ହ୍ବାଟ୍‌ସ ଆପ୍‌ରେ କରୋନା ଗୁଜବ : ବନ୍ଧାହେଲେ ଆଉ ଜଣେ ଯୁବକ

ସମ୍ବଲପୁର : ସାମାଜିକ ଗଣମାଧ୍ୟମରେ କରୋନା ସମ୍ପର୍କରେ ଗୁଜବ ସୃଷ୍ଟି ନକରିବା ପାଇଁ ବାରମ୍ବାର ସରକାର ଓ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଥିଲେ ମଧ୍ୟ ଲୋକେ ଏହାକୁ ଗ୍ରହଣ ନକରି ଅବାଞ୍ଛିତ ମେସେଜ୍‌କୁ ଫରୱାର୍ଡ କରିଚାଲିଛନ୍ତି। ଏଭଳି ଅପପ୍ରଚାର ପାଇଁ ୨ ଦିନ ତଳେ ସମ୍ବଲପୁର ଟାଉନ୍‌ ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଥିଲା। ବୁଧବାର ମଧ୍ୟ ଧନୁପାଲି ପୁଲିସ ସୁନାପାଲି ଅଞ୍ଚଳର ଜଣେ ଯୁବକ(୪୫)ଙ୍କୁ ଏଭଳି ଘଟଣାରେ ଗିରଫ କରିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବୁଧବାର ଉକ୍ତ ବ୍ୟକ୍ତିଜଣଙ୍କ ଆଲ୍ଲା ହଜରତ୍‌ କମିଟି ନାମକ ହ୍ବାଟ୍‌ସ ଆପ୍‌ ଗ୍ରୁପ୍‌ରେ ଏ ସମ୍ପର୍କରେ ଗୁଜବ ପୋଷ୍ଟିଂ କରିଥିଲେ। ଏହି ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ପୁଲିସ୍‌ ପକ୍ଷରୁ ଭାରତୀୟ ଦଣ୍ଡବିଧି ଧାରା ୧୦୮/ ୫୦୫ ଓ ବିପର୍ଯ୍ୟୟ ପ୍ରଶମନ ଆଇନ୍‌ ୨୦୦୫ ଧାରା ୫୪ ଅନୁଯାୟୀ ଏକ ମାମଲା ରୁଜୁ କରି ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି। ତେବେ କୌଣସି ଘଟଣା ସମ୍ପର୍କରେ ନଜାଣି ନବୁଝି ହ୍ବାଟ୍‌ସ ଆପ୍‌ରେ ଏଭଳି ଗୁଜବ ମେସେଜ୍‌ ନପଠାଇବା ପାଇଁ ସମ୍ବଲପୁର ପୁଲିସ୍‌ ପକ୍ଷରୁ ଏକ ପ୍ରେସ୍‌ ବିବୃତିରେ ସୂଚନା ପ୍ରଦାନ କରାଯାଇଛି।

ମହଙ୍ଗା ପଡ଼ିଲା ‌କରୋନା ଅପପ୍ରଚାର, ଯୁବକ ଗିରଫ
ରାଇଘର : କରୋନାରେ ସଂକ୍ରମିତ ହୋଇଛି ଛେଳି। ଏଭଳି ଅପପ୍ରଚାର ମହଙ୍ଗା ପଡ଼ିଛି। ସୋସିଆଲ ମିଡିଆରେ ଏହାକୁ ପୋଷ୍ଟ କରି ବନ୍ଧା ହୋଇଛନ୍ତି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ର ଜଣେ ଯୁବକ। ସୂଚନା ଅନୁଯାୟୀ, ରାଇଘର ବ୍ଲକ୍‌ ଭାରସୁଣ୍ଡି ଡିଏନକେ ଗ୍ରାମର ମିଥୁନ ହଲଦାର ଗତକାଲି ମାଂସ କିଣିବାକୁ ଯାଇଥିଲେ। କଟା ହୋଇଥିବା ଛେଳିକୁ ଭଲ ରୂପେ ଦେଖିବା ପରେ କିଛି ବ୍ୟତିକ୍ରମ ରହିଥିବା ନେଇ ଦୋକାନୀଙ୍କୁ ସେ କହିଥିଲେ। ଯାହାକୁ ନେଇ ଯୁକ୍ତିତର୍କ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ମିଥୁନ ଉକ୍ତ ଦୋକାନ ଏବଂ କଟା ଯାଇଥିବା ଛେଳିର ଭିଡିଓ କରିଥିଲେ। ଏହି ଭିଡିଓରେ ସେ ଛେଳି କରୋନାରେ ଆକ୍ରାନ୍ତ ବୋଲି କହି ତାହାକୁ ବିଭିନ୍ନ ହ୍ବାଟ୍‌ସ ଆପ୍ ଗ୍ରୁପରେ ପୋଷ୍ଟ କରିଥିଲେ। ସ୍ଥାନୀୟ ପୁଲିସ ନିକଟରେ ଏହି ଖବର ପହଞ୍ଚିବା ପରେ ମିଥୁନକୁ ଗିରଫ କରିଥିଲା। ଆଜି ଏନେଇ ଗଣମାଧ୍ୟମକୁ ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର