ମା’, ଝିଅ ଜଳିଗଲେ, ବାପାକୁ ଅଟକ ରଖିଛି ପୁଲିସ:ଅସହାୟ ଅବସ୍ଥାରେ ୩ବର୍ଷର ଶିଶୁ

ନବରଙ୍ଗପୁର/କୋଷାଗୁମୁଡା: ମା’ ଓ ୬ ମାସର ଶିଶୁକନ୍ୟା ଘର ବାରି ପଟେ ପୋଡ଼ି ମଲେ। ହତ୍ୟା ସନ୍ଦେହରେ ବାପାକୁ ଅଟକ ରଖି ପୁଲିସ ଗୁଡ଼େଇ ତୁଡେଇ ପ୍ରଶ୍ନ କରୁଛିି। ଗତକାଲି ଠାରୁ ଅଭିଯୁକ୍ତ ଟଙ୍କଧର ଭତ୍ରାକୁ ପୁଲିସ ଥାନାରେ ଅଟକ ଥିବା ବେଳେ ଦୁନିଆ କ’ଣ ଜାଣି ନଥିବା ତାଙ୍କର ୩ ବର୍ଷର ପୁଅ ହରାଧରର ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ସାମୟିକ ଭାବେ ହରାଧରକୁ ମାମୁ ଘର ଲୋକେ କୋଳେଇ ନେଇଛନ୍ତି। ହେଲେ ସେଠାରେ ପିତାମାତାଙ୍କ ବିନା ହରଧର କିଭଳି ରହିବ ତାକୁ ନେଇ ଗ୍ରାମବାସୀ ଚିନ୍ତା ପ୍ରକଟ କରୁଛନ୍ତି। ମାତ୍ର କିଛି ସମୟ ମଧ୍ୟରେ ମା’ ଏବଂ ସାନ ଭଉଣୀକୁ ହରାଇଥିବା ବେଳେ ହତ୍ୟା ଅଭିଯୋଗରେ ବାପା ଜେଲ୍‌ ଯିବା ପ୍ରାୟତଃ ନିଶ୍ଚିତ ବୋଲି ଆଶଙ୍କା ପ୍ରକାଶ ପାଉଛି। ତେବେ ଏ ସଂପର୍କରେ ଏବେ କିଛି ଜାଣିପାରୁ ନଥିବା ୩ବର୍ଷର ହରାଧର ନିୟତିର କ୍ରୁର ଖେଳ ପାଇଁ ଦଣ୍ଡ ପାଉଛି। ସେହି ଲୋମ ଟାଙ୍କୁରା ଦୃଶ୍ୟକୁ ମନେ ପକାଇ ସେ ଭୟରେ ଥରି ଯାଉଛି। ଗତକାଲିର ଘଟଣା ପରେ ଆଜି ଶୋକାକୁଳ ପରିବେଶ ମଧ୍ୟରେ ଗାଁ ମଶାଣୀରେ ଉଭୟ ମା ଓ ଶିଶୁର ଶବ ସତ୍କାର କରାଯାଇଥିଲା।
ନବରଙ୍ଗପୁର ଜିଲ୍ଲା କୋଡିଗାଁ ଥାନା ଅନ୍ତର୍ଗତ ଚିରିମା ଗାଁରେ ଗତକାଲି ଟଙ୍କଧର ଭତ୍ରାଙ୍କ ପତ୍ନୀ ଓ ୬ ମାସ ର ଶିଶୁ କନ୍ୟା ପୋଡ଼ିଯାଇ ପ୍ରାଣ ହରାଇଥିଲେ। ସକାଳ ୭ଟା ୩୦ ମିନଟ ସମୟରେ ହୁତ ହୁତ ହୋଇ ଉଭୟ ନୀଳବତି ଓ ୬ ମାସର ଶିଶୁ କନ୍ୟା ଜଳୁଥିବା ପୋଡଶୀ ଦେଖି ଟଙ୍କଧରକୁ ଖବର ଦେଇଥିଲେ। ଏହାପରେ ଟଙ୍କଧର ଥାନାରେ ପହଞ୍ଚି ଏ ସଂପର୍କରେ ସୂଚନା ଦେଇଥିଲେ। ନବରଙ୍ଗପୁର ଏସ୍‌ପି ମୁକେଶ କୁମାର ଭାମୋ , କୋଡିଗାଁ ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ଭତ୍ରା , ଏସଡିପିଓ ବିଜୟ କୁମାର ନାୟକ ଘଟଣା ସ୍ଥଳରେ ପହ୍‌ଞ୍ଚି ସଂଧ୍ୟା ପର୍ଯ୍ୟନ୍ତ ତଦନ୍ତ କରିଥିଲେ। ରାତ୍ର ପ୍ରାୟ ୮ ଟା ବେଳେ ଉଭୟ ମା ଓ ଶିଶୁର ଶବକୁ ନବରଙ୍ଗପୁର ମେଡିକାଲକୁ ବ୍ୟବଛେଦ ପାଇଁ ପଠାଇଥିଲେ।

ଶବ ବ୍ୟବଛେଦ ପରେ ନୀଳାବତିର ଭାଇ ଓ ଦିଅରକୁ ହସ୍ତାନ୍ତର କରିଥିଲେ। ପରେ ଆଜି ଗାଁ ମଶାଣୀରେ ଶବ ଦାହ କରାଯାଇଥିଲା। ସରପଞ୍ଚ ପଦମ ମାଝୀ ଉଭୟ ମା ଓ ଶିଶୁ ର ଶବ ସତ୍କାର ପାଇଁ ହରିଶ୍ଚନ୍ଦ୍ର ଯୋଜନାରେ ୪ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ୩ ବର୍ଷର ଶିଶୁ ହରଧରକୁ ସହାୟତା ପାଇଁ ବିଡିଓ ଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ କୋଡିଗାଁ ଥାନାରେ ମୃତ ନୀଳବତିର ଭାଇଙ୍କ ଏତଲାକୁ ଭିତ୍ତି କରି ଥାନା କେସ ନଂ ୭/୨୦୧୮ ଏବଂ ଦଫା ୪୯୮,୩୦୨ ଓ ୨୦୧ ଲଗାଇ ତଦନ୍ତ ଚଳାଇଛି। ଆଜି ସଂଧ୍ୟା ସମୟରେ ଖୋଦ ଏସପି ମୁକେଶ କୁମାର ଭାମୋ କୋଡିଗାଁ ଥାନା ରେ ପହଞ୍ଚି ଏହି ଘଟଣା ସଂପର୍କରେ ତଦନ୍ତ କରିଥିଲେ। ଏହି ଘଟଣା ନେଇ ନାନା ପ୍ରଶ୍ନ ଉଙ୍କି ମାରୁଛି। ଏହା ଆତ୍ମହତ୍ୟା ନା ହତ୍ୟା ସେ ନେଇ ପୁଲିସ କୌଣସି ନିଷ୍ପତ୍ତିରେ ପହଁଞ୍ଚି ପାରିନାହିଁ। ତେଣୁ ଅଭିଯୁକ୍ତ ଟଙ୍କଧରକୁ ଅଟକ ରଖି ଜେରା କରାଯାଉଛି। ମା’ ଏବଂ ଶିଶୁକନ୍ୟା ଜଳୁଥିବା ବେଳେ କାହିଁକି କାହାରି ଚିତ୍କାର ଶୁଣିବାକୁ ମିଳିଲାନି ? କେବଳ ଗୋଟିଏ ସ୍ଥାନରେ ହିଁ କାହିଁକି ପୋଡ଼ା ଚିହ୍ନ ରହିଛି? ପୋଡିବା ପୂର୍ବରୁ ଏମାନଙ୍କୁ ମାରି ଦିଆଯାଇଥିଲା କି? ଏଭଳି ଅନେକ ପ୍ରଶ୍ନ ଏବେ ପୁଲିସକୁ ଆନ୍ଦୋଳିତ କରୁଛି। ଏଥିସହ ଅଭିଯୁକ୍ତ ଟଙ୍କଧର ପାଞ୍ଚ ପାଞ୍ଚ ଜଣକୁ ବିବାହ କରିବା ଘଟଣା ମଧ୍ୟ ସନ୍ଦେହ ଘେରକୁ ଆସିଛି। ପ୍ରଥମ ପତ୍ନୀର ମୃତ୍ୟୁ ପରେ ୩ଜଣ ପତ୍ନୀ ମାତ୍ର ଅଳ୍ପ କିଛିଦିନ ରହି ତାଙ୍କୁ କାହିଁକି ଛାଡ଼ି ଚାଲି ଯାଇଥିଲେ ସେ ସଂପର୍କରେ ମଧ୍ୟ ପୁଲିସ ଖୋଳତାଡ଼ ଚଳାଇଛି।

ସମ୍ବନ୍ଧିତ ଖବର