ଝାରସୁଗୁ଼ଡା : ପଶ୍ଚିମ ଓଡ଼ିଶାର ଅନ୍ୟତମ ଅପ୍ରତିଦ୍ବନ୍ଦ୍ବୀ ରାଜନେତା ତଥା ଦିବଂଗତ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ମରଶରୀର ପଞ୍ଚଭୂତରେ ଲୀନ ହୋଇଛି। ଅତ୍ୟନ୍ତ ଶୋକାକୁଳ ପରିବେଶରେ, ହଜାର ହଜାର ଲୋକଙ୍କ ଉପସ୍ଥିତିରେ ସେ ଶେଷବିଦାୟ ନେଇଛନ୍ତି। ପୁଅ ବିଶାଳ ତାଙ୍କୁ ମୁଖାଗ୍ନି ଦେଇଛନ୍ତି।
/sambad/media/post_attachments/wp-content/uploads/2023/01/naba-d3-750x430.jpg)
ସୋମବାର ସକାଳ ୧୧ଟା ସମୟରେ ନବଙ୍କ ମରଶରୀର ବିମାନ ଯୋଗେ ଭୁବନେଶ୍ବରରୁ ଆସି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପହଞ୍ଚିଥିଲା। ଏହାପରେ ମରଶରୀରକୁ ସେଠାରୁ ସିଧାସଳଖ ସରବାହାଲସ୍ଥିତ ନବଙ୍କ ବାସଭବନକୁ ନିଆଯାଇଥିଲା। ସେଠାରେ କିଛି ସମୟ ରଖିବା ପରେ ତାଙ୍କ ଅନ୍ତିମ ଯାତ୍ରା ଆରମ୍ଭ ହୋଇଥିଲା। ନବଙ୍କ ମରଶରୀରକୁ ଏକ ସୁସଜ୍ଜିତ ଗାଡ଼ିରେ ବେହେରାମାଲ କିସାନଛକ ଅଣାଯାଇ ସେଠାରୁ ଶୋଭାଯାତ୍ରାରେ ମନମୋହନ ସ୍କୁଲ ପଡ଼ିଆ ପର୍ଯ୍ୟନ୍ତ ନିଆଯାଇଥିଲା। ରାସ୍ତା କଡ଼ରେ ବହୁ ବ୍ୟକ୍ତି ଓ ଅନୁଷ୍ଠାନ ପକ୍ଷରୁ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସେମାନଙ୍କ ପ୍ରିୟ ନେତାଙ୍କୁ ବିଦାୟ ଦିଆଯାଇଥିଲା। ଏହାପରେ ମନମୋହନ ସ୍କୁଲ୍ ପଡ଼ିଆଠାରେ ଜନସାଧାରଣଙ୍କ ଶେଷଦର୍ଶନ ପାଇଁ ୩ଟା ପର୍ଯ୍ୟନ୍ତ ରଖାଯାଇଥିଲା। ସେଠାରୁ ଶେଷକୃତ୍ୟ ପାଇଁ ଖେରୁଆଲ ବ୍ରିଜ ନିକଟକୁ ନିଆଯାଇଥିଲା ଏବଂ ବୈଦିକ ରୀତିନୀତିରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା। ସନ୍ଧ୍ୟା ୬ଟାରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ଶେଷକୃତ୍ୟ ସଂପନ୍ନ ବେଳେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହିତ ସଶସ୍ତ୍ର ପୁଲିସ ବାହିନୀ ୨୧ ତୋପ ସଲାମି ସହିତ ଗାର୍ଡ ଅଫ୍ ଅନର ପ୍ରଦାନ କରିଥିଲା। ବନ୍ଧୁକ ମୁନକୁ ତଳମୁହାଁ କରାଯାଇଥିଲା। ଶବାଧାରରେ ଜାତୀୟ ପତାକା ଘୋଡ଼ା ଯାଇଥିବା ବେଳେ ବିଜେଡି ପକ୍ଷରୁ ଦଲୀୟ ପତାକା ଘୋଡ଼ା ଯାଇଥିଲା।
/sambad/media/post_attachments/wp-content/uploads/2023/01/naba-d4-750x430.jpg)
ରାଜ୍ୟ ମନ୍ତ୍ରିମଣ୍ଡଳର ବହୁ ସଦସ୍ୟଙ୍କ ସମେତ ବହୁ ଉଚ୍ଚ ପଦାଧିକାରୀ, ବିଶିଷ୍ଟ ବ୍ୟକ୍ତିମାନେ ଶେଷକୃତ୍ୟରେ ସାମିଲ୍ ହୋଇଥିଲେ। ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଟୁକୁନି ସାହୁ, ରୀତା ସାହୁ, ରୋହିତ ପୂଜାରୀ, ନିରଞ୍ଜନ ପୂଜାରୀ, ପ୍ରଣବ ପ୍ରକାଶ ଦାସ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ସାଂସଦ ସୁରେଶ ପୂଜାରୀ, କଟକ ମେୟର ସୁବାସ ସିଂହ, ବିଧାୟକ ବର୍ଷା ସିଂହ ବରିହା, ଶାରଦା ନାୟକ, ସ୍ନେହାଙ୍ଗିନୀ ଛୁରିଆ, ଦିବ୍ୟଶଙ୍କର ମିଶ୍ର, ସାଧୁ ନେପାକ, ୫-ଟି ସଚିବ ଭିକେ ପାଣ୍ଡିଆନ, ଜିଲ୍ଲାପାଳ ସରୋଜ ସାମଲ, ଏସ୍ପି ରାହୁଲ ଜୈନ ପ୍ରମୁଖ ଉପସ୍ଥିତ ଥିଲେ।
ଅନ୍ୟପକ୍ଷରେ, ସୋମବାର ଦିନତମାମ ଝାରସୁଗୁଡ଼ା, ବେଲପାହାଡ଼, ବ୍ରଜରାଜନଗର, କୋଲାବିରା, ଲଇକେରା ଓ ଲଖନପୁର ଅଞ୍ଚଳର ଦୋକାନ ବଜାର ବନ୍ଦ ରହିଥିଲା। ଜିଲ୍ଲାର ସରକାରୀ ସ୍କୁଲ ଓ କଲେଜରେ ଶୋକସଭା କରାଯାଇ ଛୁଟି କରି ଦିଆଯାଇଥିବା ବେଳେ ଘରୋଇ ବିଦ୍ୟାଳୟ ଗୁଡ଼ିକ ଛୁଟି ରହି ଥିଲା। ବ୍ୟାଙ୍କ ଗୁଡ଼ିକ ମଧ୍ୟ ବନ୍ଦ ରହିଥିଲା। ଘରୋଇ ବସ୍ ସେବା ମଧ୍ୟ ଆଜି ବନ୍ଦ ରହିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/naba-d1.jpg)