ନବରଙ୍ଗପୁର : ନବରଙ୍ଗପୁର ସହର ଉପକଣ୍ଠ ଅଗ୍ନିପୁର ପଞ୍ଚାୟତ ହିର୍ଲି ଗ୍ରାମର ଉପରମୁଣ୍ଡରେ ଥିବା ପ୍ରାୟ ୮୦ ପରିବାରକୁ ପାଇପ ପାଣି ମିଳୁନି। ହିର୍ଲି ଗ୍ରାମକୁ ପାଇପ ‌ପାଣି ଯୋଗାଣ ବ୍ୟବସ୍ଥା କରାଯାଇଛି । ପୂର୍ତ୍ତ ବିଭାଗ ରାସ୍ତା କଡରେ ଥିବା ଏହି ଗ୍ରାମର ତଳ ମୁଣ୍ଡ ସାହିକୁ ପାଣି ଆସୁଥିବା ବେଳେ ଉପର ମୁଣ୍ଡ ସାହି ଗୁଡିକୁ ପ୍ରାୟ ୧ ବର୍ଷ ହେଲା ପାଣି ଆସୁନଥିବା ନେଇ ଉକ୍ତ ପରିବାର ଅଭିଯୋଗ କରିଛନ୍ତି । ଉପରମୁଣ୍ଡରେ ୮୦ ପରିବାର ରହୁଥିବା ବେଳେ ମାତ୍ର ଗୋଟିଏ ଷ୍ଟାଣ୍ଡ ପୋଷ୍ଟ ଦିଆଯାଇଛି । ଏହି ଷ୍ଟାଣ୍ଡ ପୋଷ୍ଟରେ ଆଜକୁ ପ୍ରାୟ ବର୍ଷେ ହେଲା ପାଣି ଆସୁନି। ଏହାକୁ ନେଇ ସାହିବାସିନ୍ଦାଙ୍କ ମହଲରେ ଅସନ୍ତୋ‌ଷ ପ୍ରକାଶ ପାଇଛି । ଗ୍ରାମର ଚନ୍ଦ୍ରମା ଭତରା, ଆସୁମତି ଭତରା, ଯୋଶଦା ଭତରା, କନକଦେଇ ଭତରା, ମନ ଭତରା, କୁମୁଦ ଭତରା, କୁଞ୍ଜ ଭତରା, କଇଲାରି ଭତରା, ଗଙ୍ଗା ଭତରା, ଦେବାଶିଷ ମହାଙ୍କୁଡ ପ୍ରମୁଖ କହିଛନ୍ତି ଯେ ପାଇପ ପାଣି ମୁନ୍ଦାଏ ଦେବାର ବ୍ୟବସ୍ଥା କରିବା ପାଇଁ ବାରମ୍ବାର ପଞ୍ଚାୟତ ଠାରୁ ଆରମ୍ଭ କରି ବିଡିଓଙ୍କ ନିକଟରେ ନେହୁରା ହେଲୁ ତଥାପି ଉପରମୁଣ୍ଡକୁ ପାଇପ ପାଣି ଆସିପାରୁ ନାହିଁ। ଫଳରେ ଦୁର ଦୁରାନ୍ତରୁ ପାଣି ଆଣିବାକୁ ପଡୁଛି ବୋଲି କହିଛନ୍ତି ଏହି ମହିଳା । ପ୍ରଶାସନ ତୁରନ୍ତ ଏହି ସମସ୍ୟାର ସମାଧାନ ନକଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।