ପାଣି ପାଇଁ ତାତିଲେ ମହିଳା: ନଳକୂପ ଓ ପାଣି ଟାଙ୍କି ଭାଙ୍ଗିଲେ

ବିଡିଓଙ୍କ ଘର ପାଇପ  ଲାଇନ କାଟିଲେ:ଲୋକଙ୍କୁ ଦେଖି ଛତ୍ରଭଙ୍ଗ ଦେଲେ ବିଡିଓ 

ତହସିଲଦାରଙ୍କ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ: ଦାବି ପୂରଣ ନହେଲେ ୧୧ରେ ଚନ୍ଦାହାଣ୍ଡି ବନ୍ଦ

ଚନ୍ଦାହାଣ୍ଡି,:  ଦୀର୍ଘ ଦିନ ହେଲା ପାଣି ପାଇଁ ସଂଘର୍ଷ କରି ଆସୁଥିଲେ। ଶେଷରେ ଗତକାଲି ଧାରଣାରେ ବସିଲେ। ୨୪ଘଣ୍ଟା ଧରି ପ୍ରଶାସନର ପଦକ୍ଷେପକୁ ଅପେକ୍ଷା କଲେ। କିନ୍ତୁ ପ୍ରଶାସନ ସମସ୍ୟାର ସମାଧାନ କରିବା ପରିବର୍ତେ ଉପେକ୍ଷା କଲା। ଯାହାର ଫଳ ସ୍ୱରୂପ ଆଜି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସର ରଣକ୍ଷେତ୍ର ସଦୃଶ ପାଲଟିଗଲା। ପ୍ରଶାସନର ଅଣଦେଖା ଲୋକଙ୍କୁ ଏତେ ବାଧିଲା ଯେ ଲୋକେ ତାତି ଯାଇ ବ୍ଲକ କଲୋନିରେ ଥିବା ନଳକୂପ ଓ ପାଣି ଟାଙ୍କିକୁ ଭାଙ୍ଗିଦେଲେ। ଜଳ ଯୋଗାଣ ପାଇଁ ବିଛା ଯାଇଥିବା ପାଇକ ଗୁଡିକୁ ଖୋଳି ବାହାର କରିଦେଲେ। ବିଡିଓଙ୍କ ଘରକୁ ବି ଜଳ ଯୋଗାଣ ବିଚ୍ଛିନ୍ନ କରିଦେଲେ। ଗୋପୀ ସାହି ଏବଂ ଚଚରାଘାଟି ଗ୍ରାମର ମହିଳାଙ୍କ ଏମିତି ଉଗ୍ର ରୂପ ପ୍ରଶାସନ ବି ଆଲୋଚନା କରିବାକୁ ସାହଜ ଜୁଟାଇ ପାରି ନଥିଲା। ଏପରିକି ବିଡିଓ ଦୀର୍ଘ ସମୟ ଧରି କେଉଁ ଆଡେ ଛତ୍ରଭଙ୍ଗ ଦେଲେ କେହି ଜାଣିପାରିଲେ ନାହିଁ।

୬ମାସ ହେଲା ଉପେରାକ୍ତ ଅଞ୍ଚଳର ବାସିନ୍ଦା ପାଣି ସମସ୍ୟା ସଂପର୍କରେ ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲେ। ପ୍ରତ୍ୟେକ ଥର ସେମାନଙ୍କୁ ପ୍ରତିଶ୍ରୁତି ବ୍ୟତୀତ ଅନ୍ୟ କିଛି ଦିଆଗଲା ନାହିଁ। ବାଧ୍ୟ ହୋଇ ଗତକାଲି ବ୍ଲକ କାର୍ଯ୍ୟାଳୟକୁ ଧସେଇ ପଶିଲେ। ପ୍ରଶାସନକୁ ସମସ୍ୟା ସଂପର୍କରେ ଜଣାଇ ଅପରାହ୍ନାରୁ ଆଜି ସକାଳ ପର୍ଯ୍ୟନ୍ତ ଧାରଣାରେ ବସି ରହିଲେ। ଆଜି ସୁଦ୍ଧା ସମସ୍ୟାର ସମାଧାନ କରାନଗଲେ ବ୍ଲକ କାର୍ଯ୍ୟାଳୟରେ ଜଳ ଯୋଗାଣ ବିଚ୍ଛିନ୍ନ କରାଯିବ ବୋଲି ସିଧାସଳଖ ଚେତାବନୀ ଦେଲେ। କିନ୍ତୁ ଏତେ ସବୁ ହେବାପରେ ବି ଚେତିଲା ନାହିଁ ବ୍ଲକ ପ୍ରଶାସନ। ଶେଷରେ ଆଜି ଏମିତି ଅଭାବନୀୟ ପରିସ୍ଥିତି ଉପୁଜିଲା। ଆଜି ଧାରଣାରେ ବସିଥିବା ମହିଳାଙ୍କୁ ସମର୍ଥନ ଜଣାଇ ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ, ଅଖିଳ ଭତ୍ରା, ଏମଡି ଫିରୋଜ ଏବଂ ସୁମିତ ପୂଜାରୀ ପ୍ରମୁଖ ଆଜି ଦିନ ତମାମ ଧାରଣାରେ ବସି ରହିଥିଲେ। ସନ୍ଧ୍ୟାରେ ଉମରକୋଟ ଏସଡିପିଓ ହେମନ୍ତ କୁମାର ପାଢୀ ଏବଂ ସ୍ଥାନୀୟ ତହସିଲଦାର ହୃଦାନନ୍ଦସିଂ ମାଝୀ ପହଞ୍ଚି ମହିଳାଙ୍କୁ ବୁଝାସୁଝା କରିଥିଲେ। ଆସନ୍ତା ୧୦ତାରିଖ ସୁଦ୍ଧା ଉଭୟ ଗ୍ରାମରେ ନଳକୂପ ଖନନ ହେବ ବୋଲି ଲିଖିତ ପ୍ରତିଶୃତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

ତଥାପି ମହିଳାଙ୍କ ମନରେ ସନ୍ଦେହ ରହିଥିଲା। ୧୦ତାରିଖ ସୁଦ୍ଧା ନଳକୂପ ଖନନ କରାନଗଲେ ୧୧ତାରିଖ ଦିନ କଂଗ୍ରେସ ତରଫରୁ ଚନ୍ଦାହାଣ୍ଡି ବନ୍ଦ ଡାକରା ଦିଆଯିବା ସହ ଗାଡି ଚଳାଚଳ ବନ୍ଦ କରାଯିବ ବୋଲି ଜିଲ୍ଲା ସଭାପତି ମୁନା ତ୍ରିପାଠୀ କହିଛନ୍ତି। ଲୋକଙ୍କ ସମସ୍ୟା ଶୁଣିବା ବଦଳରେ ବିଡିଓ ଛତ୍ରଭଙ୍ଗ ଦେଇଛନ୍ତି ବୋଲି କହିଥିଲେ। ସାଂସଦଙ୍କ ନିଜ ପଂଚାୟତରେ ସାଂସଦ ନଳକୂପ ଖଣ୍ଡେ ଖନନ କରାଇ ପାରୁନଥିବା ତାଙ୍କ ପାରିବା ପଣିଆକୁ ପଦାରେ ପକାଇଛି ବୋଲି କ୍ଷେମରାଜ ବାଘ କହିଛନ୍ତି। ଏହି ଆନ୍ଦୋଳନରେ ବରିଷ୍ଠ ନେତା ମଣିରାମ ମାଝୀ, ସହଦେବ ଠେଲା, କୃଷ୍ଣଚନ୍ଦ୍ର ପୂଜାରୀ, ପୂର୍ଣ୍ଣଚନ୍ଦ୍ର ନାୟକ,   ମୋହନ ନାଗ, ଆସମତି ବାଘ, ଜଗଦୀଶ ବାଘ, ପୌରଷ ମାଝୀ, ସନ୍ତୋଷ ପଟ୍ଟନାୟକ, ଜବାର ଅଲ୍ଲୀ, ଶ୍ରୀବତ୍ସ ପଣ୍ଡା, କେଶବ ସୁନା, ସନ୍ନ୍ୟାସୀ ଭୋଇ, ଗଗନେ ଚୌହାନ, ରୁକମନ ମାଝୀ, ଖଗେଶ୍ୱର ଡଙ୍ଗରୀ, ସୋବନା ସାନ୍ତା, ବିଭୀଷଣ ସାନ୍ତା, ମଧୁ ସାନ୍ତା, ରାଜୁ ସାନ୍ତା, ପିତର ସାନ୍ତା, ଅନ୍ତ ସାନ୍ତା, ରାମଚନ୍ଦ୍ର ସାନ୍ତା, ବନମାଳି ବାଘ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର