ଭଙ୍ଗା କୁଡିଆରେ ବିତୁଛି ବୃଦ୍ଧା ଗୌରୀଙ୍କ ଜୀବନ

ତେନ୍ତୁଳିଖୁଣ୍ଟି: ସ୍ୱାମୀଙ୍କ ମୃତ୍ୟୁ ପରେ ଏକମାତ୍ର ପୁଅକୁ ନେଇ ଜଣେ ବୃଦ୍ଧା ଏକ ଭଙ୍ଗା କୁଡିଆରେ ଅତି ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି। ନୂତନ ଘର ପାଇଁ ବୁହବାର ପଞ୍ଚାୟତ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିପାରୁନି। ଏଭଳି ଏକ ପରିବାର ରହୁଛନ୍ତି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଂଗ୍ରା ପଞ୍ଚାୟତ ଅନ୍ତର୍ଗତ ଲକଡିପଲା ଗ୍ରାମରେ।
ସୂଚନା ଅନୁଯାୟୀ, ଲଛମନ ସମରଥ ପତ୍ନୀ ଗୌରୀ ଓ ପୁଅ ଖଗଙ୍କୁ ନେଇ ଦୀର୍ଘ ବର୍ଷ ହେଲା ଲକଡିପାଲା ଗାଁରେ ରହି ଆସୁଥିଲେ। ଲଛମନ କୁଲି କରି ପରିବାର ଚଳାଉଥିଲେ। ଭଲ ଘରଟିଏ କରିବାକୁ ଟଙ୍କା ନଥିବାରୁ ବାଧ୍ୟ ହୋଇ ଏକ ଭଙ୍ଗା ଘରେ ଲଛମନ ପତ୍ନୀ ଓ ପୁଅକୁ ନେଇ ରହି ଆସୁଥିଲେ। ଇନ୍ଦିରା ଆବାସ ଗୃହ ଯୋଗାଇ ଦେବା ନିମନ୍ତେ ଲଛମନ ବହୁବାର ଗ୍ରାମସଭା ଓ ପଲ୍ଲୀସଭାରେ ଗୁହାରି କରିଥିଲେ। କିନ୍ତୁ କୌଣସି ସୁଫଳ ମିଳିଲାନି। ଗତ ୧୫ବର୍ଷ ତଳେ ଲଛମନଙ୍କ ମୃତ୍ୟୁ ହୋଇଯିବା ପରେ ପତ୍ନୀ ଗୌରୀ ଓ ପୁଅ ଖଗ ପୂର୍ବରୁ ଥିବା ଭଙ୍ଗା କୁଡିଆରେ ଅତି ଦୟନୀୟ ଅବସ୍ଥାରେ ରହି ଆସୁଛନ୍ତି। ବର୍ତମାନର ଏସଇସିସି ତାଲିକାରେ ଗୌରୀଙ୍କ ନାଁ ୧୧୦ନମ୍ବରରେ ରହିଛି। କିନ୍ତୁ ତାଙ୍କ ଆଧାର କାର୍ଡ ନଥିବାରୁ ଆବାସ ଯୋଜନାରେ ଘର ମିଳିପାରୁନି।

ଅତ୍ୟଧିକ ବୟସ(୭୦ବର୍ଷ) ହୋଇଯିବାରୁ ଗୌରୀଙ୍କ ଫିଙ୍ଗର ପ୍ରିଣ୍ଟ କମ୍ପ୍ୟୁଟର ନେଉନଥିବା ଯୋଗୁଁ ଆଧାର କାର୍ଡ ହୋଇପାରୁନଥିବା ଜଣାପଡିଛି। ଆଗକୁ ବର୍ଷା ଦିନ ଆସୁଥିବାରୁ ଭଙ୍ଗା ଚାଳ କୁଡିଆରେ କିଭଳି ରହିବେ ସେନେଇ ଗୌରୀ ଓ ଖଗ ଚିନ୍ତାରେ ପଡିଛନ୍ତି। ଅନ୍ତତଃ ମୃତ୍ୟୁ ପୂର୍ବରୁ ପ୍ରଶାସନ ଘର ଖଣ୍ଡିଏ ଯୋଗାଇ ଦେଉ ବୋଲି ଗୌରୀ କୋହଭରା କଣ୍ଠରେ କହିଛନ୍ତି। ଗୌରୀଙ୍କୁ କିଭଳି ଘର ମିଳିପାରିବ ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଲକଡିପଲା ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର