ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଲାପଦର ପଂଚୟତ ସଦରମୋହକୁମା ଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ନିଜ ଜମିରେ ଥିବା ମହୁଲ ଗଛରୁ ଟଲା ମଞ୍ଜି ସଂଗ୍ରହ କରୁଥିବା ବେଳେ ଗଛ ଉପରୁ ତଳେ ପଡି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି।
ସୂଚନା ପ୍ରକାରେ ଚକଲାପଦର ଗ୍ରାମର କୃଷ୍ଣ ମାଝୀ(୩୨) ଗତ କାଲି ସନ୍ଧ୍ୟାରେ ଘରୁ ପ୍ରାୟ ଏକ କିଲୋମିଟର ଦୂର ନିଜ ଜମିରେ ଥିବା ମହୁଲ ଗଛ ଉପରେ ଚଡ଼ି ଟଲା ମଞ୍ଜି ସଂଗ୍ରହ କରୁଥିଲେ। ଅସାବଧାନତା ଯୋଗୁ ଟଲା ମଞ୍ଜି ସଂଗ୍ରହ ବେଳେ ହଟାତ ଗଛ ଉପରୁ ତଳକୁ ଖସି ପଡ଼ିଥିଲେ ସେ। ତଳେ ଛୋଟ ଛୋଟ ପଥର ଥିବା ଯୋଗୁ ଗଭୀର ଆଘାତ ଲାଗିଥିଲା। କୃଷ୍ଣ ଗୁରୁତର ଅବସ୍ଥାରେ ଗଛ ତଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ପଡ଼ି ରହିଥିଲେ। ପରେ କୃଷ୍ଣର ଘରକୁ ଆସିବାର ବିଳମ୍ବ ହେବାରୁ ଶଶୁର ଡମୁ ମାଝୀ କୃଷ୍ଣଙ୍କୁ ଖୋଜିବା ପାଇଁ ଜମି ନିକଟକୁ ଯାଇଥିଲା। ସେଠାରେ ମହୁଲ ଗଛ ତଳେ ଗୁରୁତର ଅବସ୍ଥାରେ କୃଷ୍ଣ ପଡିଥିବା ଦେଖି ଗ୍ରାମବାସୀଙ୍କ ସହାୟତାରେ ଘରକୁ ଆଣିଥିଲେ।
ପରେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ଆମ୍ବୁଲାନ୍ସ ଆସିବାର ବିଳମ୍ବ ହେବା ଯୋଗୁ ଚିକିତ୍ସା ନପାଇ କୃଷ୍ଣ ଅଧିକ ଗୁରୁତର ହୋଇପଡିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ଶେଷରେ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ କୃଷ୍ଣର ମୃତ୍ୟୁ ହୋଇଥିବା ଜଣାପଡିଛି। ଘଟଣା ନେଇ ପରିବାର ତରଫରୁ ଝରିଗାଁ ଥାନାରେ ଲିଖିତ ଅଭିଯୋଗ ଦେବା ପରେ ଝରିଗାଁ ପୁଲିସ ଶବ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି। ଏଠାରେ ପ୍ରକାଶ ଯେ ମୃତ କୃଷ୍ଣ ଚକଲାପଦର ଗ୍ରାମରେ ଚାଷ କାମ କରି ପରିବାର ପୋଷଣ କରୁଥିବା ବେଳେ ତାଙ୍କର ଛୋଟ ଛୋଟ ଦୁଇ ଜଣ ଛୁଆ ଥିବା ସହ ସ୍ତ୍ରୀ ଗର୍ଭବତୀ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/97b656cc-60bd-4ded-b7a4-84e5ca4fee13.jpg)