ଚନ୍ଦାହାଣ୍ତିରେ ଜଳ ଯୋଗାଣ ବନ୍ଦ :ଯନ୍ତ୍ରୀଙ୍କୁ ଘେରିଲେ, ଧାରଣାରେ ବସିଲେ ମହିଳା

ଚନ୍ଦାହାଣ୍ତି: ଚନ୍ଦାହାଣ୍ତି ସହରରେ ଆଜକୁ ପ୍ରାୟ ପନ୍ଦର ଦିନ ହେବ ପାଇପ୍ ଜଳ ଯୋଗାଣ ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିବା ଦେଖିବାକୁ ମିଳିଛି। ଏହାର ସମାଧାନ ନିମନ୍ତେ ଅଞ୍ଚଳବାସୀ ବାରମ୍ବାର ଦାବି କରିବା ସତ୍ତ୍ବେ ବ୍ଲକ କିମ୍ବା ଗ୍ରାମ୍ୟ ଜଳଯୋଗାଣ ବିଭାଗ କୌଣସି ପଦକ୍ଷେପ ନେଇ ନଥିଲେ। ଏହାର ପ୍ରତିବାଦ ସ୍ବରୂପ ଆଜି ଶତାଧିକ ମହିଳା ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ।
ଚନ୍ଦାହାଣ୍ଡି ବ୍ଲକ ସଦର ମହକୁମାରେ ପ୍ରାୟ ପନ୍ଦର ଦିନ ହେବ ଜଳଯୋଗାଣ ବନ୍ଦ ରହିଛି। ଫଳରେ ଲୋକେ ଦୂର ଦୂରାନ୍ତରୁ ସାଇକଲରେ ଯାଇ ବୋଟଲ, ଜାର ଆଦିରେ ପାଣି ଆଣୁଥିବା ବେଳେ ମହିଳା ମାନେ ପାଣି ପାଇଁ ଏକ କିଲୋମିଟର ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି। ସହରରେ ପାଣି ଯୋଗାଣ ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପର ବିରାଟ ବଡ଼ ଟାଙ୍କି ନିର୍ମାଣ ହୋଇଥିଲା। ଟାଙ୍କି ନିର୍ମାଣ ହୋଇ ଦୀର୍ଘ ବର୍ଷ ବିତି ଯାଇଥିଲେ ହେଁ ଏପର୍ଯ୍ୟନ୍ତ ଟାଙ୍କିରେ ପାଣି ଚଢୁ ନାହିଁ। ପ୍ରକଳ୍ପରେ ଲାଗିଥିବା ମୋଟର ଖରାପ ହୋଇପଡି ଥିବାରୁ ଲୋକଙ୍କୁ ପିଇବାକୁ ମିଳୁନି ମୁନ୍ଦାଏ ପାଣି। ଦୀର୍ଘ ଦିନ ହେବ ବ୍ଲକ ପ୍ରଶାସନ ପାଣି ଯୋଗାଇବାରେ ବିଫଳ ହେବା ପରେ ଆଜି ଚନ୍ଦାହାଣ୍ତି ବ୍ଲକ ମହକୁମାର ଶତାଧିକ ମହିଳା ଉତ୍ୟକ୍ତ ହୋଇ ବ୍ଲକ କାର୍ଯ୍ୟାଳୟକୁ ଆସି ବିଡିଓ ଛୁଟିରେ ଥିବା ଜାଣି ବିଭାଗୀୟ ଯନ୍ତ୍ରୀଙ୍କୁ ଘେରାଉ କରିଥିଲେ। ଚନ୍ଦାହାଣ୍ତି ସରପଞ୍ଚ ଲଛମନ ମାଝୀ ଏବଂ ଯନ୍ତ୍ରୀଙ୍କ ମଧ୍ୟରେ କିଛି ସମୟ ଧରି ବଚସା ହୋଇଥିଲା। ବିଭାଗୀୟ ଯନ୍ତ୍ରୀ ଚବିଶ ଘଣ୍ଟା ଭିତରେ ପାନୀୟ ଜଳ ଯୋଗାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ହେଁ ମହିଳା ମାନେ ମାନିବାକୁ ପ୍ରସ୍ତୁତ ନଥିଲେ। ଶେଷରେ ଉତ୍ୟକ୍ତ ମହିଳା ମାନେ ତୁରନ୍ତ ଜଳ ଯୋଗାଣ ନିମନ୍ତେ ଦାବି କରି ବିଳମ୍ବିତ ସମୟ ପର୍ଯ୍ୟନ୍ତ ବ୍ଲକ ସମ୍ମୁଖରେ ଧାରଣାରେ ବସି ରହିଥିଲେ। ଗାଁ ସାରା ପାଇପ୍ ସଂଯୋଗ ସାଙ୍ଗକୁ ପାଣି ଟାଙ୍କି, ଛକ ମାନଙ୍କରେ ଷ୍ଟାଣ୍ତପୋଷ୍ଟ ନିମାର୍ଣ ହୋଇଥିବା ବେଳେ ପ୍ରାୟ ଜାଗାରେ ଷ୍ଟାଣ୍ତପୋଷ୍ଟ ଭାଙ୍ଗିବାକୁ ବସିଲାଣି। ବଡ ବଡ ଷ୍ଟାବିଲାଇଜର ମଧ୍ୟ ସରକାର ଯୋଗାଇ ଦେଇଛନ୍ତି। ହେଲେ ଏସବୁ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ଏହାବ୍ୟତୀତ ପ୍ରତି ଗ୍ରାମରେ ୪ରୁ ପାଞ୍ଚଟି ସ୍ଥାନରେ ଏବେ ତିଆରି ହୋଇଛି ଗୋଲାକାର ପାଣି ଟାଙ୍କି, ଯାହାକି ବିଜୁଳି ନଥିଲେ ଟ୍ୟାଙ୍କରେ ଜମା ଥିବା ପାଣି ଲୋକଙ୍କୁ ଯୋଗାଇ ଦିଆଯିବ। ଅନ୍ୟ ପକ୍ଷରେ ବ୍ଲକ କିମ୍ବା ଜିଲ୍ଲାସ୍ତରୀୟ ଅଧିକାରୀ ମାନେ କେଉଁ ସମସ୍ୟା ଯୋଗୁଁ ପ୍ରକଳ୍ପ ଚାଲୁ ନାହିଁ ତାର ଅନୁଧ୍ୟାନ କରିବା ବଦଳରେ କଥା କଥାକେ ଲୋଭୋଲଟେଜ ଯୋଗୁଁ ପାଣି ମୋଟର ଉଠେଇ ପାରୁ ନାହିଁ କହି କାମ ସାରିଦେଉଛନ୍ତି। ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବ୍ଲକ ତଥା ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ଜଳ ଯୋଗାଣ ପ୍ରକଳ୍ପ ଗୁଡିକୁ କାର୍ଯ୍ୟକ୍ଷମ କରାଇବାକୁ ଧ୍ୟାନ ଦେବା ସହ ପ୍ରତି ଗ୍ରାମରେ କିଭଳି ଲୋକେ ବିଶୁଦ୍ଧ ପାଣି ମୁନ୍ଦାଏ ପାଇ ପରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଅପର ପକ୍ଷରେ ଆସନ୍ତାକାଲି ସୁଦ୍ଧା ପାଇପ୍ ପାନୀୟ ଜଳ ନ ମିଳିଲେ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇବେ ବୋଲି ଉତ୍ୟକ୍ତ ମହିଳା ମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର