ଗାଁକୁ ନାହିଁ ପକ୍କା ରାସ୍ତା,ଖଟିଆରେ ବୁହା ହୁଅନ୍ତି ଗର୍ଭବତୀ

ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଲମତାଗୁଡା ପଞ୍ଚାୟତ ଅନ୍ତର୍ଗତ ତଳଗଡି ଗାଁରେ ଦୀର୍ଘ ବର୍ଷ ହେଲା ଅନେକ ସମସ୍ୟା ଦେଖାଦେଇଛି। ବିଶେଷ କରି ଗାଁକୁ ପକ୍କା ରାସ୍ତା ନିର୍ମାଣ ହୋଇନଥିବାରୁ ଗାଁରେ ଆମ୍ବୁଲାନ୍‌ସ ସେବା ପହଞ୍ଚି ପାରୁନି। ଏଥିଯୋଗୁଁ ଗର୍ଭବତୀ ମହିଳା ତଥା ରୋଗୀଙ୍କୁ ଦୀର୍ଘ ୨କିଲୋମିଟର ରାସ୍ତା ଖଟିଆରେ ବୋହି ନିଆଯିବା ପରେ ଅନ୍ୟ ଗାଡି କିମ୍ବା ଆମ୍ବୁଲାନ୍‌ସ ଯୋଗେ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଉଛି। ସେହିପରି ଗାଁରେ ପୋଖରୀଟିଏ ନଥିବାରୁ ଗୃହପାଳିତ ପଶୁ ବହୁ ହଇରାଣ ହେଉଛନ୍ତି। କିନ୍ତୁ ସମସ୍ୟାର ସମାଧାନ ନିମନ୍ତେ ପ୍ରଶାସନ ଦୃଷ୍ଟି ଦେଉନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଲମତାଗୁଡା ପଞ୍ଚାୟତର ତଗଳଡି ଗାଁ ପାହାଡ ପାଦ ଦେଶରେ ଅବସ୍ଥିିତ। ଏହି ଗାଁରେ ଦୀର୍ଘ ବର୍ଷ ହେଲା ଜନବସତି ସ୍ଥାପିତ ହୋଇଛି। ବର୍ତମାନ ଏହି ଗାଁରେ ୨୫୦ଜଣ ବସବାସ କରୁଛନ୍ତି। ଗ୍ରାମବାସୀ ମୁଖ୍ୟତଃ କୁଲି, ମଜୁରୀ କରି ନଚେତ୍‌ ବନ୍ୟଜାତ ଦ୍ରବ୍ୟ ଉପରେ ନିର୍ଭର କରି ଜୀବିକା ନିର୍ବାହ କରିଥାନ୍ତି। ବେଜୁଗୁଡାରୁ ଉପରଗଡି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ରାସ୍ତା ହୋଇଛି। ତେବେ ଉପରଗଡି ଠାରୁ ତଳଗଡି ଗାଁକୁ ଯିବା ପାଇଁ ଦୀର୍ଘ ୨କିଲୋମିଟର ରାସ୍ତା ନିର୍ମାଣ ହୋଇପାରିନି। ଫଳରେ ଗ୍ରାମବାସୀ ଦୀର୍ଘ ବର୍ଷ ହେଲା ପାଦଚଲା ରାସ୍ତା ଦେଇ ଯାତାୟତ କରୁଛନ୍ତି। ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍‌ସ କିମ୍ବା ଦମକଳ ଗାଡି ପହଞ୍ଚି ପାରୁନଥିବାରୁ ଗ୍ରାମବାସୀ ଜରୁରୀ ସମୟରେ ବହୁ ହଇରାଣ ହେଉଛନ୍ତି।

ବାଧ୍ୟ ହୋଇ ଗର୍ଭବତୀ ମହିଳା ଓ ରୋଗୀଙ୍କୁ ଦୀର୍ଘ ୨କିଲୋମିଟର ପର୍ଯ୍ୟନ୍ତ ଖଟିଆରେ ବୋହି ଆଣିବା ପରେ ଉପରଗଡି ଗାଁରୁ ଆମ୍ବୁଲାନ୍‌ସ କିମ୍ବା ଅନ୍ୟ ଗାଡି ଯୋଗେ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଉଛି। ସେହିପରି ଗ୍ରାମବାସୀଙ୍କୁ ଶ୍ରମ ଭିତ୍ତିକ କାମ ମିଳୁନଥିବାରୁ କାମ ଅନେ୍ଵଷଣରେ ଲୋକେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଗାଁର ସମସ୍ତ ପରିବାର ଗରିବ ଶ୍ରେଣୀର ହୋଇଥିଲେ ହେଁ ବର୍ତମାନ ସୁଦ୍ଧା କାହାରିକୁ ରାସନ କାର୍ଡ ମିଳିପାରିନି। ଗାଁରେ ସ୍କୁଲ ଓ ଅଙ୍ଗନଓ୍ଵାଡି କେନ୍ଦ୍ର ନିର୍ମାଣ ହୋଇଛି। ଗ୍ରାମବାସୀଙ୍କ ପାଇଁ ଗୋଟିଏ ନଳକୂପ ଥିବା ବେଳେ ସ୍କୁଲ ଓ ଅଙ୍ଗନଓ୍ଵାଡି କେନ୍ଦ୍ରରେ ଗୋଟିଏ ଲେଖାଏଁ ନଳକୂପ ଖନନ ହୋଇଛି।

ତେବେ ଗ୍ରାମରେ ପୋଖରୀ ନଥିବାରୁ ଗ୍ରାମବାସୀଙ୍କ ସମେତ ଗୃହପାଳିତ ପଶୁ ବହୁ ହଇରାଣ ହେଉଛନ୍ତି। ଗାଁରେ ଏକ ପୋଖରୀ ଖନନ ହେଲେ ଗୃହପାଳିତ ପଶୁଙ୍କ ସମେତ ଗ୍ରାମବାସୀ ଉପକୃତ ହୋଇପାରିଥାନ୍ତେ ବୋଲି ଗ୍ରାମର ଦଇମତି ମାଝୀ, ଦଶାଇ ଜାନୀ, ଦଇମତି ନାୟକ, ନରସିଂ ଜାନୀ ପ୍ରମୁଖ ଦାବି କରିଛନ୍ତି। ଅନ୍ୟପଟେ ଗାଁରେ ଥିବା ଅଙ୍ଗନଓ୍ଵାଡି କେନ୍ଦ୍ର ବିପଦସଂକୁଳ ଅବସ୍ଥାରେ ରହିଛି। ଏହି ବିପଦସଂକୁଳ ଗୃହରେ କୋମଳମତି ଶିଶୁଙ୍କୁ ବିପଦପୂର୍ଣ୍ଣ ଅବସ୍ଥାରେ ପ୍ରାକ୍‌ ଶିକ୍ଷା ଦିଆଯାଉଛି। ଗାଁକୁ ପକ୍କା ରାସ୍ତା ନିର୍ମାଣ ସହ ଅନ୍ୟ ସମସ୍ୟାର ସମାଧାନ ନିମନ୍ତେ ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମର ଧନେର ଜାନୀ, ବୃନ୍ଦା ଜାନୀ, ଗଣ୍ଡୁ ଜାନୀଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର