ମାଲକାନଗିରି: ମାଲକାନଗିରିରେ ନବରଙ୍ଗପୁର ଜିଲ୍ଲାର ସେକେଣ୍ଡେରି ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ପରୀକ୍ଷା ଦେଇଛନ୍ତି। ଜିଲ୍ଲା ସଦର ମହକୁମାର ତିନୋଟି ସ୍ଥାନରେ ମୋଟ ୮୦୭ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଓଏସଏସଟିଇଟି ପରୀକ୍ଷା ଦେଇଛନ୍ତି। ନିଜ ଜିଲ୍ଲାରେ ପରୀକ୍ଷାରେ ବିଭ୍ରାଟ ହେବା ପରେ ରାଜ୍ୟ ସରକାର ଏଥର ଗୋଟିଏ ଜିଲ୍ଲାର ଶିକ୍ଷକମାନଙ୍କୁ ଅନ୍ୟ ଜିଲ୍ଲାରେ ପରୀକ୍ଷା ଦେବା ପାଇଁ ସ୍ଥିର କରିଛନ୍ତି। ଏହି ପରିପ୍ରେକ୍ଷୀରେ ମାଲକାନଗିରି ଜିଲ୍ଲାର ୩୦୭ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ମହିଳା ମହାବିଦ୍ୟାଳୟରେ ପରୀକ୍ଷା ଦେଉଥିବାବେଳେ ବାଳକ ଉଚ୍ଚ ବିଦ୍ୟାଳୟରେ ୨୬୦ ଜଣ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୨୪୦ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ପରୀକ୍ଷା ଦେଇଥିବା ଜଣାପଡିଛି। ତେବେ ମହିଳା ମହାବିଦ୍ୟାଳୟରେ ହେଉଥିବା ପରୀକ୍ଷା ପରିଚାଳନା କରିବା ପାଇଁ ଖଇରପୁଟ ବ୍ଲକର ବିଇଓ ଶଶିଭୁଷଣ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ପରୀକ୍ଷାକୁ ପରିଚାଳନା କରିବା ପାଇଁ ଏମଭି-୨୭ ୟୁଜି ହାଇସ୍କୁଲର ପ୍ରଧାନ ଶିକ୍ଷକ ଅଜୟ ନାୟକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପରୀକ୍ଷାକୁ ପରିଚାଳନା କରିବା ପାଇଁ କାଲିମେଳା ବ୍ଲକର ବିଇଓ ରମେଶ ଚନ୍ଦ୍ର ବାରୋଇଙ୍କୁ ଦାୟିତ୍ୱ ଦିଆଯାଇଛି। ତେବେ ସମଗ୍ର ପରୀକ୍ଷାକୁ ତଦାରଖ ଏବଂ ଶାନ୍ତିଶୃଙ୍ଖଳାରେ ସମାପ୍ତ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ନାୟକ ଏବଂ ଡେପୁଟି କଲେକ୍ଟରଙ୍କୁ ଦାୟିତ୍ୱ ଦିଆଯାଇଥିଲା |
ଏହି ପରୀକ୍ଷାକୁ କପି ମୁକ୍ତ କରିବା ସହ ଶାନ୍ତିଶୃଙ୍ଖଳାରେ ପରୀକ୍ଷା କରିବା ପାଇଁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି। ଏଥର ଡିଜିଟାଲ ଲକରରେ ପ୍ରଶ୍ନପତ୍ର ରହିଥିଲା।ଭୁବନେଶ୍ବରରୁ ଠିକ ସମୟରେ ଏହାର ପାସୱାର୍ଡ ପ୍ରଦାନ କରିବା ପରେ ହିଁ ଏହା ଖୋଲିଥିବା ଜଣାପଡିଛି। ତେବେ ନବରଙ୍ଗପୁର ଜିଲ୍ଲାରୁ ଆସିଥିବା ଏତେ ସଂଖ୍ୟକ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ପାଇଁ ଜିଲ୍ଲାରେ ରହିବାର କୌଣସି ବ୍ୟବସ୍ଥା ନଥିବାରୁ ବହୁ ଶିକ୍ଷକ ଓ ଶିକ୍ଷୟତ୍ରୀ ବସଷ୍ଟାଣ୍ଡରେ ରାତ୍ରିଯାପନ କରୁଥିବା ଦେଖିବାକୁ ମିଳିଥିଲା। ଥଣ୍ଡାରେ ବସଷ୍ଟାଣ୍ଡର ପିଣ୍ଡାରେ ପତ୍ନୀ ଶୋଇ ରହିଥିବାବେଳେ ସ୍ବାମୀ ଜଗିରହିଥିବାବେଳେ ଝିଅ ଶୋଇଥିବାବେଳେ ବାପା ଜଗି ରହିଥିବା ଦେଖିବାକୁ ମିଳିଥିଲା। ମାଲ୍ୟବନ୍ତ ମହୋତ୍ସବ ଚାଲୁଥିବାରୁ ଏଭଳି ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା। ଜିଲ୍ଲା ସଦର ମହକୁମାରେ ଯେତେ ହୋଟେଲ ରହିଛି ,ସେସବୁକୁ ଜିଲ୍ଲା ପ୍ରଶାସନ ପ୍ରଥମରୁ ନିଜ ଅକ୍ତିଆରରେ ରଖିଥିବା ଯୋଗୁଁ ଏଭଳି ଅସୁବିଧା ହୋଇଥିଲା।