ବାରହା ଫାଶରେ ଯୁବତୀ ମୃତ୍ୟୁ ଘଟଣା, ୪ ଥାନାରେ ଅଟକ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଗଣ୍ଡାଗୁଡା ଓ ଝରଗୁଡା ରାସ୍ତା ମଝି ନାଗଯୋଡି ଗ୍ରାମର ଏକ ମକାବାଡରେ ଯନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗତକାଲି ଜଣେ ଯୁବତୀର ମୃତ୍ୟୁ ଘଟିଥିଲା। ଏଥିରେ ଲକ୍ଷ୍ମୀ ପନକା ନାମକ ନାବାଳିକା ଗୁରୁତର ଆହତ ହୋଇ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି। ଆଜି ମୃତ ଯୁବତୀ ଦଲିଲା ହରିଜନ(୨୦)ଙ୍କ ବାପା କମଳୁ ହରିଜନ ଡାବୁଗାଁ ଥାନାରେ ଏ ନେଇ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରିବା ସହ ୪ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି।
ସୂଚନା ଅନୁଯାୟୀ ଗତକାଲି ରାତ୍ର ପ୍ରାୟ ୯ଟା ସମୟରେ ଡାବୁଗାଁ ଥାନା ଅନ୍ତର୍ଗତ ନାଗଯୋଡି ଗ୍ରାମର ଦଲିଲା ହରିଜନ ଏବଂ ଲକ୍ଷ୍ମୀ ପନକା ତାଙ୍କ ସାଥି ଝରିଗୁଡାର ସ୍ବାତି ସଗରିଆ ସହ ଗଣ୍ଡାଗୁଡାରୁ ଝରିଗୁଡା ଯାଉଥିଲେ। ତେବେ ନାଗଯୋଡି ନିକଟରେ ସେହି ଗ୍ରାମର ରାଜମନ ଭତରାଙ୍କ ମକା ବାଡରେ ଯନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ଦଲିଲାଙ୍କ ଦୁଇଟି ହାତ ଓ ଲକ୍ଷ୍ମୀ ପନକାର ଗୋଡରେ ଲାଗିଥିଲା। ବିଦ୍ୟୁତ ଆଘାତ ଲାଗିବା ପରେ ସ୍ବାତି ସଗରିଆ ବେହୋସ ହୋଇଥିଲେ। ଯୁବତୀଙ୍କ ଚିତ୍କାର ଶୁଣି ଗ୍ରାମବାସୀ ସେଠାରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେବା ବାଟରେ ଦଲିଲାଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଆହତ ଲକ୍ଷ୍ମୀ ପନକା ଗୁରୁତର ଆହତ ହୋଇ ନବରଙ୍ଗପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଡାବୁଗାଁ ପୁଲିସ ଏହି ଘଟଣାରେ ନାଗଯୋଡି ଗ୍ରାମର ୪ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଥିବା ବେଳେ ମକା ବାଡ ମାଲିକ ରାଜମନ ଭତରା ଫେରାର ଅଛନ୍ତି। ଏନେଇ ଥାନାରେ କେସ୍ ନଂ-୩୧/୧୯ରେ ମାମଲା ରୁଜୁ ହୋଇଥିବା ବେଳେ ଯନ୍ତୁ ଶିକାର ପାଇଁ ବିଛାଯାଇଥିବା ତାର ପୁଲିସ ଜବତ କରିଛି। ଥାନା ଏସ୍ଆଇ ରାଧାକାନ୍ତ ବାରିକ ଘଟଣାର ତଦନ୍ତ କରୁଛନ୍ତି। ଅପର ପକ୍ଷରେ ଝରିଗାଁ ବିଡିଓ ଦେବେନ୍ଦ୍ର ବାହାଦୂରସିଂ ଦୂରିଆ ମୃତ ଯୁବତୀ ଦଲିଲାଙ୍କ ଘରେ ପହଞ୍ଚି ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ଏବଂ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର