ନବରଙ୍ଗପୁର: ବିବାହର ପ୍ରତିଶ୍ରୁତି ଦେଇ ଠକିଦେଲା ପ୍ରେମିକ। ନ୍ୟାୟ ପାଇଁ ପ୍ରେମିକ ଘର ଆଗରେ ଧାରଣା ଦେଲା ପ୍ରେମିକା। ଏଣେ ପ୍ରେମିକ ଘର ଛାଡ଼ି ଫେରାର ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଚାନ୍ଦିଲି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଏଣେ ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି।
ବିବାହ ପ୍ରତିଶ୍ରୁତି ଦେଇ ପ୍ରେମ ସଂପର୍କ ସ୍ଥାପନ କଲା। ଏପରିକି ସାଥୀରେ ଉଭୟେ ୩ ମାସ ରହିଲେ। କିନ୍ତୁ ପରେ ବିବାହ କରିବାକୁ ମନା କରିଦେବାରୁ ଜଣେ ଯୁବତୀ ୫ଦିନ ହେଲା ପ୍ରେମିକଙ୍କ ଘର ସମ୍ମୁଖରେ ୫ଦିନ ହେଲା ଧାରଣାରେ ବସିଥିଲେ। ତେବେ ପ୍ରେମିକ ଫେରାର ଥିବାରୁ ବାଧ୍ୟ ହୋଇ ଯୁବତୀ ଜଣଙ୍କ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକର ପୋଣ୍ଡିକୋଟ ପଞ୍ଚାୟତ ଅନ୍ତର୍ଗତ ଚାନ୍ଦିଲି ଗ୍ରାମରେ।
ସୂଚନା ଅନୁଯାୟୀ, ଚାନ୍ଦିଲି ଗ୍ରାମ ଗୌଡ଼ ସାହିର ପବିତ୍ର ଦୋରା ନିଜ ଗାଁର ଜଣେ ଯୁବତୀଙ୍କ ସହ ୮ବର୍ଷ ହେଲା ପ୍ରେମ ସଂପର୍କ ସ୍ଥାପନ କରିଥିଲେ। ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଗତ ଅଗଷ୍ଟ ମାସରେ ଯୁବତୀଙ୍କୁ ସାଥୀରେ ନେଇ ପବିତ୍ର ତାମିଲନାଡୁର ତ୍ରିପୁରାକୁ ଦାଦନ ଖଟିବା ପାଇଁ ଯାଇଥିଲେ। ସେଠାରେ ଏକ ଘର ଭଡ଼ା ନେଇ ଉଭୟେ ପ୍ରାୟ ୩ ମାସ ଏକାଠି ରହିଥିଲେ। ଏହି ସମୟ ମଧ୍ୟରେ ଉଭୟଙ୍କ ମଧ୍ୟରେ ଶାରୀରିକ ସଂପର୍କ ସ୍ଥାପନ ହୋଇଥିଲା। ଗତ ନଭେମ୍ବର ମାସରେ ପବିତ୍ରଙ୍କ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଉଭୟେ ନବରଙ୍ଗପୁର ଫେରିଥିଲେ। ପରେ ଦୁହେଁ ଅଲଗା ଅଲଗା ନିଜ ଘରକୁ ଫେରିଥିଲେ। ଏହାର କିଛି ଦିନ ପରେ ଯୁବତୀ ଜଣଙ୍କ ପବିତ୍ରଙ୍କୁ ଫୋନ କରି ନିଜ ଘରକୁ ନେବା ପାଇଁ କହିଥିଲେ। ଏହାପରେ ପବିତ୍ର ପ୍ରେମିକାଙ୍କୁ କଲ୍ କରି ତ୍ରିପୁରା ଯିବାକୁ କହିବା ସହ ବାପାଙ୍କ ସ୍ବାସ୍ଥ୍ୟ ଭଲ ହେଲେ ସାଥୀରେ ରହିବା ବୋଲି କହିଥିଲା। ଡିସେମ୍ବର ୨ ତାରିଖରେ ଯୁବତୀ ଜଣଙ୍କ ତ୍ରିପୁରାରେ ପହଞ୍ଚିବା ପରେ ପବିତ୍ରକୁ କଲ୍ କରିଥିଲେ। ଏହାର କିଛି ଦିନ ପରେ ପବିତ୍ର ପ୍ରେମିକାଙ୍କୁ କଲ୍ କରି ଘରକୁ ଫେରି ଆସିବା ପାଇଁ କହିଥିଲା। ଘରକୁ ଫେରିବା ପରେ ବିବାହ କରି ନିଜ ଘରକୁ ନେବା ପାଇଁ କହିବାରୁ ଯୁବତୀ ଜଣଙ୍କ ନିଜ ଘରକୁ ଫେରି ଆସିଥିଲେ। କିନ୍ତୁ ପବିତ୍ରଙ୍କ ପରିବାର ଲୋକ ଯୁବତୀଙ୍କୁ ବୋହୂ ରୂପରେ ସ୍ବୀକାର କରିବାକୁ ମନା କରି ଦେଇଥିଲେ। ଏନେଇ ଯୁବତୀ ଜଣଙ୍କ ନିଜ ପରିବାରକୁ ଜଣାଇଥିଲେ। ପରେ ପରିବାର ଲୋକ ପବିତ୍ରଙ୍କ ଘରକୁ ଯାଇ ପଚରାଉଚରା କରିଥିଲେ। କିନ୍ତୁ ପରିବାର ଲୋକ ଏ ସଂପର୍କରେ କିଛି ଜାଣି ନଥିବା କହି ଯୁବତୀଙ୍କ ପରିବାରକୁ ତଡ଼ି ଦେଇଥିଲେ। ଶେଷରେ ଗାଁ କିଛି ମୁଖ୍ୟ ବ୍ୟକ୍ତିଙ୍କୁ ନେଇ ଏକ ବୈଠକ କରି ସମସ୍ୟାର ସମଧାନ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ପବିତ୍ର ଗାଁରେ ଅନୁପସ୍ଥିତ ଥିବାରୁ ସମସ୍ୟାର ସମାଧାନ ହୋଇପାରି ନଥିଲା। ତେଣୁ ଯୁବତୀ ଜଣଙ୍କ ନ୍ୟାୟ ଦାବିରେ ଗତ ଶୁକ୍ରବାରଠାରୁ ପ୍ରେମିକ ପବିତ୍ରଙ୍କ ଘର ସମ୍ମୁଖରେ ଧାରଣା ଦେଇଥିଲେ।
ତ୍ରିପୁରାରେ ରୋଜଗାର କରିଥିବା ସମସ୍ତ ଟଙ୍କା ପବିତ୍ର ନେଇ ଯାଇଥିବା ନେଇ ମଧ୍ୟ ଅଭିଯୋଗ କରିଥିଲେ। କିନ୍ତୁ ୫ଦିନ ଧରି ଧାରଣା ଦେବା ପରେ ମଧ୍ୟ ପବିତ୍ର ନ ଆସିବା ସହ କୌଣସି ସମାଧାନ ନ ହେବାରୁ ବାଧ୍ୟ ହୋଇ ଯୁବତୀ ଜଣଙ୍କ ଆଜି ସଂଧ୍ୟାରେ ପାପଡାହାଣ୍ଡି ଥାନାର ଦ୍ବାରସ୍ଥ ହୋଇଥିଲେ। ଯୁବତୀ ଜଣଙ୍କ ପବିତ୍ରଙ୍କ ନାମରେ ଲିଖିତ ଅଭିଯୋଗ କରିଥିବା ବେଳେ ଆସନ୍ତାକାଲି ଥାନାରେ ଉଭୟ ପୀଡ଼ିତା ଓ ପ୍ରେମିକଙ୍କ ପରିବାର ମଧ୍ୟରେ ଆଲୋଚନା କରାଯିବ ବୋଲି ପୁଲିସ ସୂଚନା ଦେଇଛି।