ମଦ ବନ୍ଦ କରିବାକୁ ଯାଇ ମାଡ ଖାଇଲେ ମହିଳା

ନବରଙ୍ଗପୁର: ମଦ ବିକ୍ରିକୁ ବିରୋଧ କରିବାରୁ ମହିଳାଙ୍କୁ ଆକ୍ରମଣ ଅଭିଯୋଗ। ଏନେଇ ନବରଙ୍ଗପୁର ଥାନାରେ ଏତଲା ଦେଇଛନ୍ତି ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କୁକୁଡାବାଇ ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, କୁକୁଡାବାଇ ଗ୍ରାମରେ ପ୍ରଚୁର ପରିମାଣରେ ଦେଶୀ ମଦ ବିକ୍ରି ହେଉଥିବା ନେଇ ଗ୍ରାମର ମହିଳା ମାନେ ଗତ ସପ୍ତାହରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଅବକାରୀ ବିଭାଗ ପକ୍ଷରୁ ଚଢାଉ ହୋଇଥିଲା। ଯାହାଫଳରେ ଗାଁରେ କିଛି ଦିନ ପାଇଁ ମଦ ବିକ୍ରି ବନ୍ଦ ହୋଇଯାଇଥିଲା। ତେବେ ଗତକାଲି ପୁଣି ଗାଁରେ ଦେଶୀ ମଦ ବିକ୍ରି କରିବାକୁ ଅଣାଯାଇଥିବା ସୂଚନା ମିଳିଥିଲା। ତେଣୁ ସତ୍ୟାସତ୍ୟ ଜାଣିବାକୁ ଗ୍ରାମର ଡଙ୍ଗରଦେଈ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ସେହି ଗ୍ରାମର ରତନା ଭୁୟାଁ, ବଲି ସୌରା ଓ ଲକ୍ଷ୍ମୀଧର ଜାନୀଙ୍କ ଘରକୁ ଯାଇଥିଲେ। କିନ୍ତୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା ତୁଳସା ଜାନୀଙ୍କୁ ଆତର୍କିତ ଭାବେ ବାଲି ସୌରା ଓ ଲକ୍ଷ୍ମୀଧର ଜାନୀ ମାଡ ମାରିଥିବା ଅଭିଯୋଗ ହୋଇଛି। ସେଠାରୁ ଫେରିବା ପରେ ତୁଳସା ନବରଙ୍ଗପୁର ଥାନାରେ ଏତଲା ଦେଇଛନ୍ତି। ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ଦିନ ବି ସଂପୃକ୍ତ ମଦ ବ୍ୟବସାୟୀ ଗାଳିଗୁଲଜ କରିଥିବା ମହିଳାମାନେ କହିଛନ୍ତି। ନବରଙ୍ଗପୁର ଥାନାରେ କେସ ନଂ ୮୦/୧୮ରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର