ଡ୍ରେନ୍‌ ପୋତାଯିବାକୁ ନେଇ ବିଡିଓଙ୍କ ଦ୍ବାରସ୍ଥ ଗ୍ରାମବାସୀ 

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଗୋନା ଗ୍ରାମରେ ପ୍ରଶାସନ ପକ୍ଷରୁ ନିର୍ମାଣ ହୋଇଥିବା ଡ୍ରେନ୍‌କୁ ମାଟି ପକାଯାଇ ପୋତି ଦିଆଯାଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ଗ୍ରାମବାସୀ ଆଜି ବିଡିଓଙ୍କ ଦ୍ବାରସ୍ଥ ହୋଇଛନ୍ତି।
ସୂଚନା ଅନୁଯାୟୀ, ରାଇଘର ବ୍ଲକର ଗୋନା ଗ୍ରାମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଗତ ୨୦୧୭ -୨୦୧୮ ଆର୍ଥିକ ବର୍ଷରେ କଂକ୍ରିଟ୍  ଡ୍ରେନ୍‌ ନିର୍ମାଣ କରାଯାଇଥିଲା। ଚତୁର୍ଦଶ ଅର୍ଥ କମିଶନ ଯୋଜନାରେ ଡ୍ରେନ୍ ନିର୍ମାଣ ପାଇଁ ୨ ଲକ୍ଷ ଟଙ୍କା ବ୍ୟୟ ହୋଇଥିଲା। ‌‌ତେବ‌େ ଗ୍ରାମର ଜଣେ ମହିଳା ନିଜ ଘର ସମ୍ମୁଖରେ ମାଟି ପକାଇ ପୋତି ଦେଇଥିବା ସେଠାକାର ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଥିଯୋଗୁଁ ଆବର୍ଜନା ପାଣି ଡ୍ରେନ୍ ଦେଇ ନିଷ୍କାସିତ ହୋଇପାରୁନଥିବାରୁ ପରିବେଶ ଦୂଷିତ ହେଉଛି। ପୂର୍ବରୁ ମଧ୍ୟ ମହିଳା ଜଣକ ମାଟି ପକାଇ ଡ୍ରେନ୍‌ ପୋତି ଦେଇଥିଲେ। ଗ୍ରାମବାସୀ ମନା କରିବାରୁ ମହିଳା ଜଣକ ଡ୍ରେନ୍‌ଟିକୁ ସଫେଇ କରିଥିଲେ। କିନ୍ତୁ ଗତ ୮ତାରିଖରେ ପୁଣିଥରେ ମହିଳା ଜଣକ ଡ୍ରେନ୍‌ଟିକୁ ପୋତି ଦେଇଛନ୍ତି। ଡ୍ରେନରେ ମାଟି ନପକାଇବା ପାଇଁ ଗ୍ରାମବାସୀ କହିବା ପରେ ମଧ୍ୟ ମହିଳା ଜଣକ ଶୁଣିନଥିଲେ। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଆଜି ଏନେଇ ଗ୍ରାମବାସୀ ରାଇଘର ବିଡିଓଙ୍କ ନିକଟରେ ଅଭିଯୋଗ ଜଣାଇଛନ୍ତି। ତୁରନ୍ତ ଡ୍ରେନ୍‌ରୁ ମାଟି ବାହାର କରି ସଫା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର