ତହସିଲଦାରଙ୍କ ବଡ଼ପଣ: ୨୦୦ ଟଙ୍କା ଦେଇ ମହିଳାଙ୍କଠାରୁ ନେଇଗଲେ ୪ ଘଣ୍ଟାରେ ବିକ୍ରି ହୋଇନଥିବା ଶାଗ

ଉମର‌କୋଟ: କରୋନା ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ଲକଡାଉନ ଘୋଷଣା ପରେ ସାଧାରଣ ଖଟିଖିଆଙ୍କ ଅବସ୍ଥା ସାଂଘାତିକ ହୋଇପଡିଛି । ପରିବା ସମେତ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରିବା ପାଇଁ ସରକାର ୪ ଘଂଟାର ସମୟ ସ୍ଥିର କରିଛନ୍ତି । ସକାଳ ୭ଟାରୁ ୧୧ଟା ଭିତରେ ସାମଗ୍ରୀ ବିକ୍ରି ନହେଲେ ଜଣେ କରିବ କ’ଣ ? ପନିପରିବା କିମ୍ବା ଶାଗ ଭଳି ନଷ୍ଟ ହୋଇଯାଉଥିବା ସାମଗ୍ରୀ କେତେ ଦିନ ସାଇତି ରଖିହେବ ।

ନବରଙ୍ଗପୁର ଉମରକୋଟରେ ଜଣେ ବିଧବା ମହିଳା ଶୁକ୍ରବାର କିଛି ଶାଗବିଡା ଧରି ବିକ୍ରି କରୁଥିଲେ । ସରକାରଙ୍କ ଧାର୍ଯ୍ୟ ସମୟ ଗଡିଯିବା ପରେ ମଧ୍ୟ ଶାଗତକ ବିକ୍ରି ହୋଇପାରିଲା ନାହିଁ । ସେହି ବାଟ ଦେଇ ଯାଉଥିବା ଉମରକୋଟ ତହସିଲଦାରଙ୍କ ନଜରରେ ପଡିଥିଲା ଏହି ଦୃଶ୍ୟ । ସମୟ ଗଡିଯିବା ପରେ ମଧ୍ୟ ମହିଳା ଜଣକ ବିକ୍ରି କରୁଥିବା ଦେଖି ତାଙ୍କ ପାଖକୁ ଯାଇଥିଲେ ଓ ଦୁଃଖ ଶୁଣିବା ପରେ ବଦାନ୍ୟତା ଦେଖାଇ ୫୦ଟଙ୍କାର ଶାଗକୁ ୨୦୦ ଟଙ୍କାରେ କିଣି ନେଇଥିଲେ ।

ଦିନ ଟିଏ ପାଇଁ ସିନା ପ୍ରଶାସନିକ ଅଧିକାରୀ ଜଣକ ସେହି ମହିଳାଙ୍କ ସମସ୍ୟାକୁ ଦୂର କରିଦେଲେ । ହେଲେ ରାଜ୍ୟ ସରକାର ଜୁନ୍ ୧ତାରିଖ ସକାଳ ଯାଏ ଲକଡାଉନ ଘୋଷଣା କରିଛନ୍ତି । ଆଉ ସବୁଦିନ କଣ ତହସିଲଦାର ଏହି ମହିଳାଙ୍କ ଶାଗ କିଣି ତାଙ୍କୁ ଦୁସ୍ଥିତିରୁ ରକ୍ଷା କରିପାରିବେ ।

 

ସମ୍ବନ୍ଧିତ ଖବର