ପୀଠେ ନବରାତ୍ର ଓ‌ ଷୋଡଷ ପୂଜା, ମା’ ଦକ୍ଷିଣ କାଳୀଙ୍କ ନବମୀରେ ସୁନାବେଶ

ଚଳଚ୍ଚିତ୍ର ଗାୟକ ସବିର କୁମାର ଓ ସାରିକା ସିଂହଙ୍କ କାର୍ଯ୍ୟକ୍ରମ ଆଜି

ଜୟପୁର: ଆରମ୍ଭ ହୋଇଛି ମା ଜଗତଜନନୀ ଦୁର୍ଗାଙ୍କ ନବରାତ୍ର ଉତ୍ସବ। କରେନା କଟକଣା ନଥିବାରୁ ସହରର ଦଶହରା ମହୋତ୍ସବ ଓ ସାର୍ବଜନୀନ ଦୁର୍ଗା ପୂଜା ମହାସମାରୋହ ସହ ଚାଳିଛି। ଏଥିପାଇଁ ସହରର ମୁଖ୍ୟରାସ୍ତା, ଏମଜିରୋଡ, ରାଜନଅର ଠାରୁ ମାଦଲାସାହି, ପାୱାରହାଉସ କଲୋନୀ, ପିଆରପେଟା, ପୁରୁଣାଗଡ଼ ସହ ବିଭିନ୍ନ ଦେବୀ ମନ୍ଦିରରେ ରଂଗୀନ ଆଲୋକ ସଜ୍ଜା କରାଯାଇଛି। ଧିରେଧିରେ ସହରରେ ଗହଳି ଚହଳି ବଢ଼ିଥିବା ଦେଖିବାକୁ ମିଳିଛି। ସହରର ବିଭିନ୍ନ ପୀଠ ସହ ପୁରୁଣାଗଡ଼ ଦକ୍ଷିଣକାଳୀ ମନ୍ଦିରରେ ବି ବହୁ ଯୁବକ ଓ ଯୁବତୀ ମାନେ ନବରାତ୍ର ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଛି।

ସହରରେ ଥିବା ମା’ ଭଗବତୀ, ମା’କନକ ଦୁର୍ଗା, ମା’ ଦକ୍ଷିଣକାଳୀ, ମା’ ଡଙ୍ଗରଦେଇ, ମା’ ସାତଭଉଣୀ, ମା’ ଜଗତଜନନୀ, ମା’ ମଙ୍ଗଳା, ମା’ ତାରାତାରିଣୀ , ମା’ଝାଙ୍କର ଦେଇ, ମା’ ବାସନ୍ତାୟୀ, ମା’ ବୁଢ଼ୀ ଠାକୁରାଣୀ, ମା’ ଗୋଜବାୟାଣି, ଭୁପତ୍ତିସାହିସ୍ଥ ମା’ କନକଦୁର୍ଗା ଆଦି ପୀଠରେ ନବରାତ୍ର ଓ ଷୋଡଷ ପୂଜା ଜାରୀ ରହିଛି। ନବରାତ୍ରି ଓ ବିଜୟାଭ୍ରମଣୀ ପାଇଁ ବିମାନ ଗୁଡ଼ିକ ମାଭଗବତୀଙ୍କ ମନ୍ଦିରରୁ ବାହାରି ବାଙ୍କମଠ ପର୍ଯ୍ୟନ୍ତ ଯିବା ପ୍ରକ୍ରିୟା ଚାଳିଛି।

ସେହିଭଳି ଷଷ୍ଠୀ ଦିନ ମା’ ଭଗବତୀଙ୍କ ସୁନାବେଶ ସରିଥିବା ବେଳେ ନବମୀ ଦିନ ମା’ ଦକ୍ଷିଣକାଳୀଙ୍କର ସୁନାବେଶ କରାଯିବ ବୋଲି ଦେବୋତ୍ତର ଅଧିକାରୀ ତଥା ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନ ସୂଚନା ଦେଇଛନ୍ତି। ଏହାରି ମଧ୍ୟରେ ସଲଫା, ତେଲିଆ, ଧାରଣାହାଣ୍ଡି, ଖଡ଼ପା, କଙ୍ଗା ଓ ଜାମୁଣ୍ଡା ସହ ନବରଙ୍ଗପୁର ଜିଲ୍ଲାରେ ଥିବା ମା’ ମାନଙ୍କ ମନ୍ଦିରରୁ ପ୍ରତୀକ ଲାଠି ବିଜୟଦଶମୀ ବିଜୟାଯାତ୍ରାରେ ଭାଗ ନେବା ପାଇଁ ନିମନ୍ତ୍ରଣ ଦିଆ ସରିଛି। ଗତ ୩୦ତାରିଖ ଦିନ ସଂଧ୍ୟାରେ ସୌରାସାହି ମା’ ବାସନ୍ତୟୀଙ୍କ ମନ୍ଦିର ଓ ୧ତାରିଖ ଦିନ ମା’ ଜଗତଜନନୀ ଛକ ନିକଟରେ କଟକ ଓ ଭୁବନେଶ୍ବରର ବହୁ ସୁନାମଧନ୍ୟ ଗାୟକ ଓ ଗାୟିକାଙ୍କର ଭଜନସମାରୋହ ଓ ମେଲୋଡୀ ଓର୍କେଷ୍ଟ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଗତକାଲି ସଂଧ୍ୟାରେ ବିଶିଷ୍ଟ ଚଳଚିତ୍ର ସଂଗୀତକାର ତଥା ଗାୟକ ଅଭିଜିତ ମଜୁମଦାର ବି ଭାଗ ନେଇ ମଂଚକୁ ଦୁ‌ଲକେଇଥିଲେ। ସେଭଳି ଆଜି ସ୍ଥାନୀୟ ସ୍ବର ଘୁଙ୍ଗୁର ସଂଗୀତ ଅନୁଷ୍ଠାନ ପକ୍ଷରୁ ବହୁ ପ୍ରତିଷ୍ଠିତ ସ୍ଥାନୀୟ କଳାକାରଙ୍କୁ ନେଇ ଓର୍କେଷ୍ଟ୍ରା କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି। ସେଭଳି ଆସନ୍ତାକାଲି ହିନ୍ଦୀ ଚଳଚ୍ଚିତ୍ର ଗାୟକ ସବିର କୁମାର ଓ ସାରିକା ସିଂଙ୍କ ଦଳର କାର୍ଯ୍ୟକ୍ରମ ରହିଥିବା ଦଶହରା ମହୋତ୍ସବ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ଦିନର କାର୍ଯ୍ୟକ୍ରମରେ ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ଉପସ୍ଥିତ ରହିବା ସହ ପରିଚାଳନାରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ହାସଲ କରିଥିବା ବହୁ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗତ କାଲି ସଂଧ୍ୟାର କାର୍ଯ୍ୟକ୍ରମରେ ପୁଲିସ ଏସଡିପିଓ ଅରୁପ ଅଭିଶେଖ ବେହେରା, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ଟାଟା ପାୱର ଲିମିଟେଡର ଏସଇ ମନ୍ମଥ ମିଶ୍ର ଯୋଗ ଦେଇଥିଲେ। ଆଜି ଡିଏଫଓ ,ସିଡିଏମଓ ଡ.ଅରୁଣ ପାଢ଼ୀ ଯୋଗ ଦେଇଥିଲେ। ଆସନ୍ତାକାଲି ଜିଲ୍ଲାପାଳ ଆବଦାଲ ଏମ୍ ଆଖତାର, ଏସପି ବରୁଣ ଗୁଣ୍ଠପାଲ୍ଲୀ ଓ ୪ତାରିଖ ଦିନ ସାଂସଦ ସପ୍ତଗିରୀ ଶଙ୍କର ଉଲ୍ଲାକା, ଡିଆଇଜି ପଣ୍ଡିତ ରାଜେଶ ଉତ୍ତମ ରାଓ, ଜିଲ୍ଲାପାଳ, ଏସପି, ଉପଜିଲ୍ଲାପାଳ ଆଦି ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ମହୋତ୍ସବ କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର