ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ତେନ୍ତୁଳିଖୁଣ୍ଟି/ନବରଙ୍ଗପୁର,୧୧/୫(ଇମିସ): ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ମହୁଲକୋଟ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ତେବେ ଏହା ପୂର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ବୋଲି ପରିବାର ବର୍ଗ ଥାନାରେ ଏତଲା ଦେଇଛନ୍ତି। ସୂଚନା ଅନୁସାରେ, ଗତକାଲି ରାତିରେ ମହୁଲକୋଟ ଗ୍ରାମର ବାପୁ ମୁଦୁଲି(୪୦) ଘର ବାରଣ୍ଡାରେ ଶୋଇଥିଲେ। ତେବେ ବାପୁ ବିଛଣାରେ ମୃତ ଅବସ୍ଥାରେ ପଡିଥିବା ପୁଅ ଦଇତାରି ଆଜି ସକାଳେ ଦେଖିବାକୁ ପାଇଥିଲେ। ଏ ନେଇ ଦଇତାରି ତେନ୍ତୁଳିଖୁଣ୍ଟି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଛେଦ ପାଇଁ ତେନ୍ତୁଳିଖୁଣ୍ଟି ମେଡିକାଲକୁ ପଠାଇଥିଲେ। ପରେ ତାଙ୍କ ପରିବାର ଲୋକଙ୍କୁ ସନ୍ଦେହ ହେବାରୁ ହତ୍ୟା ଅଭିଯୋଗ ଆଣିଛନ୍ତି। ମୃତ ବାପୁ ସହ ସେହି ଗ୍ରାମର ଅଟୋ ଚାଳକଙ୍କ ସହ ଗାଁ ଦାଣ୍ଡରେ ଅଟୋ ରଖିବାକୁ କେନ୍ଦ୍ର କରି ପାଟିତୁଣ୍ଡ ହୋଇଥିଲା।

ତେଣୁ ଅଟୋ ଚାଳକ ଓ ତାଙ୍କ ପରିବାର ବିରୋଧରେ ଏତଲା ଦେଇଥିଲେ। ଖବର ନେବାରୁ ଜଣାପଡିଛି ଯେ ସେହି ଗ୍ରାମରେ ରହୁଥିବା ଅଟୋ ଚାଳକଙ୍କ ପରିବାର ସହ ବାପୁଙ୍କ ପରିବାର ମଧ୍ୟ ବୁଝାମଣା ଠିକ ନଥିଲା। ଏପରି ଗ୍ରାମରେ ବହୁବାର ଗଣ୍ଡୋଗଳ ହେବା ସହ ପରେ ସମାଧାନ ହୋଇଥିଲା। ପୁନର୍ବାର ଏତଲା ପାଇ ତେନ୍ତୁଳିଖୁଣ୍ଟି ପୁଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହ ଅଟୋ ଚାଳକ ଓ ତାଙ୍କ ପରିବାରକୁ ଥାନାକୁ ଆଣି ଅଟକ ରଖି ପଚରା ଉଚୁରା ଜାରି ରଖିଛି। ଖବରପାଇ ନବରଙ୍ଗପୁର ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା, ଏସଡିପିଓ ବିଜୟ କୁମାର ନାୟକ, ଥାନା ଅଧିକାରୀ ବିଶିକେଶନ ନାୟକ, ଏସ୍‌ଆଇ ଅଭିମନ୍ୟୁ ଦୁର୍ଗା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। କୋରାପୁଟରୁ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ କରିଥିଲେ ମଧ୍ୟ କୌଣସି ସୁରାକ ହାତକୁ ଲାଗିନଥିଲା। ତେଣୁ ଶବ ବ୍ୟବଛେଦ ରିପୋର୍ଟ ଆସିଲା ପରେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର