ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡ଼ଟେମେରା ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗୀନି ଗ୍ରାମର ଶିମିଳିଗୁଡା ସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ବଜ୍ରପାତରେ ଉକ୍ତ ସାହିର ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି।

Advertisment

ସୂଚନା ପ୍ରକାରେ ଟାଙ୍ଗୀନି ଗ୍ରାମ ଠାରୁ ପ୍ରାୟ ୪ଶହ ମିଟର ଦୂରରେ ଥିବା ନୀଳ ଜାନୀଙ୍କ ଜମିରେ ଧାନରୁଆ କାମ କରିବା ପାଇଁ ଶିମିଳିଗୁଡା ସାହିର ୧୦ ଜଣ ମହିଳା ଯାଇଥିଲେ। ତେବେ ଗତକାଲି ସନ୍ଧ୍ୟା ସମୟରେ ରୁଆକାମ କରୁଥିବା ଧାନ ଜମିରେ ବଜ୍ରପାତ ହୋଇଥିଲା। ଫଳରେ ଘଟଣା ସ୍ଥଳରେ ଶିମିଳିଗୁଡା ସାହିର ଦୁତିକା ଜାନୀ(୨୩) ଏବଂ ଅଞ୍ଜନା ଜାନୀ(୨୫) ଗୁରୁତର ଆହତ ହୋଇଥିଲେ।

ଘଟଣା ସମ୍ପର୍କରେ ଜାଣିବା ପରେ ଗ୍ରାମବାସୀ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୁରୁତର ଦୁଇ ମହିଳାଙ୍କୁ ଭର୍ତ୍ତି କରିଥିଲେ। ତେବେ ରାସ୍ତାରେ ଦୁତିକା ଜାନୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅଞ୍ଜନା ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ସେହିପରି ବର୍ତ୍ତମାନ ସୁଦ୍ଧା ଘଟଣା ନେଇ ଡାବୁଗାଁ ଥାନାରେ ଲିଖିତ ଭାବେ ଅଭିଯୋଗ ହୋଇନଥିବା ସୂଚନା ମିଳିଛି।