୍ଦ୍ର ଆଚାର୍ଯ୍ୟ(୫୦) ଓ ସରକାରୀ ବସ୍‌ର ଡ୍ରାଇଭର ସୁରେଶ ଚନ୍ଦ୍ର ସାହୁ(୪୮)ଙ୍କ ସମେତ ଯାତ୍ରୀ ବଇଶିଁବନ୍ଧା ଗ୍ରାମର ଜୟନ୍ତୀ ପନକା, କୋରାପୁଟର ପ୍ରେମ ପାତ୍ର, ଉମରକୋଟର ମନସାଏ ମାଝୀ, ଉମରକୋଟର ମନସାଏ ମାଝୀ, ପଟାଙ୍ଗି ନିକଟସ୍ଥ ଆମ୍ବାଗୁଡା ଗ୍ରାମର ଧନ, ଉମରକୋଟର ପଦ୍ମନ ମାଝୀ ଓ ବିଷୋୟୀ ବସ୍ କଣ୍ଡକ୍ଟର ସୀମାଞ୍ଚଳ ଗୌଡ ଆହତ ହୋଇଥିଲେ। ଖବର ପାଇ ଡାବୁଗାଁ ଅଗ୍ନିଶମ ବିଭାଗ କର୍ମଚାରୀ ଓ ଆମ୍ବୁଲାନ୍‌ସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ। ଆହତଙ୍କ ମଧ୍ୟରୁ ଉଭୟ ବସ୍‌ର ଡ୍ରାଇଭରଙ୍କୁ ଡାହାଣ ହାତରେ ପ୍ରବଳ ଅାଘାତ ଲାଗିବା ସହ ଯାତ୍ରୀ ପଦ୍ମନ ମାଝୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଡାବୁଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ବସ୍‌କୁ ଜବତ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର